ସ୍କୁଲ୍‌ରେ ନାଁ ଲେଖାଇବାକୁ ଆସିଥିବା ପ୍ରଥମ ୧୦ ଜଣ ପିଲାଙ୍କୁ ୧ ଗ୍ରାମ୍‌ର ସ୍ୱର୍ଣ୍ଣମୁଦ୍ରା, ୫ ହଜାର ଟଙ୍କା ଏବଂ ୨ ହଳ ୟୁନିଫର୍ମ

କୋଇମ୍ବାଟୁର୍‌: ଅନ୍ନୁର ନିକଟବର୍ତ୍ତୀ କୋନରପାଲାୟାମ ଗ୍ରାମବାସୀମାନେ ସେଠାକାର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖା ବୃଦ୍ଧି ପାଇଁ ଗୋଟାଏ ଅଭିନବ ଉପାୟ କରିଛନ୍ତି। ନାଁ ଲେଖାଇବାକୁ ଆସିଥିବା ପ୍ରଥମ ୧୦ ଜଣ ପିଲାଙ୍କୁ ସେମାନେ ଦେଉଛନ୍ତି ୧ ଗ୍ରାମ୍‌ର ସ୍ୱର୍ଣ୍ଣମୁଦ୍ରା, ୫ ହଜାର ଟଙ୍କା ଏବଂ ୨ ହଳ ୟୁନିଫର୍ମ।

ସେମାନଙ୍କର ଉଦ୍ୟମର ସୁଫଳ ମଧ୍ୟ ସଙ୍ଗେ ସଙ୍ଗେ ମିଳିଛି। ପ୍ରଧାନ ଶିକ୍ଷକ ରାଜେଶ ଚନ୍ଦ୍ରକୁମାର ଓ୍ଵାଇ କହନ୍ତି: ତିନି ଜଣ ପିଲା ସ୍କୁଲ୍‌ରେ ନାଁ ଲେଖାଇଛନ୍ତି। ଆଉ ତିନି ଜଣ ପିଲା ନାଁ ଲେଖାଇବାକୁ ଆଗ୍ରହୀ ଅଛନ୍ତି।

ଫସଲ ନ ହେବାରୁ ଏହି କୃଷିନିର୍ଭରଶୀଳ ଗାଁ’ର ଲୋକେ ଆଖପାଖ ଅଞ୍ଚଳକୁ ଉଠି ଯିବାରୁ ୧୬୫ ପିଲାଙ୍କୁ ନେଇ ୧୯୯୬ ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲ୍‌ରେ ଆଉ ପିଲା ନାଁ ଲେଖାଉ ନ ଥିଲେ। ୧୦୯୦ ଦଶନ୍ଧିର ଶେଷ ଆଡ଼କୁ ସେ ସ୍କୁଲ୍‌ର ପିଲା ସଂଖ୍ୟା ଥିଲା ୧୦। ଇଂରାଜି ମାଧ୍ୟମ ସ୍କୁଲ୍‌ର ଚାହିଦା ବଢ଼ିବାରୁ ଗତ ଦଶନ୍ଧିରେ ପିଲାସଂଖ୍ୟା ଥିଲେ ୫ ଜଣ।

ପ୍ରଧାନ ଶିକ୍ଷକ କହନ୍ତି: ପାଞ୍ଚ ବର୍ଷ ତଳେ ମୁଁ ଯୋଗ ଦେବା ବେଳେ କଷ୍ଟେମଷ୍ଟେ ୬ ଜଣ ପିଲା ଯୋଗାଡ଼ କରିଥିଲି। ଗାଁ’ର ଜନସଂଖ୍ୟା ମାତ୍ର ୬୫ ପରିବାରକୁ କମି ଆସିଥିବାରୁ ଆଉ ଅଧିକ କିଛି କରି ହୋଇ ନ ଥିଲା।

ସେହି ସମୟରେ ଶିକ୍ଷକ ଓ ପିଲାମାନଙ୍କୁ ଆଖପାଖ ସ୍କୁଲ୍‌କୁ ନେଇ ଯାଇ ୧୦ ପିଲାରୁ କମ୍‌ ଥିବା ସ୍କୁଲ୍‌ ବନ୍ଦ କରାଇବାକୁ ସ୍ଥିର କଲେ ସରକାର।
ପ୍ରଧାନ ଶିକ୍ଷକ ରାଜେଶ ଗ୍ରାମବାସୀଙ୍କ ବୈଠକ ବସାଇବା ପରେ ଏ ଭଳି ଉପାୟ କରିଥିଲେ। ଗାଁ’ର ବ୍ୟବସାୟୀ ଶେକର ୧ ଗ୍ରାମ୍‌ ସ୍ୱର୍ଣ୍ଣମୁଦ୍ରା, ଗାଁ ମୁଖିଆ ସେଲବରାଜ ୫ ହଜାର ଟଙ୍କା ଦେବାକୁ ଆଗେଇ ଆସିଲେ। ଏ କଥା ଗ୍ରାମବାସୀଏ ଶିକ୍ଷା ବିଭାଗକୁ କହିବାରୁ ସେମାନେ ସମ୍ମତି ଦେଲେ।
ସ୍କୁଲ୍‌ ବନ୍ଦ ହେଉ ବୋଲି ଆମେ ଚାହୁଁ ନାହୁଁ। ଆମ ଗାଁ’ରେ ସ୍କୁଲ୍‌ଟିଏ ରହିବା ଗୌରବର କଥା। କୌଣସି ମତେ ଆମେ ତାକୁ ବଞ୍ଚାଇ ରଖିବୁ ବୋଲି କହନ୍ତି ସେଲବରାଜା।

ସମ୍ବନ୍ଧିତ ଖବର