ସ୍ମାର୍ଟ ଗ୍ଲାଇଡ ବମ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଲା ଭାରତ, ଟାର୍ଗେଟକୁ ଗୋଡେଇ ଗୋଡେଇ ଧ୍ୱଂସ କରିବ

ନୂଆଦିଲ୍ଲୀ : ଭାରତ ପ୍ରେସିସନ ଗାଇଡେଡ ସ୍ମାର୍ଟ ଗ୍ଲାଇଡ ବମ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଯାଇଛି । ଗତ ଅଗଷ୍ଟ ମାସରେ ଡିଆରଡିଓ ପକ୍ଷରୁ ପୋଖରାନଠାରେ ଏଗୁଡିକର ସଫଳ ପରୀକ୍ଷଣ କରିଥିଲା । ଭାରତ ନିର୍ମାଣ କରୁଥିବା ଏପରି ଦୁଇଟି ପ୍ରକାରର ବମ ତିଆରି କରିଛି । ଗୋଟିକର ନାଁ ଗୁରଥମା ଓ ଆରଟିର ନାଁ ଗରୁଡ ରଖାଯାଇଛି । ଗରୁଥମାର ଓଜନ ପ୍ରାୟ ୧୦୦୦ କିଲୋଗ୍ରାମ ହୋଇଥିବାବେଳେ ପ୍ରାୟ ୧୦୦ କିମି ରେଂଜରୁ ଏହାର ପରୀକ୍ଷା କରାଯାଇଥିଲା । ଏହି ଯୁଦ୍ଧାସ୍ତ୍ର ପ୍ରକ୍ରିୟାରେ ଲାଇଭ ୱାରହେଡ ଲଗାଯାଇଥିଲା ଏବଂ ଏହା ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଥିଲା । ଏହି ପରୀକ୍ଷଣର ସମସ୍ତ ଗତିବିଧିକୁ ଟେଲିମେଟ୍ରି ଏବଂ ଟ୍ରାକିଂ ସିଷ୍ଟମ ଆୟତ କରିଥିଲା । ପ୍ରେସିସନ ନାଭିଗେସନର ବ୍ୟବହାର ଦ୍ୱାରା ବିବିଧ ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କରିବାରେ ଏହି ଯୁଦ୍ଧାସ୍ତ୍ର ସକ୍ଷମ । ଏହି ଯୁଦ୍ଧାସ୍ତ୍ର ଏକ ଗାଇଡେଡ୍ ବୋମା ଯାହାକି ଅତି ସଠିକତାର ସହ ଶତ୍ରୁପକ୍ଷର ବଙ୍କର, ବିମାନଘାଟିକୁ ଉଡାଇପାରିବ । ଅଗଷ୍ଟ ୧୬ରୁ ୧୮ ମଧ୍ୟରେ ବିଭିନ୍ନ ସର୍ତ୍ତରେ ମୋଟ ଉପରେ ୩ଟି ପରୀକ୍ଷଣ କରାଯାଇଥିଲା ଏବଂ ସମସ୍ତ ଉଦ୍ଦେଶ୍ୟ ହାସଲ କରାଯାଇଥିଲା । ଏପର୍ଯ୍ୟନ୍ତ ବିକାଶ ପର୍ଯ୍ୟାୟରେ ଏହି ଯୁଦ୍ଧାସ୍ତ୍ରର ୮ଟି ପରୀକ୍ଷଣ କରାଯାଇଛି ଏବଂ ବିବିଧ ଉତକ୍ଷେପଣ ସର୍ତ୍ତାବଳୀ ଅନ୍ତର୍ଗତ ବିଭିନ୍ନ ରେଞ୍ଜରୁ ଏହି ପରୀକ୍ଷଣର ପ୍ରଦର୍ଶନ କରାଯାଇଥିଲା ।

ସମ୍ବନ୍ଧିତ ଖବର