ଗୋଟିଏ ଇନିଂସରେ ୫୪୬ ରନ୍‌ ସଂଗ୍ରହ କରିଥିବା ଏହି ଖେଳାଳି ଆସନ୍ତାକାଲି କରିପାରନ୍ତି ଟେଷ୍ଟ ଡେବ୍ୟୁ

ଲଣ୍ଡନ: ଆୟୋଜକ ଇଂଲଣ୍ଡ ବିରୋଧରେ ୧-୩ରେ ପଛରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ସମ୍ମାନ ବଞ୍ଚାଇବାକୁ ଶେଷ ସୁଯୋଗ ଆସିଛି। ଓଭାଲ ଟେଷ୍ଟ ଶୁକ୍ରବାର ଠାରୁ ଆରମ୍ଭ ହେବ। ଭାରତୀୟ ଟିମ୍‌ ନିଜର ତ୍ରୁଟି ଭୁଲି ଇଂଲଣ୍ଡ ଟିମ୍‌ ବିରୋଧରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ। ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ‘ପୃଥ୍ଵୀ ସ’ଙ୍କୁ ଡେବ୍ୟୁ କରାଯାଇ ପାରିବ।

ଓପନର କେଏଲ୍‌ ରାହୁଲଙ୍କ ଅସଫଳତା ଟିମ୍‌ ଇଣ୍ଡିଆ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ରାହୁଲ ଚଳିତ ଶୃଙ୍ଖଳାରେ ଆଦୌ ଭଲ ପ୍ରଦର୍ଶନ କରି ନାହାନ୍ତି। ୪ଟି ଟେଷ୍ଟ ମ୍ୟାଚ୍‌ରେ ସେ ୧୪.୧୨ ହାରରେ ୧୧୩ ରନ୍‌ ସଂଗ୍ରହ କରିଛନ୍ତି। ତେଣୁ ଶେଷ ଟେଷ୍ଟରେ ପ୍ରତିଭା ସଂପନ୍ନ ବ୍ୟାଟସ୍‌ମ୍ୟାନ୍‌ ପୃଥ୍ଵୀ ସଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ। ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ ବିଜେତା ଅଧିନାୟକ ପୃଥ୍ଵୀ ସ, ସାଉଥମ୍ପଟନ୍‌ରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଭାରତୀୟ ଦଳ ସହିତ ଜଡ଼ିତ ଅଛନ୍ତି ଓ ନେଟ ପ୍ରାକ୍ଟିସ କରୁଛନ୍ତି।

ପୃଥ୍ଵୀ ସ ୨୦୧୩ରେ ଚର୍ଚ୍ଚାକୁ ଆସିଥିଲେ। ସେ ହେରିସ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ସେଣ୍ଟ ଫ୍ରାନ୍ସିସ ବିରୋଧରେ ରିଜବୀ ସ୍ପ୍ରିଙ୍ଗଫିଲ୍ଡ ପକ୍ଷରୁ ଖେଳି ୩୩୦ଟି ବଲରେ ୫୪୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୮୫ଟି ଚୌକା ଓ ୫ଟି ଛକା ସାମିଲ ଥିଲା।

କ୍ୟାରିୟରର ପ୍ରଥମ ମ୍ୟାଚ ଖେଳିବା ନେଇ ପୃଥ୍ଵୀ ଉତ୍ସାହିତ ଅଛନ୍ତି। ସେ ଇଣ୍ଡିଆ-ଏ ପାଇଁ ବିଗତ ୪ଟି ଫାଷ୍ଟ କ୍ଲାସ ମୁକାବିଲାରେ ୨ଟି ଶତକ ହାସଲ କରିଛନ୍ତି। ଏଥିରେ ୧୮୮ ରନ୍‌ ସର୍ବାଧିକ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୧୪ଟି ମ୍ୟାଚ୍‌ ଖେଳିଛନ୍ତି, ଯାହାକି ୫୬.୭୨ ହାରରେ ୧୪୧୮ ରନ୍‌। ସେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ମାରିଛନ୍ତି।

ସମ୍ବନ୍ଧିତ ଖବର