ପାକିସ୍ତାନକୁ ବଳକା ଜଳପ୍ରବାହ ବନ୍ଦ କରିଦିଆଯାଇଛି, ଯେତିକି ଆବଶ୍ୟକ ସେତିକି ଦେଉଛୁ : ଗଡ଼କରୀ

ନୂଆଦିଲ୍ଲୀ : ଭାରତ ବାଟଦେଇ ପାକିସ୍ତାନ ଯାଉଥିବା ନଦୀଗୁଡ଼ିକର ବଳକା ଜଳ ପ୍ରବାହକୁ ଅଟକାଇଦିଆଯାଇଛି । କେବଳ ପାକିସ୍ତାନର ଭାଗ ଯେତିକି ସେତିକି ପାଣି ଦିଆଯାଉଛି ବୋଲି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି । ପୂର୍ବରୁ ଭାରତ ଭାଗର ପାଣି ମଧ୍ୟ ପାକିସ୍ତାନକୁ ବୋହି ଯାଉଥିଲା । କିନ୍ତୁ ଏପଟେ ଭାରତର ପଂଜାବ,ରାଜସ୍ଥାନ ଓ ହରିୟାଣା ଆଦି ରାଜ୍ୟ ଜଳ ଅଭାବ ଭୋଗୁଥିଲେ । ଏବେ କିନ୍ତୁ ଭାରତ ସରକାର ଉପରମୁଣ୍ଡରେ ବନ୍ଧ ବାନ୍ଧି ଏସବୁ ପାଣିକୁ ୫ଟି ରାଜ୍ୟ ପଂଜାବ,ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ଉପଯୋଗ ପାଇଁ ଏକ ଦୀର୍ଘ ମିଆଦୀ ଯୋଜନା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଚୀନ ଅଧିନରେ ଥିବା ତିବ୍ଦତରୁ ବାହାରି ଭାରତ ମଧ୍ୟ ଦେଇ ପାକିସ୍ତାନ ଯାଇଥିବା ସିନ୍ଧୁ ନଦୀ ଓ ତାହାର ଶାଖା ନଦୀଗୁଡ଼ିକ ପାକିସ୍ତାନର ସ୍ଥିତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ନଦୀର ପାଣି ନପହଞ୍ଚିଲେ ପାକିସ୍ତାନର ଅଧା ଅଞ୍ଚଳର ଜଳବିନା ମରୁଭୂମି ପାଲଟିବ । ୧୯୬୦ ଦଶକରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳବଣ୍ଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଭାରତ ଭାଗରେ ଯେତିକି ପାଣି ଆସିଥିଲା ତାହାକୁ ମଧ୍ୟ ପାକିସ୍ତାନକୁ ଛାଡିହେବାକୁ ସେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଅନୁମତି ଦେଇଥିଲେ । କିନ୍ତୁ ଭାରତର ଏଭଳି ଉଦାରତା ସତ୍ତ୍ୱେ ପାକିସ୍ତାନ ସବୁବେଳେ ଭାରତ ସହ ଶତ୍ରୁତା ଆଚରଣ କରୁଥିବାରୁ କେନ୍ଦ୍ରର ମୋଦି ସରକାର ଏହି ଚୁକ୍ତିର ସମୀକ୍ଷା କରିବା ଲାଗି ସଂକେତ ଦେଇଥିଲେ । କିନ୍ତୁ ୨୦୧୬ରେ ହୋଇଥିବା ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଅଧିକ କଠୋର ହୋଇଥିଲେ ଓ ଉପରମୁଣ୍ଡରେ ନଦୀବନ୍ଧ ନିର୍ମାଣ କରି ନିଜ ଭାଗରେ ପଡିଥିବା ଜଳର ଉପଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର