ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନାର ପ୍ରକୋପ ବଢି ଚାଲିଛି । ଗୁରୁବାରଦିନ ଭାରତରେ ଆଉ ୩ଟି କରୋନା ଜନିତ ମୃତ୍ୟୁ ମାମଲା ସାମନାକୁ ଆସିଛି । ଏସବୁ ମୃତ୍ୟୁ ଜମ୍ମୁ ଓ କଶ୍ମୀର, ମହାରାଷ୍ଟ୍ର ଓ ଗୁଜୁରାଟରେ ହୋଇଛି । ଏହି ୩ଟି ମୃତ୍ୟୁକୁ ମିଶାଇଲେ ଭାରତରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଶହ ନିକଟବର୍ତ୍ତି ହୋଇଛି ।

ଗୁଜୁରାଟ ଭାବନଗରର ଜଣେ ୭୦ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ ଭାବନଗରର ଏକ ସରକାରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟସଚିବ ଜୟନ୍ତୀ ରବି କହିଛନ୍ତି । ଏହାକୁ ମିଶାଇ ଗୁଜୁରାଟରେ କରୋନା ମୃତୁ୍ୟ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିପରି ଜମ୍ମୁ ଓ କଶ୍ମୀରରେ ୬୫ ବର୍ଷୀୟ ଆଧ୍ୟାତ୍ମିକ ପ୍ରଚାରକଙ୍କ ମୃତ୍ୟୁ ହୋଇଛି । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୮ ଜଣ ଲୋକଙ୍କୁ ଏକାନ୍ତବାସରେ ରଖାଯାଇଛି । ସେହିପରି ମହାରାଷ୍ଟ୍ରର ନଭି ମୁମ୍ବଇର ଜଣେ ମହିଳା କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି ।

ତେବେ ରାଜସ୍ଥାନର ଜଣେ ୭୩ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ ଥାଇ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ଅନ୍ୟକାରଣରୁ ମୃତ୍ୟୁବରଣ କରିଥିବା ରାଜ୍ୟ ସରକାର କହିଛନ୍ତି । ଗତ କିଛି ଦିନ ଧରି ସେ ବିଭିନ୍ନ ରୋଗରେ ପଡି ଚିକିତ୍ସିତ ହେଉଥିଲେ ।

ସମ୍ବନ୍ଧିତ ଖବର