ମହାକାଶରୁ କିପରି ଦେଖାଯାଉଛି କୁମ୍ଭ ମେଳା ? ଇସ୍ରୋ ଜାରି କଲା ଉପଗ୍ରହ ଚିତ୍ର

ପ୍ରୟାଗରାଜ : ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆରମ୍ଭ ହୋଇଯାଇଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ, ସାଧୁସନ୍ଥ ଆସିଛନ୍ତି ।ପ୍ରାୟ ୫୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହାସମାବେଶରେ ପ୍ରାୟ ୧୫ କୋଟି ଲୋକ ଆସିବା ସରକାର ଅଟକଳ କରିଛନ୍ତି । ପ୍ରଥମ ଶାହୀ ସ୍ନାନ ଗତ ମକରସଂକ୍ରାନ୍ତି ତିଥିରେ ଅନୁଷ୍ଠିତ ହୋଇଥିଲା ଓ ସେଦିନ ପ୍ରାୟ ଦେଢକୋଟି ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ଏତେ ସଂଖ୍ୟକ ଲୋକ ଜମାହୋଇ ଏକାଥରକେ ସ୍ନାନ କରିବା ମହାକାଶରୁ କିପରି ଦେଖାଯାଉଛି ? ଏ ସଂପର୍କରେ ଇସ୍ରୋ ଏକ ଉପଗ୍ରହ ଫଟୋଚିତ୍ର ଜାରି କରିଛି । ଏହି ଫଟୋଚିତ୍ର ରିମୋଟ ସେନସିଂ କାଟ୍ରୋସାଟ ଉପଗ୍ରହରୁ ନିଆଯାଇଛି ବୋଲି ଇସ୍ରୋ କହିଛି ।

 

ଏହା ଅର୍ଦ୍ଧକୁମ୍ଭ ହେଲେ ମଧ୍ୟ ଏହା ଗତ ୨୦୧୩ରେ ଆୟୋଜିତ କୁମ୍ଭ ତୁଳନାରେ ଅଧିକ ବିଶାଳ ବୋଲି ଉତ୍ତରପ୍ରଦେଶର ଯୋଗୀ ସରକାର ଦାବି କରୁଛନ୍ତି । ଆଗରୁ ପ୍ରାୟ ୨୦ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ କୁମ୍ଭ ଅନୁଷ୍ଠିତ ହେଉଥିବାବେଳେ ଏଥର ୪୫ ବର୍ଗ କିଲୋମିଟର ପରିମିତ ଅଂଚଳରେ ଅନୁଷ୍ଠିତ ହେଉଛି । ଏବର୍ଷ ୧୫,୨୧ ଜାନୁୟାରୀ, ୪,୧୦ ଓ ୧୯ ଫେବ୍ରୁଆରୀ ଓ ୪ ମାର୍ଚ୍ଚରେ ପବିତ୍ର ବୁଡ ପଡିବ ।

ସମ୍ବନ୍ଧିତ ଖବର