ପୁଣି ଜେଲ୍‌ ଗଲେ ଲାଲୁ

ଗୋଖାଦ୍ୟ ଦୁର୍ନୀତି: ଦେଓଘର ଟ୍ରେଜେରି ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ

ପାଟନା: ବହୁଚର୍ଚ୍ଚିତ ବିହାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଖାଦ୍ୟ ସଂକ୍ରାନ୍ତ ୧୯୯୧ରୁ ୧୯୯୪ ଭିତରେ ଦେଓଘର ଟ୍ରେଜେରିରୁ ଜାଲ୍‌ କାଗଜପତ୍ରରେ ୮୯ଲକ୍ଷ ୨୭ ହଜାର ଟଙ୍କା ଉଠାଯାଇଥିବା ଅଭିଯୋଗରେ ରୁଜୁ ମାମଲାରେ ରାଞ୍ଚି ସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏଥି ସହିତ ମାନ୍ୟବର ଅଦାଲତ ଅନ୍ୟ ୧୪ ଜଣଙ୍କୁ ମଧ୍ୟ ଦୋଷୀ କରିଛନ୍ତି। ତେବେ ଆସନ୍ତା ୩ ତାରିଖରେ ଦୋଷୀମାନଙ୍କ ପ୍ରତି ଦଣ୍ଡବିଧାନ ହେବ ବୋଲି କୁହାଯାଇଛି। ସେହିପରି ଏହି ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଜଗନ୍ନାଥ ମିଶ୍ରଙ୍କ ସମେତ ଛଅ ଜଣଙ୍କୁ ସିବିଆଇର ସ୍ୱତନ୍ତ୍ର ବିଚାରପତି ଶିବପାଲ ସିଂହ ଦୋଷମୁକ୍ତ କରିଛନ୍ତି। ଅଦାଲତଙ୍କ ଏହି ରାୟ ପରେ ପୁଲିସ ଲାଲୁଙ୍କୁ ତୁରନ୍ତ ହେପାଜତକୁ ନେବା ସହ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍‌କୁ ପଠାଇଦେଇଛି। ଅପରପକ୍ଷେ, ଏହି ରାୟ ବିରୋଧରେ ଲାଲୁ ହାଇକୋର୍ଟ ଯିବେ ବୋଲି ତାଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି।

ସୂଚନା ଥାଉ କି, ନବେ ଦଶକରେ ଦେଶରେ ଚହଳ ସୃଷ୍ଟି କରିଥିବା ଏହି ଗୋଖାଦ୍ୟ ଦୁର୍ନୀତି ନେଇ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ଦୀର୍ଘ ୨୦ ବର୍ଷ ଧରି ଗୋରୁଗାଈଙ୍କ ପାଇଁ ଖାଦ୍ୟ ଏବଂ ଔଷଧ କିଣିବା ଆଳରେ ସରକାରୀ ତହବିଲରୁ ୯୫୦ କୋଟିର ତୋଷରପାତ ହୋଇଥିବା ଅଭିଯୋଗ ହୋଇଥିଲା। ସିିବିଆଇ ୧୯୯୬ ମସିହାରୁ ମାମଲାଗୁଡ଼ିକର ତଦନ୍ତ ଜାରି ରଖିଥିଲା। ସେହି ୫୦ ମାମଲା ଭିତରୁ ଛଅଟିରେ ଲାଲୁ ଅଭିଯୁକ୍ତ ଅଛନ୍ତି। ଆଜି ଦ୍ୱିତୀୟ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ପୂର୍ବରୁ ପ୍ରଥମ ମାମଲାରେ ଲାଲୁଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡାଦେଶ ହୋଇସାରିଛି। ଲାଲୁ ଏଥିମଧ୍ୟରୁ ଦୁଇ ମାସ କାରାବାସ କରି ଜାମିନରେ ମୁକୁଳିଛନ୍ତି। ଏଥିସହ ସେ ସଂସଦ ସଦସ୍ୟତା ହରାଇଛନ୍ତି। ଲାଲୁଙ୍କୁ ନିର୍ବାଚନ ଲଢ଼ିବାରୁ ମଧ୍ୟ ବାରଣ କରାଯାଇଛି। ଅପରପକ୍ଷେ, ଏଥରର (ଦ୍ୱିତୀୟ) ମାମଲାର ବିବରଣୀ ଅନୁଯାୟୀ, ନବେ ଦଶକରେ ଲାଲୁ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିବା ବେଳେ ଦୁର୍ନୀତି ସଂକ୍ରାନ୍ତ ଏକ ଦସ୍ତାବିଜ୍‌କୁ ଦୀର୍ଘ ୧୬ ମାସ କାଳ ଚାପି ରଖି ତାହାକୁ ଯାଞ୍ଚ ହେବାର ସୁଯୋଗ ଦେଇନଥିଲେ। ଏପରିକି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆପତ୍ତି ସତ୍ତ୍ୱେ ସେ ଏଥିସହ ସଂପୃକ୍ତ ୩ ଅଧିକାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିଥିଲେ। ସୁତରାଂ ଲାଲୁ ଏହି ଦୁର୍ନୀତି ସମ୍ପର୍କରେ ଅବଗତ ଥାଇ ଏପରି ହରିଲୁଟ୍‌କୁ ପ୍ରଶ୍ରୟ ଦେଇଥିଲେ ବୋଲି ସିବିଆଇ ଅଭିଯୋଗ ଆଣିଥିଲା। ଏହି ମାମଲାର ଶୁଣାଣି ଗତ ୧୩ ତାରିଖରେ ସରିଥିବା ବେଳେ ରାୟ ପ୍ରକାଶ ବେଳେ ସମସ୍ତ ଅଭିଯୁକ୍ତ ଅଦାଲତରେ ଉପସ୍ଥିତ ରହିବା ଲାଗି କୁହାଯାଇଥିଲା।

ସୂଚନା ଥାଉ କି, ଲାଲୁ ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସଘାତକତା ଏବଂ ଦୁର୍ନୀତିକୁ ପ୍ରଶ୍ରୟ ଦେବା ଆଦି ଅଭିଯୋଗକୁ ଝାଡ଼ଖଣ୍ଡ ହାଇକୋର୍ଟ ୨୦୧୪ରେ ହଟାଇ ଦେଇଥିଲେ। ଜଣେ ବ୍ୟକ୍ତି ଗୋଟିଏ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ ସମାନ ସାକ୍ଷୀ ଏବଂ ତଥ୍ୟ ପ୍ରମାଣ ଭିତ୍ତିରେ ଅନୁରୂପ ଅନ୍ୟ ମାମଲାରେ ତାଙ୍କର ବିଚାରଣା ହେବ ନାହିଁ ବୋଲି ଦର୍ଶାଇ ମାନ୍ୟବର ଅଦାଲତ ଏପରି ନିର୍ଦ୍ଦେଶ କରିଥିଲେ। ଫଳରେ ଲାଲୁ ଏବଂ ଅନ୍ୟମାନେ କିଛି ମାତ୍ରାରେ ଆଶ୍ୱସ୍ତ ଥିଲେ। ମାତ୍ର ଗତ ମେ ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଖାରଜ କରିବା ସହ କରି ଗୋଖାଦ୍ୟ ସଂକ୍ରାନ୍ତ ସମସ୍ତ ମାମଲାରେ ଲାଲୁଙ୍କର ବିଚାର ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର