୨୦୦ ପାକିସ୍ତାନୀ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଛି ଚୀନ୍‌! ଜବରଦସ୍ତ କରାଯାଉଛି ଧର୍ମ ପରିବର୍ତ୍ତନ !

ଇସ୍‌ଲାମାବାଦ୍‌: ଚୀନ୍‌ରେ ବ୍ୟବସାୟ କରୁଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ପାକିସ୍ତାନୀଙ୍କର ପତ୍ନୀଙ୍କୁ ଚୀନ୍‌ ପ୍ରଶାସନ ଅପହରଣ କରିନେଇ ବନ୍ଦୀ କରି ରଖିଛି ବୋଲି ଏକ ଗୁରୁତର ଅଭିଯୋଗ ସାମନାକୁ ଆସିଛି। ଚୀନ୍‌ରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଥିବା ପାକିସ୍ତାନୀ ବ୍ୟବସାୟୀ ଚୌଧୁରୀ ଜାଭେଦ୍‌ ଆଟ୍ଟା ଅଭିଯୋଗ କରି କହିଛନ୍ତି ଯେ ପ୍ରାୟ ବର୍ଷକ ତଳେ ସେ ତାଙ୍କର ପାସ୍‌ପୋର୍ଟ ନବୀକରଣ ପାଇଁ ପାକିସ୍ତାନ ଆସିଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୀନ୍‌ ପ୍ରଶାସନ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଥିଲେ। ଆଟ୍ଟା କହିଛନ୍ତି, ଚୀନ୍‌ ପ୍ରଶାସନ କେବଳ ମାତ୍ର ତାଙ୍କର ପତ୍ନୀଙ୍କୁ ନୁହେଁ, ବରଂ ଚୀନ୍‌ରେ ବ୍ୟବସାୟ କରୁଥିବା ପାକିସ୍ତାନର ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀଙ୍କ ପତ୍ନୀଙ୍କୁ ସମାନ ଢ଼ଙ୍ଗରେ ଅପହରଣ କରିନେଇ ବନ୍ଦୀ କରି ରଖିଛି।

ଏ ସଂପର୍କରେ ସୂଚନା ଦେଇ ଅଟ୍ଟା କହିଛନ୍ତି ଯେ, ଚୀନ୍‌ର ଜିଙ୍ଗ୍‌ଜିଆଙ୍ଗ ଅଞ୍ଚଳରେ ଉଗ୍‌ହର ନାମରେ ଏକ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ବସବାସ କରନ୍ତି। ତେବେ, ବର୍ତ୍ତମାନ ଚୀନ୍‌ ସରକାର ଆଉ ଏସଂପ୍ରଦାୟର ସଂଖ୍ୟା ବିସ୍ତାର କରିବାକୁ ଚାହୁଁନାହାନ୍ତି ବରଂ ଉଗ୍‌ହାରମାନଙ୍କର ଧର୍ମ ପରିବର୍ତ୍ତନ କରାଇବା ପ୍ରଚେଷ୍ଟାରେ ରହିଛନ୍ତି।

ତେବେ, ଘଟଣାଚକ୍ରରେ ଯେଉଁ ପାକିସ୍ତାନୀମାନେ ବ୍ୟବସାୟ କରିବାକୁ ଚୀନ୍‌ ଯାଇଥିଲେ ଏବଂ ସେଠାରେ ଦୀର୍ଘବର୍ଷ ଧରି ରହିବା ପରେ ଉଗ୍‌ହର ସଂପ୍ରଦାୟର ମୁସଲମାନ ଝିଅମାନଙ୍କୁ ବିବାହ କରିଥିଲେ ସେମାନଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି। ଯେତେବେଳେ, ପାକିସ୍ତାନୀମାନେ ପାସ୍‌ପୋର୍ଟ ଅବଧି ସରିଯିବା ପରେ ପାସ୍‌ପୋର୍ଟର ନବୀକରଣ ପାଇଁ ନିଜ ଦେଶ ପାକିସ୍ତାନକୁ ଆସୁଛନ୍ତି ସେତେବେଳେ ଚୀନ୍‌ ପ୍ରସାଶନ ସେମାନଙ୍କ ସହ ସେମାନଙ୍କ ପତ୍ନୀମାନଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦେଉ ନାହିଁ। ଅପରପକ୍ଷରେ ପାକିସ୍ତାନୀମାନେ ପାସ୍‌ପୋର୍ଟ ନବୀକରଣ ପାଇଁ ଯାଇଥିବାର ସୁଯୋଗ ନେଇ ସେମାନଙ୍କ ପତ୍ନୀମାନଙ୍କୁ ଚୀନ୍‌ ପ୍ରଶାସନ ଅପହରଣ କରି ନେଉଥିବା ଆଟ୍ଟା ଅଭିଯୋଗ କରିଛନ୍ତି।

ଏସଂପର୍କରେ ପାକିସ୍ତାନ ସରକାରଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାରର ସୁଫଳ ମିଳୁନାହିଁ। କାରଣ, ଏମାମଲାରେ ହସ୍ତକ୍ଷେପ କରି ପାକିସ୍ତାନ ଚୀନ୍‌ ସହ ନିଜ ସଂପର୍କକୁ ଖରାପ କରିବାକୁ ଚାହୁଁ ନାହିଁ। ସେଥିପାଇଁ ଏହାକୁ ଚୀନ୍‌ର ଏକ ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ଏପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ବୋଲି ମଧ୍ୟ ଆଟ୍ଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର