ଶାଢ଼ି, ଟୋପି ଏବଂ ଟି-ସାର୍ଟ ପରେ ଏବେ ବିନ୍ଦି ପ୍ୟାକେଟରେ ଦିଶିଲେ ମୋଦି, ଏଭଳି କହି ଥଟ୍ଟା କରୁଛନ୍ତି ବିପକ୍ଷ ଦଳ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ଥିବା ବେଳେ ଚାରି ଆଡ଼େ ମୋଦିଙ୍କ ପ୍ରଶଂସକ ବଢ଼ୁଥିବା ଦେଖା ଯାଇଛି । ଦେଶରେ ଲୋକମାନେ ପୂର୍ବରୁ ଶାଢ଼ି, ଟୋପି ଏବଂ ଟି-ସାର୍ଟରେ ମୋଦିଙ୍କ ଫଟୋ ପ୍ରିଣ୍ଟ କରାଇ ବିକ୍ରି କରୁଥିବା ବେଳେ ଏବେ ବିନ୍ଦି ପ୍ୟାକେଟରେ ମୋଦୀଙ୍କ ଫଟୋ ପ୍ରିଣ୍ଟ କରାଯାଇଥିବା ଦେଖା ଯାଇଛି । ଗତକାଲି କାଠଗୋଦାମ ଶତାବ୍ଦୀ ଟ୍ରେନ୍‌ରେ ଦିଆଯାଉଥିବା ଚା’ କପ୍‌ରେ ମୋଦୀଜୀଙ୍କ ଫଟୋ ଥିବା ଦେଖା ଯାଇଥିଲା । ଜଣେ ଯାତ୍ରୀ ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିବା ପରେ କପ୍‌କୁ ହଟାଇ ଦିଆ ଯାଇଥିଲା ବୋଲି ଜଣା ପଡ଼ିଛି । ତେବେ ବ୍ୟବହୃତ ହେଉଥିବା ଜିନିଷରେ ମୋଦୀଙ୍କ ଫଟୋ ଦେଖି ବିପକ୍ଷ ଦଳ ଥଟ୍ଟା କରିବା ଆରମ୍ଭ କରି ଦେଇଛି ।

ସୂଚନା ମୁତାବକ, ବିନ୍ଦି ତିଆରି କରୁଥିବା କମ୍ପାନୀ ପାରସ ଫ୍ୟାନ୍ସି ବିନ୍ଦି ନିଜ ବିନ୍ଦି ପ୍ୟାକେଟରେ ମୋଦୀଙ୍କ ସହ ଦଳର ଚିହ୍ନ ପଦ୍ମକୁ ପ୍ରିଣ୍ଟ କରି ବିକ୍ରି କରୁଥିବା ଦେଖା ଯାଇଛି । ପ୍ୟାକେଟରେ ‘ଫିର୍‌ ସେ ମୋଦି ସରକାର’ ମଧ୍ୟ ଲେଖା ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହାର ଫଟୋକୁ ସିପିଏମ୍‌ ସାଂସଦ ମହମ୍ମଦ ସଲିମ୍‌ ଟୁଇଟ୍‌ କରି, ‘ଏବେ ତା’ ହେଲେ ପେଟିଏମ୍‌ ଆମ୍ବାସାଡାର ପାରସ ଫ୍ୟୋନ୍ସି ବିନ୍ଦିର ଚେହେରା ବନି ଯାଇଛନ୍ତି’ ବୋଲି ଲେଖିଥିଲେ । ତାଙ୍କର ଏଭଳି ଟୁଇଟ୍‌ ପରେ ଲୋକେ ଏହାର ମଜା ନେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର