କଂଗ୍ରେସର ଚିନ୍ତା ଏବେ ବଢାଇଲେ ମାୟାବତୀ; ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ମନାକଲେ

ନୂଆଦିଲ୍ଲୀ: ଭୋଟ ଗଣତିକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଏକଜିଟ୍ ପୋଲ ରିପୋର୍ଟ  ଆସିସାରିଛି । ଆସନ୍ତା ୨୩ ତାରିଖରେ ୨୦୧୯ ନିର୍ବାଚନର ଫଳାଫଳ ବାହାରିବାକୁ ଥିବା ବେଳେ ଏକଜିଟ୍ ପୋଲର ଆକଳନ ଦେଶରେ ବଢାଇଛି ରାଜନୀତି । ଆଉ ଏକଜିଟ୍ ପୋଲର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ତେବେ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ ଯେଉଁ କମାଲ୍ କରିଥିଲା, ଲୋକସଭାରେ ତାହା ଫିକା ପଡିଥିବା ଏକଜିଟ୍ ପୋଲ୍ ଆକଳନ କହୁଛି । କଂଗ୍ରେସ ପାଖରେ ମୋଟ୍ ୧୧୪ ବିଧାୟକ ଥିବା ବେଳେ ବହୁମତ ପାଇଁ ୧୧୬ ଅଙ୍କ ଆବଶ୍ୟକ, ଯାହାକୁ ପୂରା କରିବା ପାଇଁ କଂଗ୍ରେସ ୨ ଜଣ ବହୁଜନ ସମାଜ ପାର୍ଟି ବିଧାୟକଙ୍କ ସମର୍ଥନ ଲୋଡିଥିଲା ।

ତେବେ କଂଗ୍ରେସର ଚିନ୍ତା ଏବେ ବଢାଇଦେଇଛନ୍ତି ବସପା ସୁପ୍ରିମୋ ମାୟାବତୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିବାକୁ ମନା କରି ଦେଇଛନ୍ତି ମାୟାବତୀ । ତେବେ ପୂର୍ବରୁ ଯାହା କୁହାଯାଉଥିଲା, ଏକଜିଟ୍ ପୋଲ୍ ରିପୋର୍ଟ ପରେ ସୋନିଆଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିପାରନ୍ତି ବିଏସପି ସୁପ୍ରିମୋ।

ନିର୍ବାଚନ ଫଳାଫଳ ପୂର୍ବରୁ ରାଜନୀତିକୁ ଆହୁରି ସରଗରମ କରିଦେଇଛି ଏକଜିଟ୍ ପୋଲ୍ । ତେବେ ଚର୍ଚ୍ଚା ହେଉଛି, କଂଗ୍ରେସ ଉପରେ ମାୟାବତୀ ନାରାଜ ହେବାର କାରଣ ହେଉଛି, ଗୁନା ଲୋକସଭା ଆସନରୁ ବସପା ଟିକେଟରେ ଲଢୁଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ନିଜ ଦଳରେ ସାମିଲ୍ କରିନେଇଛି । ତେବେ ରାଜନୀତି ମୈଦାନରେ କଂଗ୍ରେସ କିମ୍ବା ଗାନ୍ଧି ପରିବାରକୁ କେବେ ହେଲେ ସିଧାସଳଖ ଟାର୍ଗେଟ୍ କରିନାହାନ୍ତି ମାୟାବତୀ । ଆଉ ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କ’ଣ ରହିବ ବସପା ସୁପ୍ରିମୋଙ୍କ ଆଭିମୁଖ୍ୟ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧିତ ଖବର