ଏହା ଥିଲା ପ୍ରଥମ ପର୍ଯ୍ୟାୟର ବାର୍ତ୍ତା; ଦ୍ବିତୀୟ ପର୍ଯ୍ୟାୟରେ ଏହାର ପୁନରାବୃତ୍ତି ଘଟିବ କି ?

ଭୋଟ ବିଚାର/ ଶତ୍ରୁଜିତ

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ।  ଗତ ଏଗାର ତାରିଖରେ ଆମ ରାଜ୍ୟରେ ଅନୁଷ୍ଠିତ ପ୍ର୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅଧିକ ପରିମାଣର ଭୋଟ୍ ହାରକୁ ଦେଖିବା ପରେ ଅଧିକାଂଶ ପ୍ରମୁଖ ରାଜନୈତିକ ଦଳ ବେଶ୍ ଉତ୍ସାହିତ ହୋଇପଡ଼ିଥିବାବେଳେ ସମସ୍ତେ ନିଜ ପ୍ରାର୍ଥୀଙ୍କର ହିଁ ବିଜୟ ଘଟିଥିବା ଦାବି କରିଛନ୍ତି ।

ଅବଶ୍ୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇନଥିବାରୁ ଏଭଳି ଦାବି କରାଯିବା ସ୍ୱାଭାବିକ ଓ ଏଭଳି ଦାବିର କିଛି ଗୁରୁତ୍ୱ ନଥିବା ମଧ୍ୟ ସମସ୍ତେ ଜାଣନ୍ତି ।
ଏହି ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହି ଚାରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଠେଇଶଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହୋଇଥିବା ବେଳେ ପ୍ରାରମ୍ଭିକ ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ ହାରାହାରି ୭୩. ୭୬% ଭୋଟ ହୋଇଛି । ଭୋଟ୍ ହାର ଅଧିକ ହୋଇଥିବାରୁ ଯେଉଁମାନେ ଉତ୍ସାହିତ ହୋଇପଡ଼ିଛନ୍ତି, ସେମାନେ ମନେ ରଖିବା ଉଚିତ ଯେ, ୨୦୧୪ ମସିହା ନିର୍ବାଚନରେ ଏଠାରେ ୟା’ଠାରୁ କିଛିଟା ଅଧିକ (୭୩.୭୮%) ଭୋଟଦାନ ହୋଇଥିଲା । ତା’ ଅର୍ଥ କ’ଣ ୨୦୧୪ ନିର୍ବାଚନର ଫଳାଫଳ ଏଥର ପୁନରାବୃତ୍ତି ଘଟିବ?

ଦିନ ଥିଲା, ଯେବେ ଅଧିକ ଭୋଟ ହେଉଥିଲା, ସେଥର ଶାସକ ଦଳ ବଦଳିଯିବାର ସଙ୍କେତ ବୋଲି ଧରା ଯାଉଥିଲା । ତାହା ମଧ୍ୟ ସାବ୍ୟସ୍ତ ହେଉଥିଲା । କାରଣ ଲୋକେ ଶାସକ ଦଳ ଉପରେ ମାତ୍ରାଧିକ ଅସନ୍ତୁଷ୍ଟ ହେଲେ, ଅଧିକ ସଂଖ୍ୟାରେ ଭୋଟ ଦେଇ ସରକାର ବଦଳାଇ ଦେଉଥିଲେ । କିନ୍ତୁ ଏ ଢାଞ୍ଚା କେବେଠାରୁ ବଦଳି ଗଲାଣି । ଏହାର ମୁଖ୍ୟ କାରଣ ହେଲା, ଭୋଟଦାନ ପାଇଁ ସଚେତନତା ବୃଦ୍ଧି ପାଇଛି । ନିର୍ବାଚନ କମିଶନଙ୍କଠାରୁ ଆରମ୍ଭ କରି ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଆଦି ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ଫଳରେ ଲୋକେ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଯାଉଛନ୍ତି ।

Hindustan Times

ତେବେ ଦୁର୍ଭାଗ୍ୟର କଥା ହେଲା, ସହରାଞ୍ଚଳର ଶିକ୍ଷିତ ଭୋଟରଙ୍କ ମଧ୍ୟରେ ଭୋଟଦାନ ନେଇ କେବେ ବି ଆଗ୍ରହ ନଥିଲା କି ଏବେ ବି ନାହିଁ । ସହରାଞ୍ଚଳର ଉଚ୍ଚଶିକ୍ଷିତ ଭୋଟର ସବୁବେଳେ ଅଧିକ ରାଜନୀତି ଚର୍ଚ୍ଚା କରନ୍ତି । ଶାସକ ଦଳ ବିରୋଧରେ ବେଶି କୁହନ୍ତି । ଏଥର ନିଶ୍ଚୟ ସରକାର ବଦଳିଯିବ ବୋଲି ଦାବି କରନ୍ତି । କିନ୍ତୁ ଫଳାଫଳ ଘୋଷଣା ପରେ ନିରାଶ ହୁଅନ୍ତି । ଏହାର ମୁଖ୍ୟ କାରଣ ହେଲା, ଯେଉଁ ଉଚ୍ଚଶିକ୍ଷିତମାନେ ସରକାରଙ୍କ ବିରୋଧରେ ବେଶି କୁହନ୍ତି, ସେମାନେ ଭୋଟ ଦେବାକୁ ଯାଆନ୍ତି ନାହିଁ । ବରଂ ଯୁକ୍ତି କରନ୍ତି ଯେ, କୌଣସି ବି ଦଳରେ ସେମାନେ ଯୋଗ୍ୟ ପ୍ରାର୍ଥୀଙ୍କୁ ପାଇଲେ ନାହିଁ । ଅନ୍ୟପକ୍ଷରେ ସାଧାରଣ ଭୋଟରମାନେ ସବୁବେଳେ ସରକାରୀ କଳ ଦ୍ୱାରା ଉପକୃତ ହୋଇଥାଆନ୍ତି ଓ ଭୋଟ ଦେବାବେଳେ ଏହାର ପରିପ୍ରକାଶ ଘଟେ ।

ଏଥର ପ୍ରଥମ ପର୍ଯ୍ୟାୟର ଭୋଟହାରକୁ ଦେଖାଯାଉ । ଲୋକସଭା ପାଇଁ ସବୁଠୁ ଅଧିକ ଭୋଟ (ସଂଖ୍ୟାରେ ନୁହେଁ, ହାରାହାରିରେ) ନବରଙ୍ଗପୁର ଆସନ (୭୮. ୮୯%)ରେ ମିଳିଥିବା ବେଳେ ସବୁଠୁ କମ୍ ଭୋଟ ବ୍ରହ୍ମପୁର ଆସନ (୬୫. ୫୭%) ପାଇଁ ମିଳିଛି । ୨୦୧୪ ମସିହାର ନିର୍ବାଚନରେ ମଧ୍ୟ ନବରଙ୍ଗପୁର ଆସନ (୭୮. ୮୦%) ଓ ବ୍ରହ୍ମପୁର ଆସନ (୬୭. ୯୦%) ପାଇଁ ଯଥାକ୍ରମେ ସବୁଠାରୁ ଅଧିକ ଓ ସବୁଠାରୁ କମ୍ ଭୋଟ ମିଳିଥିଲା ।

ଅନ୍ୟପକ୍ଷରେ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ଭୋଟ ହୋଇଥିବା ଅଠେଇଶଟି ବିଧାନସଭା ଆସନ ମଧ୍ୟରୁ ସର୍ବାଧିକ ଭୋଟ ହୋଇଥିବା ପାଞ୍ଚଟି ଆସନ ହେଲା ଯଥାକ୍ରମେ; କୋଟପାଡ଼ (୮୬. ୮୩%), ଡାବୁଗାଁ (୮୩.୧୯%), ଝରିଗାଁ (୮୨.୭୯%), ନବରଙ୍ଗପୁର (୮୧.୫୨ %) ଏବଂ ନର୍ଲା (୮୦. ୧୯%) । ଏଥିମଧ୍ୟରୁ ୨୦୧୪ ମସିହା ନିର୍ବାଚନରେ ଡାବୁଗାଁ (୮୪.୮୦%), ନବରଙ୍ଗପୁର (୮୧.୮୩ %), କୋଟପାଡ଼ (୮୧.୮୦%) ଏବଂ ଝରିଗାଁ (୮୦.୨୯%) ଭୋଟହାରରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ପଞ୍ଚମ ସ୍ଥାନରେ ଥିଲେ । ୨୦୧୪ ମସିହାରେ ବିଷମ କଟକ (୮୦. ୪୭%) ଚତୁର୍ଥ ସ୍ଥାନରେ ଥିଲା । ଏଥର ଏଠାରେ ୭୯. ୧୧% ଭୋଟ ହୋଇଛି । ଉପରୋକ୍ତ ଆସନଗୁଡ଼ିକୁ ତଥାକଥିତ ସହରାଞ୍ଚଳ ବୋଲି କୁହାଯିବ ନାହିଁ । କିନ୍ତୁ ଅଠେଇଶଟି ଆସନ ମଧ୍ୟରୁ ଯିଏ ସବୁଠୁ ବଡ଼ ସହରାଞ୍ଚଳ , ସେହି ବ୍ରହ୍ମପୁର (ଏହା ଏକ ମହାନଗର) ବିଧାନସଭା ଆସନରେ ୨୦୧୪ ମସିହା (୬୨. ୨୮) ଏବଂ ଚଳିତ ବର୍ଷ (୫୬. ୩୪%) ସବୁଠାରୁ କମ୍ ଭୋଟ ଦାନ ହୋଇଛି । ଏଥର ପୁଣି ଗତଥରଠାରୁ ବି କମ୍ ଭୋଟଦାନ କରାଯାଇଛି ।

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଓ  ଆଗକୁ ଆହୁରି ଦୁଇଟି ପର୍ଯ୍ୟାୟରେ ଭୋଟ ହେବ । ଏହି ତିନି ପର୍ଯ୍ୟାୟରେ ଅପେକ୍ଷାକୃତ ଅଧିକ ସହରାଞ୍ଚଳ ରହିଛି । ଦେଖାଯାଉ, ସେସବୁ ଅଞ୍ଚଳରେ ଭୋଟ ଦାନ ହାର କେତେ ରହୁଛି! ତେବେ ପ୍ରାର୍ଥୀ ବା ଦଳ ପସନ୍ଦ ନୁହେଁ ବୋଲି ଦର୍ଶାଇ ଭୋଟ ଦାରୁ ବିରତ ରହିବା ନିଶ୍ଚିତ ରୂପେ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବରଂ ଦଳୀୟ ଆଧାରରେ ଭୋଟ ନଦେଇ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ସେ ସବୁଠାରୁ ଭଲ ବୋଲି ଭାବୁଛନ୍ତି, ତାଙ୍କୁ ଭୋଟ ଦିଆଯାଇପାରେ । କିଛି ନକରିବା ଅପେକ୍ଷା କିଛି କରିବା ସବୁବେଳେ ବୁଦ୍ଧିମାନର ପରିଚୟ ।

-ସି. ଏଲ୍. ୨୧, ବୀର ସୁରେନ୍ଦ୍ର ସାଏ ନଗର, ଭୁବନେଶ୍ୱର
ମୋ: ୯୮୬୧୫୫୦୭୬୧

ସମ୍ବନ୍ଧିତ ଖବର