ଆରମ୍ଭ ହେଲା ‘ମୋ ସରକାର’: ୯ ଜଣଙ୍କ ସହ କଥା ହେଲା ପରେ ନବୀନ କହିଲେ, ‘ଉତ୍ତର’ ସନ୍ତୋଷଜନକ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବୁଧବାର ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆଜି ୯ ଜଣ ଲୋକଙ୍କ ସହ କଥା ହୋଇଛି ଏବଂ ସମସ୍ତେ ଅତି ସନ୍ତୋଷଜନକ ଭାବେ ଉତ୍ତର ଦେଇଛନ୍ତି। ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ଯାଇ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ସହିଦ ନଗର ଥାନାକୁ ଆସି ସେଠାରେ ମଧ୍ୟ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଥାନା ଓ ଡାକ୍ତରଖାନାକୁ ଆସୁଥିବା ଜନସାଧାରଣ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯିବ। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଏହି ଦୁଇ ସ୍ଥାନରେ କିଭଳି ସେବା ମିଳୁଛି ତାହା ଜନସାଧାରଣଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇ ଯୋଜନାର କାର୍ଯ୍ୟକାରୀତାର ସମୀକ୍ଷା କରିବେ।  ଏଣିକି ମେଡିକାଲକୁ ଆସୁଥିବା ପ୍ରତି ରୋଗୀଙ୍କ ନମ୍ବର ପଞ୍ଜୀକରଣ ହେବ। ‘ମୋ ସରକାର’ ପୋର୍ଟାଲରୁ ଏହି ନମ୍ବରକୁ ଏସ୍‌ଏମ୍‌ଏସ୍‌ ଆସିବ। ଟୋଲ୍‌ ଫ୍ରି ନମ୍ବର (୧୪୫୪୫)କୁ କଲ୍‌ କରି ବି ପଞ୍ଜୀକରଣ କରିହେବ।

କ୍ୟାପିଟାଲ ହସ୍‌ପିଟାଲ ପରିସରରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଡାକ୍ତରଖାନା ଓ ପୁଲିସ ଷ୍ଟେସନରେ ମିଳୁଥିବା ସେବାକୁ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କୁ ଠିକ୍‌ ସମୟରେ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି। ଡାକ୍ତରଖାନା ଓ ପୁଲିସ ଷ୍ଟେସନରେ ସେବା କେମିତି ମିଳୁଛି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରି ବୁଝିବେ।

ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡାକ୍ତରଖାନା ଓ ଥାନା ମାଧ୍ୟମରେ ଲୋକଙ୍କର ସମସ୍ୟାକୁ କିଭଳି ସମାଧାନ କରାଯାଇ ପାରିବ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ନବୀନ ରାଜ୍ୟର ସବୁ ଜିଲ୍ଲାର ସିଡିଏମ୍‌ଓ (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ) ଓ ଥାନା ଅଧିକାରୀଙ୍କ ବିଭାଗର ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ କଥାବାର୍ତ୍ତା ହୋଇଥିଲେ।

ସିଡିଏମ୍‌ଓଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ପୂର୍ବରୁ ନବୀନ କହିଥିଲେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମକୁ ଅପୂର୍ବ ସଫଳତା ମିଳିଛି। ମ୍ୟାଲେରିଆ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଆମକୁ ଉଲ୍ଲେଖଯୋଗ୍ୟ ସଫଳତା ମିଳିପାରିଛି। ଲୋକଙ୍କର ସୁବିଧା ପାଇଁ ଭିତ୍ତିଭୂମି, ବଜେଟ, ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି। ସେହିପରି ଲୋକଙ୍କର ମଙ୍ଗଳ ପାଇଁ କାମ କରାଯାଉଛି। ନବୀନ କହିଥିଲେ, କିଛି ସ୍ଥାନରେ ସ୍ୱାସ୍ଥ୍ୟ ସେବାରେ ବାଧା ଉପୁଜୁଛି। କିଛି ଲୋକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି। ଏଭଳି ସ୍ଥାନରେ ସେଠାରେ ମୁତୟନ ଥିବା ପୁଲିସ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।

ସମ୍ବନ୍ଧିତ ଖବର