ଉଡ଼ିବାର ସ୍ୱପ୍ନ ଦେଖିଥିବା ଚା’ ବିକାଳୀଙ୍କ ଝିଅକୁ ବାୟୁସେନାରେ ମିଳିଲା ଚାକିରି, ୬ ଲକ୍ଷରୁ ଊର୍ଧ୍ୱ ପରୀକ୍ଷାର୍ଥୀଙ୍କ ଭିତରୁ ୨୨ ମନୋନୀତ

ଭୋପାଳ: ସେ ଜଣେ ଚା’ ବିକଳୀଙ୍କ ଝିଅ। ମାତ୍ର ଜଣେ ଚା’ ବିକାଳୀ ବାପର ଦାରିଦ୍ର୍ୟ ବାଧା ସାଜିପାରିନି ଆଞ୍ଚଲ ଅଗ୍ରଓ୍ଵାଲା(୨୪)ଙ୍କ ସ୍ୱପ୍ନର। ମଧ୍ୟପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର ନିମୁଚ ଜିଲ୍ଲାର ଝିଅ ଆଞ୍ଚଲ ଇଣ୍ଡିଆନ ଏୟାର୍‌ ଫୋର୍ସ(ଆଇଏଏଫ୍‌)ର ଫ୍ଲାଇଂ ବ୍ରାଞ୍ଚରେ ମନୋନୀତ ହୋଇଛନ୍ତି। ଆଞ୍ଚଲ ପିଲାଟି ଦିନରୁ ଭାରତୀୟ ବାୟୁସେନାରେ ଯୋଗ ଦେବା ପାଇଁ ସ୍ୱପ୍ନ ଦେଖି ଆସୁଥିଲେ। ଆଞ୍ଚଲ କହିଛନ୍ତି କି ‘ମୁଁ ଯେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲି ସେତେବେଳେ ଉତ୍ତରଖଣ୍ଡରେ ବନ୍ୟା ହୋଇଥିଲା। ବନ୍ୟା ପ୍ରଭାବିତ ଲୋକଙ୍କୁ ବାୟୁସେନା ଯେଉଁ ଭଳି ଭାବେ ସାହାଯ୍ୟ କରୁଥିଲେ ତାହା ଦେଖି ମୁଁ ପ୍ରେରିତ ହୋଇଥିଲି। ସେତେବେଳେ ମୁଁ  ବାୟୁସେନାରେ ଯୋଗ ଦେବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି।’

ପାଞ୍ଚ ଫୁଟ୍‌ ସାତ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଆଞ୍ଚଲ ନିମୁଚ୍‌ଠାରେ ଥିବା ତାଙ୍କ ସ୍କୁଲ୍‌ ଏ ପ୍ରଡକ୍ଟ ଅଫ୍‌ ମେଟ୍ରୋ ଏଚ୍‌ ଏସ୍‌ ସ୍କୁଲ୍‌ରେ କ୍ୟାପଟେନ୍‌ ଥିଲେ। ସେ ତାଙ୍କ ଶ୍ରେଣୀରେ ଟପ୍ପର ବି ହଉଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଛାତ୍ର ବୃତ୍ତି ପାଇ ଉଜ୍ଜୟିନୀର ବିକ୍ରମ ୟୁନିଭରସିଟିରେ ନାମ ଲେଖିବାର ସୁଯୋଗ ପାଇଲେ। ସେଠାରେ ସେ ବାସ୍କେଟ୍‌ ବଲ୍‌ ଓ ଦୌଡ଼ ପ୍ରତିଯୋଗିତାରେ ଖୁବ୍‌ ଭଲ କରୁଥିଲେ। ତାଙ୍କ କହିବା କଥା ହେଲା ସେ ଦେଖିଥିବା ସ୍ପପ୍ନ ଦିନେ ନିଶ୍ଚୟ ପୂରା ହେବ ବୋଲି ତାଙ୍କର ବିଶ୍ୱାସ ଥିଲା।

ପରେ ତାଙ୍କ ପରିବାରର ଆର୍ଥିକ ସମସ୍ୟା ହେତୁ ସେ ଚାକିରି ଖୋଜିବାରେ ଲାଗିପଡ଼ି ବିଭିନ୍ନ ପ୍ରକାର ପରୀକ୍ଷା ଦେଲେ। ସେ ପୁଲିସ୍‌ ସବ୍‌-ଇନ୍‌ସ୍ପେକ୍ଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣରେ ବି ଯୋଗ ଦେଲେ। ମାତ୍ର ସେ ଅନୁଭବ କଲେ ଯେ ପୁଲିସ୍‌ ପ୍ରଶିକ୍ଷଣ ସମୟର ବ୍ୟସ୍ତତା ଭିତରେ ସେ ତାଙ୍କ ସ୍ୱପ୍ନଠୁ ଦୂରେଇ ଯାଉଛନ୍ତି। ମାତ୍ର ସୌଭାଗ୍ୟକୁ ଲେବର୍‌ ଇନ୍‌ସ୍ପେକ୍ଟର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ। ସେଠାରେ ଟିକେ ସମୟ ପାଇବାରୁ ସେ ନିଜ ସ୍ପପ୍ନ ପୂରା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିଲେ।

ସେ କହିଛନ୍ତି କି ବାୟୁସେନାର ପ୍ରବେଶ ପରୀକ୍ଷା ଆଦୌ ବି ସହଜ ନ ଥିଲା। ଗୋଟାଏ ବର୍ଷ ଭିତରେ ସେ ୫ ଥର ବୋର୍ଡ ସାକ୍ଷାତକାର ସାମ୍ନା କରିଛନ୍ତି। ଷଷ୍ଠ ଥରରେ ଯାଇ ତାଙ୍କୁ ସଫଳତା ମିଳିଲା। ଜୁନ୍‌ ୭ରେ ପରୀକ୍ଷା ଫଳାଫଳ ବାହାରିବା ପରେ ଯାଇ ଜଣା ପଡ଼ିଲା ଯେ ଦେଶରେ ଥିବା ମାତ୍ର ୨୨ ଟି ସିଟ୍‌ ରୁ ଗୋଟାଏ ସେ ହାତେଇ ପାରିଛନ୍ତି। ୨୨ଜଣଙ୍କ ମଧ୍ୟରୁ ୫ ଜଣ ଝିଅ ଅଛନ୍ତି। ସମୁଦାୟ ୬ ଲକ୍ଷରୁ ଊର୍ଧ୍ୱ ଛାତ୍ର ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର