ନବୀନଙ୍କ ହାଇଟେକ୍‌ ପ୍ରଚାର: କର୍ମୀଙ୍କ ଉତ୍ସାହ ବଢ଼ାଇଲା, ଭୋଟରଙ୍କ ମନ ମୋହିଲା

ବ୍ରହ୍ମପୁର: ନିର୍ବାଚନ ପାଖେଇ ଆସିବାକୁ ବିଭିନ୍ନ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ଦଳୀୟ ନେତାମାନେ ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ନିର୍ବାଚନ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକ ନିଆରା ଢଙ୍ଗରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଏପ୍ରିଲରେ ୧୧ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ମୁଖିଆ ନବୀନ ଏହି ଅଞ୍ଚଳର ଲୋକମାନଙ୍କ ସହ ଘନିଷ୍ଠ ହେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ସେ ଆଜି କନିଷିରୁ ଏକ ଅତ୍ୟାଧୁନିକ ବସ୍‌ ଯୋଗେ ରୋଡ୍‌ ସୋ’ ଆରମ୍ଭ କରି ଦଳ ପାଇଁ ହାଇଟେକ୍‌ ଶୈଳୀରେ ପ୍ରଚାର କରିଛନ୍ତି। ଏହି ବସରେ ଭାଷଣ ଦେବା ଲାଗି ମାଇକ ବ୍ୟବସ୍ଥା ଥିବା ସହ ଆଲୋକ ବ୍ୟବସ୍ଥା ମଧ୍ୟ ରହିଛି। ଏହାର ବଡ଼ ବଡ଼ କାଚ ଝରକା ଥିବାରୁ ନବୀନଙ୍କୁ ଲୋକେ ସ୍ପଷ୍ଟ ଭାବେ ଦେଖି ପାରୁଛନ୍ତି।

ନବୀନ ଯାତ୍ରା କରୁଥିବା ଏହି ଆରାମଦାୟକ ବସ୍‌ରେ ସବୁ ପ୍ରକାରର ବନ୍ଦୋବସ୍ତ ରହିଛି। ନବୀନ ଏହି ରୋଡ୍‌ ସୋ’ ସୋ ସମୟରେ ବାଟରେ ଜମା ହୋଇଥିବା ଜନତାଙ୍କୁ ବସ ଉପରୁ ଅଭିଭାଷଣ ଦେଉଛନ୍ତି। ବସରେ ଲାଗିଥିବା  ହାଇଡ୍ରୋଲିକ୍‌ ଲିଫ୍ଟ ସାହାଯ୍ୟରେ ଉପରକୁ ଉଠି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବସ ଛାତ ଉପରୁ ହାତ ହଲାଇ ଲୋକଙ୍କୁ ସମ୍ବୋଧନ କରି ଭାଷଣ ଦେଇଛନ୍ତି।

ନବୀନଙ୍କର ଏପରି ନିଆରା ପ୍ରଚାର ଶୈଳୀ ଲୋକଙ୍କ ଭିତରେ ଉତ୍ସୁକତା ସୃଷ୍ଟି କରିଛି। ପୂର୍ବରୁ ଜାତୀୟ ସ୍ତରରେ ହେଉଥିବା ଏହି ପ୍ରଚାର ଶୈଳୀକୁ ନବୀନ ଆମ ରାଜ୍ୟରେ ଆରମ୍ଭ କରି ଲୋକପ୍ରିୟତା ସାଉଁଟିବାରେ ଲାଗିପଡ଼ିଛନ୍ତି। ପୂର୍ବରୁ କେବଳ ହେଲିକପ୍ଟର ଜରିଆରେ ବିଭିନ୍ନ ସ୍ଥାନକୁ ଯାଇ କୌଣସି ପଡ଼ିଆରେ ଭାଷଣ ଦେଉଥିବା ନବୀନଙ୍କୁ ପ୍ରଥମ ଥର ପାଇଁ ଲୋକେ ଏପରି ଅବତାରରେ ଦେଖିବାକୁ ପାଇଛନ୍ତି।

ପ୍ରଚାର ସମୟରେ ନବୀନ ‘କାଳିଆ ଯୋଜନା’ ସଂପର୍କରେ କହିଛନ୍ତି। ସେ ଏହି ଯୋଜନାକୁ ଚାଷୀଙ୍କ ଅଧିକାର ବୋଲି କହିଛନ୍ତି। ତାଙ୍କର ଏହି ଯୋଜନାରେ ୪ ଲକ୍ଷ ଚାଷୀ ଉପକୃତ ହୋଇଥିବା ସେ ଦାବି କରିଛନ୍ତି। ସଢ଼େ ୪ କୋଟି ଓଡ଼ିଆଙ୍କୁ ସେ ତାଙ୍କ ପରିବାର ବୋଲି କହିଛନ୍ତି। ନବୀନଙ୍କ ଏହି ରୋଡ୍‌ ସୋ’ରେ ହଜାର ହଜାର ବିଜେଡି କର୍ମୀ ସାମିଲ୍‌ ହୋଇଥିଲେ।

 

ସମ୍ବନ୍ଧିତ ଖବର