ମାଗଣାରେ ଉଚ୍ଚଶିକ୍ଷାରୁ ଆରମ୍ଭ କରି ବିବାହ ଲାଗି ଆର୍ଥିକ ସହାୟତା ପର୍ଯ୍ୟନ୍ତ ମହିଳାଙ୍କ ବିକାଶ ଲାଗି ବହୁ ଯୋଜନାର ଘୋଷଣା କଲେ ନବୀନ

ନୂଆପଡା: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟ ଲାଗି ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ସେ କୋମନାଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ରୋଡ ସୋ’ କରିଛନ୍ତି।

କୋମନା ନିର୍ବାଚନ ସଭାରେ ନବୀନ ଆଜି ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ ବିଜେଡ଼ି ସରକାର ଅମଳରେ ମହିଳାମାନଙ୍କୁ ମିଳିଥିବା ସାହାଯ୍ୟ ଓ ସୁବିଧା ସୁଯୋଗ ସଂପର୍କରେ ସୂଚନା ଦେବା ସହ ତାଙ୍କ ସରକାର ପୁଣିଥରେ ଆସିଲେ କ’ଣ କରିବ ତାହା ପ୍ରକାଶ କରିଛନ୍ତି।

ବିଜେଡ଼ି ସୁପ୍ରିମୋ ତାଙ୍କ ଭାଷଣରେ କହିଥିଲେ, ମା’ମାନେ ହିିଁ ପ୍ରକୃତରେ ବିକାଶେ ଡବଲ୍‌ ଇଂଜିନ୍‌। ଏଥିସହ ତାଙ୍କ ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁବିଧା ଲାଗି ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯିବ। ରାଜ୍ୟର ଏସ୍‌ଏସ୍‌ଜିଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିସହ ସେ ଗରିବ ଝିଅଙ୍କୁ ମାଗଣାରେ କେଜିରୁ ପିଜି ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ଯୋଗାଇ ଦିଆଯିବ। ମିସନ୍‌ ଶକ୍ତିର ମା’ମାନଙ୍କୁ ବାର୍ଷିକ ୫୦୦୦ କୋଟିର ସରକାରୀ କାମ ଦିଆଯିବ। ମୋଟାମୋଟି ମହିଳାଙ୍କ ବିକାଶ କ୍ଷେତ୍ରରେ ତାଙ୍କ ସରକାର ଆଉ ଥରେ ଆସିଲେ କ’ଣ କରାଯିବ ତାହା ଘୋଷଣା କରିଥିଲେ।

ଏଥି ସହ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନ ଥିଲେ। ସେ ପ୍ରଶ୍ନ କରିଥିଲେ, କୁଆଡେ ଗଲା ସବୁ ଚାଷ ଜମିକୁ ଜଳସେଚନର ପ୍ରତିଶ୍ରୁତି। କାହିଁକି କେବିକେ ଯୋଜନାରେ ଅର୍ଥ ବନ୍ଦ କରାଗଲା? ଏଥିସହ ସେ ବନ୍ୟା,ବାତ୍ୟା ଓ ମରୁଡ଼ି ସମୟରେ ଦେଖା ମିଳୁନଥିବା ନେତାମାନେ ଏବେ ଭୋଟ ମାଗିବାକୁ ଆସୁଥିବାରୁ ସେମାନଙ୍କୁ କଟାକ୍ଷ କରିଥିଲେ। ବିଜେଡି ସୁପ୍ରିମୋ ଏକଥା ମଧ୍ୟ କହିଥିଲେ ଯେ ତାଙ୍କ ସରକାର ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ।

ଏହାପରେ ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଢେଲକାଟିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।

ନବୀନ ତାଙ୍କର ଭାଷଣ ଆରମ୍ଭରେ ଉପସ୍ଥିତ ଜନତାଙ୍କୁ ଖରାରେ ଏତେ ସଂଖ୍ୟାରେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର