ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ବରଗଡ଼: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ  ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଚଳିତ ଥର ବିଜେଡି ସୁପ୍ରିମୋ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି । ନବୀନଙ୍କ ଗଡ଼ କୁହାଯାଉଥିବା ହିଞ୍ଜିଳି ସହ ବିଜେପୁରରୁ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି ।

ଗତ ୨୦ ତାରିଖରେ ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ନବୀନ ପଟ୍ଟନାୟକ ଆଉ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ଉଭୟ ହିଞ୍ଜିଳି ଏବଂ ବିଜେପୁର ନିର୍ବଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଏହି ଦୁଇଟି ଆସନରେ ଏପ୍ରିଲ ୧୮ ତାରିଖରେ ହେବ ମତଦାନ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପରେ ଚଳଚଂଚଳ ହୋଇ ଉଠିଛି ରାଜ୍ୟ ରାଜନୀତି ।

ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ବିଜେଡିର ବରିଷ୍ଟ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂହ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ମଲ୍ଲିକ, ଦେବସ ଆଚାର୍ଯ୍ୟ, ରୋହିତ ପୂଜାରୀ ଓ ରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର