‘ହୋସଲା-୨୦୧୮’ରେ ସଫଳତା ଆଣିଥିବା ଓଡ଼ିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ଅର୍ଥ ପୁରସ୍କାର ସହ ବିଶ୍ୱକପ୍ ହକି ଦେଖିବାକୁ ଆମନ୍ତ୍ରଣ

ଭୁବନେଶ୍ବର: ଜାତୀୟସ୍ତରୀୟ ପ୍ରତିଯୋଗିତା  ‘ହୋସଲା-୨୦୧୮’ରେ ସଫଳତା ଆଣିଥିବା ଓଡ଼ିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଉପହାର । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସହ କଳିଙ୍ଗ ଷ୍ଟାଡ଼ିୟରେ ହେଉଥିବା ବିଶ୍ୱକପ୍ ହକି ଦେଖିବାକୁ ଉଭୟ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରତିଯୋଗିତାରେ ବିଜେତା ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୫୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୩୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଥିବା ପିଲାମାନଙ୍କୁ ୨୦ ହଜାର ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ନଭେମ୍ବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜନ ହୋଇଥିଲା  ଜାତୀୟସ୍ତରର ପ୍ରତିଯୋଗିତା ହୋସଲା-୨୦୧୮ । ତେବେ ଏହି ପ୍ରତିଯୋଗିତା ଏକ ଆନ୍ତଃ ଶିଶୁ ସେବା ଅନୁଷ୍ଠାନ ପ୍ରତିଯୋଗିତାର ଉତ୍ସବ ଭାବେ ପାଳନ କରାଯାଏ । ଏଥିରେ ଓଡ଼ିଶାରୁ ୧୮ ବର୍ଷରୁ କମ୍ ବୟସର ୩୭ ଜଣ ପିଲା ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ଫୁଟବଲ, ଚେସ୍, ଆଥଲେଟିକ୍ସ, ଚିତ୍ରାଙ୍କନ, ତର୍କ ଓ ମଡ଼େଲ ନିର୍ମାଣ ଆଦି ପ୍ରତିଯୋଗିତାରେ ଭାଗ ନେଇ ୧୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୧୮ଟି ରାଜ୍ୟ ଭାଗ ନେଇଥିଲେ । ଏଥି ମଧ୍ୟରୁ ଓଡ଼ିଶାର ପ୍ରଦର୍ଶନ ଅନ୍ୟରାଜ୍ୟ ତୁଳନାରେ ସର୍ବଶ୍ରେଷ୍ଠ ଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଆ ପୁଅ-ଝିଅ କମାଲ କରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ହକି ବିଶ୍ୱକପ୍ ଦେଖିବାକୁ ଆମନ୍ତ୍ରଣ କରିଛନ୍ତି ।

ସମ୍ବନ୍ଧିତ ଖବର