୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ଜନସଭା ଓ ରୋଡ ସୋ’ : ମୋଦୀ ସରକାରଙ୍କୁ କଡା ସମାଲୋଚନା ଜାରି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରି ରଖିଛନ୍ତି ପ୍ରଚାର ଅଭିଯାନ। ଆଜି ସେ ଚିଲିକା, ରଣପୁର,ବ୍ରହ୍ମଗିରି, ପୁରୀ, ସତ୍ୟବାଦୀ  ଓ ପିପିଲି ଆଦି ୬ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ବିଜେଡି ସୁପ୍ରିମେୋ ଚିଲିକା ଓ ରଣପୁରରେ ନିର୍ବାଚନୀ ସଭା କରିଥିବା ବେଳେ ବ୍ରହ୍ମଗିରି, ପୁରୀ, ସତ୍ୟବାଦୀ ଓ ପିପିଲିରେ ରୋଡ ସୋ’ କରୁଥିବା ସୂଚନା ରହିଛି। ନବୀନ ଶୁକ୍ରବାର ସକାଳେ ଚିଲିକାର ବାଣପୁର ଓ ପରେ ରଣପୁରରେ ନିର୍ବାଚନୀ ସଭା କରିବା ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି ଓ ସାତପଡ଼ାରେ ରୋଡ ସୋ’ କରିଛନ୍ତି। 

ରଣପୁର ନିର୍ବାଚନୀ ସଭାରେ ବିଜେପି ଉପରେ ବର୍ଷିଛନ୍ତି  ବିଜେଡ଼ି ସଭାପତି । ନିର୍ବାଚନ ହେଲେ ବିଜେପିର ଶୀର୍ଷ ନେତାମାନେ ଓଡ଼ିଶା ଆସୁଛନ୍ତି। ଫାଇଲିନ୍, ହୁଡ଼ହୁଡ଼, ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କର ଦେଖା ନ ଥିଲା । ଏବେ ନିର୍ବାଚନ ସମୟରେ ଭୋଟ ମାଗୁଛନ୍ତି । ଭୋଟ ପାଇଁ ଲୋକଙ୍କ ସାମ୍ନାରେ କାକୁତିମିନତି ହେଉଛନ୍ତି । ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା । ସେମାନଙ୍କ ପାଇଁ ମିଛ ହିଁ ତାଙ୍କ ଦଳ ପାଇଁ ବଡ଼ ପୁଞ୍ଜି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତାଙ୍କ ଆଶୀର୍ବାଦ ହିଁ ମୋ ପାଇଁ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ସଭାରେ କହିଛନ୍ତି, ପୁରା ଓଡ଼ିଶାବାସୀ ମୋର ପରିବାର । ମୁଁ ସବୁବେଳେ ଜନତାଙ୍କ ସହ ଅଛି । ଏହା ବ୍ୟବ୍ୟତୀ କାଳିଆ ଯୋଜନା ବିଷୟରେ ମଧ୍ୟ ରଣପୁର ନିର୍ବାଚନୀ ସଭାରେ ବଖାଣିଛନ୍ତି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କ ଉପକୃତ ହେଲେଣି । କେନ୍ଦ୍ର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି ।

ଚିଲିକାରେ ଜନସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଚିଲିକାକୁ କେନ୍ଦ୍ର ବିକି ଦେବାକୁ ଉଦ୍ୟମ କରୁଥିଲା । କିନ୍ତୁ ଏହି ଚକ୍ରାନ୍ତକୁ ଅଟକାଇଛି ବିଜେଡି । ମତ୍ସଜୀବୀଙ୍କ ଦାନାରେ ଧୂଳି ଦେବାକୁ ବସିଥିଲେ । ଚିଲିକା ହେଉଛି ଆମର ମା । ଓଡିଶାର ଗୌରବ । ସେ ଥିବା ପର୍ଯ୍ୟନ୍ତ ଚିଲିକାରେ କ୍ଷତି ଦେବାକୁ ଦେବେନାହିଁ । ଆପଣଙ୍କ ସହିତ ମୁଁ ସବୁବେଳେ ଅଛି ବୋଲି କହିଛନ୍ତି ନବୀନ ।

ସମ୍ବନ୍ଧିତ ଖବର