ନିତି ଆୟୋଗ ହେଲଥ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାର ଖରାପ ପ୍ରଦର୍ଶନ ନେଇ ମତ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ: ଖୁବ୍‌ ଶୀଘ୍ର ଘୋଷଣା ହେବ ନୂତନ ସ୍ୱାସ୍ଥ୍ୟ ନୀତି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆହୁରିଏକ ପାହାଚ ତଳକୁ ଖସି ଆସିଛି। ଏହା ନିତି ଆୟୋଗର ହେଲ୍‌ଥ ଇଣ୍ଡେକ୍ସ ଦ୍ୱିତୀୟ ରିପୋର୍ଟରୁ ଜଣାଯାଇଛି। ଦେଶର ୨୧ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୯କୁ ଖସି ଆସିଛି। ପ୍ରଥମ ରିପୋର୍ଟର୍ରେ ଓଡ଼ିଶାର ସ୍ଥାନ ୧୮ ଥିଲା। ଓଡ଼ିଶା ପଛକୁ ବିହାର ଏବଂ ଉତ୍ତର ପ୍ରଦେଶ ରହିଛନ୍ତି।

ନିତି ଆୟୋଗର ଦ୍ୱିତୀୟ ହେଲ୍‌ଥ ଇଣ୍ଡେକ୍ସ ରିପୋର୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଏହି ରିପୋର୍ଟରେ ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାମଗ୍ରିକ ବିକାଶ ଏବଂ ତୁଳନାତ୍ମକ ଅଭିବୃଦ୍ଧିର ଅନୁଧ୍ୟାନ କରାଯାଇଥିଲା। ଏଥିରେ ନୀତି ପ୍ରଣୟନ ଓ ପ୍ରଶାସନିକ ପ୍ରଚେଷ୍ଟାର ପ୍ରଭାବ ବିଚାରକୁ ନିଆଯାଇଥିଲା। ବିଶ୍ୱବ୍ୟାଙ୍କର ବୈଷୟିକ ସହାୟତାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସହଯୋଗରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ଏ ସଂପର୍କରେ ‘ସମ୍ବାଦ ଡଟ୍‌-ଇନ୍‌’ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାମଗ୍ରିକ ଓ ଦ୍ରୁତ ଉନ୍ନତି ଆଣିବା ଲାଗି ଖୁବ୍‌ ଶୀଘ୍ର ନୂତନ ସ୍ୱାସ୍ଥ୍ୟ ନୀତି ଘୋଷଣା କରାଯିବ। ଆଗାମୀ ଶହେ ଦିନ ମଧ୍ୟରେ ଆମେ କଣ କରିବୁ ତାର ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି।

Jagran Josh

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‘ଡ୍ରିମ୍‌ ପ୍ରୋଜେକ୍ଟ’ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘରେ ଘରେ ପହଞ୍ଚିବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଡ଼ାକ୍ତର ବଳକା ହେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ସ୍ୱପ୍ନ ସାକାର କରିବା ଆମର ପ୍ରଥମ ପ୍ରାଥମିକତା ହେବ ବୋଲି ଶ୍ରୀ ଦାସ କହିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଯେ, ରାଜ୍ୟରେ ଡ଼ାକ୍ତର ଅଭାବ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନଗ୍ରସରତାର ମୁଖ୍ୟ କାରଣ। ଗତ ୫୦/୬୦ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ନୂତନ ମେଡିକାଲ କଳେଜ ପ୍ରତିଷ୍ଠା ହୋଇନଥିଲା ଏବଂ ମେଡିକାଲ ସିଟ୍‌ ବଢି ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ରାଜ୍ୟରେ ଅନେକଗୁଡ଼ିଏ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଲାଣି ଏବଂ ଆହୁରି ଅନେକ ମେଡ଼ିକାଲ କଲେଜ ନିର୍ମାଣଧୀନ ଚାଲିଛି। ତାଳଚେର, ପୁରୀ,ସୁନ୍ଦରଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା କାର୍ଯ୍ୟ ଚାଲୁ ରହିଛି। ଏସବୁ କଲେଜ କାର୍ଯ୍ୟକ୍ରମ ହୋଇଗଲେ ରାଜ୍ୟରେ ଆଉ ଡ଼ାକ୍ତର ଅଭାବ ରହିବ ନାହିଁ। ଡ଼ାକ୍ତରମାନଙ୍କୁ କିପରି ରାଜ୍ୟର ସରକାରୀ ଡ଼ାକ୍ତରଖାନାକୁ ଆକର୍ଷଣ କରି ଅଣାଯିବ,ସେଥିପାଇଁ ବିଚାର ବିମର୍ଷ ଚାଲିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର