ଶୈଲଜାଙ୍କୁ ହତ୍ୟା କରିବା ପୂର୍ବରୁ ନିଖିଲ ହାଣ୍ଡା ୟୁଟ୍ୟୁବ୍‌ରୁ ଦେଖିଥିଲେ; କେମିତି ହତ୍ୟା କରାଯାଏ?

ନୂଆଦିଲ୍ଲୀ: ଶୈଲଜା ଦ୍ୱିବେଦୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସେନା ମେଜର ନିଖିଲ ହାଣ୍ଡାଙ୍କୁ ଶୈଲଜାଙ୍କ ହତ୍ୟାକାରୀ ଭାବେ ସମସ୍ତ ତଥ୍ୟ ପ୍ରମାଣ ସହ ଦର୍ଶାଇ ଦିଲ୍ଲୀ ପୁଲିସ୍‌ ଆଜି (ସୋମବାର) ତାଙ୍କ ବିରୋଧରେ ପାଟିଆଲା ହାଉସ୍‌ କୋର୍ଟରେ ଚାର୍ଜସିଟ୍‌ ଆଗତ କରିଛି। ଶୈଲଜାଙ୍କୁ ହତ୍ୟା କରିବା ପୂର୍ବରୁ ମେଜର ନିଖିଲ ହାଣ୍ଡା କିପରି ଜଣଙ୍କୁ ହତ୍ୟା କରାଯାଏ, ସେ ସଂପର୍କିତ ଏକାଧିକ ଭିଡିଓ ୟୁଟ୍ୟୁବ୍‌ରୁ ଦେଖିବା ସହ ଶୈଲଜାଙ୍କୁ କେଉଁ ଉପାୟରେ ଏବଂ କିପରି ଭାବେ ହତ୍ୟା କରିବେ, ତାହାର ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଦିଲ୍ଲୀ ପୁଲିସ୍‌ ତଥ୍ୟ ପ୍ରମାଣ ସହ ଆଗତ କରିଥିବା ଚାର୍ଜସିଟ୍‌ରେ ଦର୍ଶାଇଛି। ଶୈଳଜାଙ୍କୁ ହତ୍ୟା କରିବା ଅପରାଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ଦଫା ୩୦୨ ଓ ଅପରାଧ ଘଟାଇବା ପରେ ତଥ୍ୟ ପ୍ରମାଣକୁ ନଷ୍ଟ କରିବା ଅପରାଧରେ ୨୦୧ ଦଫାରେ ଏହି ଚାର୍ଜସିଟ୍‌ ଅଦାଲତରେ ଦାଖଲ କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ମାସରେ ଅଭିଯୁକ୍ତ ନିଖିଲ ହାଣ୍ଡା ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଅନ୍ୟଜଣେ ସେନା ମେଜର ଅମିତ୍‌ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜା ଦ୍ୱିବେଦୀଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ହତ୍ୟାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଶୈଲଜାଙ୍କ ମୃତ ଦେହ ଉପରେ ନିଜ ଗାଡ଼ି ଚଲାଇ ନେଇ ଫେରାର୍‌ ହୋଇ ଯାଇଥିଲେ। ସେତେବେଳେ ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ହତ୍ୟାକାରୀ ନିଖିଲ ହାଣ୍ଡାଙ୍କୁ ମିରଟରୁ ଗିରଫ କରିଥିଲେ। ଗିରଫ ହେବା ପରେ ପୁଲିସ୍‌ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିଥିଲେ।

ଉଲ୍ଲେଖଯୋଗ୍ୟ, ନାଗାଲାଣ୍ଡର ଦିମାପୁରରେ ଉଭୟ ମେଜର ଅମିତ ଦ୍ୱିବେଦୀ ଓ ନିଖିଲ ହାଣ୍ଡା ଅବସ୍ଥାପିତ ଥିବା ବେଳେ ନିଖିଲ ଅମିତଙ୍କ ପତ୍ନୀ ଶୈଲଜାଙ୍କ ସହ ପରକୀୟା ସଂପର୍କରେ ରହିଥିଲେ। ପରେ ଅମିତ ଦିଲ୍ଲୀ ଚାଲିଆସିବା ପରେ ନିଖିଲ ଶୈଲଜାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ, ନିଖିଲଙ୍କ ବିବାହ ପ୍ରସ୍ତାବକୁ ଶୈଲଜା ପ୍ରତ୍ୟାଖାନ କରିଦେବା ପରେ ନିଖିଲ ତାଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର