ବିବାହ ନାମରେ ଠକେଇ: କଅଁଳ ବୟସରେ ଓଡ଼ିଶା ଝିଅ ବିକ୍ରି ହେଉଛନ୍ତି ଭୋପାଳରେ

୬୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ଝିଅ ଉଦ୍ଧାର

0 429

ଭୋପାଳ: ଓଡ଼ିଶା ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏପରିକି ଏ ନେଇ ରାଜ୍ୟ ସରକାର ବଡ଼ ବଡ଼ ବିଜ୍ଞାପନ ଛାପୁଛନ୍ତି। ଆଜି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ୫ମ ପାଳିର ୪ର୍ଥ ବର୍ଷ ପାଳନ କରୁଥିବା ବେଳେ ମଧ୍ୟପ୍ରଦେଶର ଭୋପାଳରୁ ଏପରି ଏକ ଘଟଣା ଏବେ ନଜରକୁ ଆସିଛି ଯାହା ମହିଳାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର ବିଫଳତାକୁ ବୟାନ କରୁଛି। ଓଡ଼ିଶାର କଳାହାଣ୍ଡିରୁ ନିୟମିତଭାବେ ଗରିବ ଝିଅମାନଙ୍କୁ କଅଁଳ ବୟସରେ କିଣାଯାଇ ମଧ୍ୟପ୍ରଦେଶରେ ବୟସ୍କ ଲୋକଙ୍କୁ ବିବାହ ଉଦ୍ଦେଶ୍ୟରେ ବିକ୍ରି କରାଯାଉଥିବା ଘଟଣା ଏବେ ନଜରକୁ ଆସିଛି। ଏହିଭରି ଭାବେ ଏକ ଚକ୍ରବ୍ୟୁହରେ ଫସିଯାଇଥିବା ଜଣେ ଅଳ୍ପ ବୟସର ଜଣେ ଝିଅ ପୁଲିସକୁ କୌଶଳକ୍ରମେ ଫୋନ କରିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡିର ଜଣେ ୧୫/୧୬ ବର୍ଷୀୟା ଯୁବତୀଙ୍କୁ ଭୋପାଳର ବାମିଥା ଥାନା ଅଞ୍ଚଳରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହିତ ଚଞ୍ଚକତା କରି ବିବାହ କରି ଦିଆଯିବା ପରେ ସେ ୧୦୦ ନମ୍ବରକୁ ଡାଏଲ କରି ପୁଲିସିକୁ ଡକାଇଥିଲେ। ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ସମ୍ପୃକ୍ତ ନବବଧୁଙ୍କୁ ଧରି ଥାନାକୁ ଯାଇଥିଲେ। ସେଠାରେ ହିନ୍ଦି କହି ପାରୁ ନ ଥିବା ଏହି ବାଳିକା ଜଣକ ନିଜ ଭାଷାରେ ଯାହା କହିଥିଲେ ସେହି ଅନୁଯାୟୀ ତାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ। ଚଳିତ ମାସ କାଳୀଚରଣ ପଟେଲ ଓ ସରନମ ନାମକ ଜଣେ ୨୧ ବର୍ଷିୟ ଯୁବକ ତାଙ୍କ ଗାଁକୁ ଯାଇଥିଲେ। ସେଠାରେ ସରନମ ନିଜକୁ ବର ବୋଲି ଉପସ୍ଥାପିତ କରି ତାଙ୍କୁ ବିବାହ କରିବା ପାଇଁ ବାମିଥା ଆଣିଥିଲେ। ମାତ୍ର ବାମିଥାରେ ପହଞ୍ଚିବା ପରେ ତାଙ୍କର ତାଙ୍କ ଠାରୁ ଠେର ଅଧିକ ବୟସର ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରି ଦିଆଯାଇଥିଲା। ତେବେ ଏ ନେଇ ବାଳିକାଙ୍କୁ ବିବାହ କରିଥିବା ଜଗଦୀଶ ପଟେଲ କହିଛନ୍ତି ଯେ ଏହି ଯୁବତୀଙ୍କୁ ବିବାହ କରିବା ପାଇଁ ସେ କାଳୀଚରଣ ଓ ସରନମଙ୍କୁ ୬୦ ହଜାର ଟଙ୍କା ଦେଇଥିଲେ। ଏହା ପରେ ଗୁମର ପଦାକୁ ଆସିଥିଲା। କାଳୀଚରଣର ଧନ୍ଦା ହେଉଛି ଓଡ଼ିଶାର କଳାହାଣ୍ଡିରେ ଗରିବ ପରିବାରର ଝିଅମାନଙ୍କୁ କଅଁଁଳ ବୟସରେ ସେମାନଙ୍କ ବାପାମାଆଙ୍କୁ ଅଳ୍ପ କିଛି ଟଙ୍କା ଦେଇ ନେଇ ଯାଇ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଉଚ୍ଚ ଦରରେ ବିବାହ ଆଶାୟୀଙ୍କୁ ବିକ୍ରି କରିଦେବା। ଏପରିକି କାଳୀଚରଣ ଓଡ଼ିଶାର କଳାହାଣ୍ଡିର ବହୁ ନାବାଳିକା, ଯୁବତୀଙ୍କୁ ଏପରି ନେଇଥିବା ସ୍ୱୀକାର କରିଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣର ତଦନ୍ତ କରୁଛି ବୋଲି ବାମିଥା ଥାନା ଅଧିକାରେ ତିଲକ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.