ତେଲ ଦର କମିବା ସମ୍ଭାବନା, ଦିନକୁ ୧୦ ଲକ୍ଷ ବ୍ୟାରେଲ ଅଧିକ ତେଲ ଉତ୍ପାଦନ କରିବେ ଓପେକ ଦେଶସମୂହ

ଲଣ୍ଡନ- ସାରା ବିଶ୍ୱରେ ତେଲ ଦର ବଢିଚାଲିଥିବାରୁ ସାଧାରଣ ଲୋକମାନେ ଏବେ ନାହିଁ ନଥିବା ହିନସ୍ତାର ସମ୍ମୁଖୀନ ହେଉଛନ୍ତି ।  ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ହୋଇଛି ।  ୨୦୧୪-୧୫ରେ ଅଶୋଧିତ ତେଲଦର ବ୍ୟାରେ ପିଛା ୩୦ ଡଲାର ଛୁଇଁଥିବାବେଳେ ଚଳିତ ମାସରେ ଏହା ୮୦ ଡଲାର ଛୁଇଁଛି । ତେଲ ଦର ବଢିବାର ଏକ ମୁଖ୍ୟ କାରଣ ହେଉଛି ପେଟ୍ରୋଲିୟମ ଉତ୍ପାଦନକାରୀ ରାଷ୍ଟ୍ର ସମୁହ (ଓପେକ)ଙ୍କ ଦ୍ୱାରା  ଉତ୍ପାଦନ କମ । କିନ୍ତୁ ଏକ ଆଶାଜନକ ଖବର । ତେଲ ଉତ୍ପାଦନ ବଢାଇବାକୁ ଓପେକ ଓ ଅଣ-ଓପେକ ଦେଶମାନେ ଯୋଜନା କରିଛନ୍ତି ।  ଦିନକୁ ପ୍ରାୟ ୧ ନିୟୁତ ବ୍ୟାରେଲ ଅତିରିକ୍ତ ଉତ୍ପାଦନ କରିବାକୁ ବିଚାର କରାଯାଉଛି । ଏ ସଂପର୍କରେ ନିକଟରେ ଋଷିଆ ଓ ସାଉଦି ଆରବର ତୈଳମନ୍ତ୍ରୀମାନେ ଆଲୋଚନା କରିଥିଲେ । ତେବେ    ଓପେକ ଓ ଅଣ-ଓପେକ ଦେଶମାନେ ଆସନ୍ତା ଜୁନ ୨୧-୨୨ରେ ଜେନିଭାଠାରେ ବସି ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ।  ଉତ୍ପାଦନ ଦିନକୁ ୧ ନିୟୁତ ବ୍ୟାରେଲ ବଢିଲେ ବିଶ୍ୱ ବଜାରରେ ତେଲ ଦର ପ୍ରାୟ ୬-୮ ଡଲାର କମିବାର ସମ୍ଭାବନା ରହିଛି । ପୁଣି ସରକାର ଯଦି ତେଲ ଉପରୁ ଟିକସ ହ୍ରାସ କରନ୍ତି, ଦର ଆହୁରି କମିବ । ଏହା ହେଲେ ଭାରତରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ  ଦର ପ୍ରାୟ ୫ରୁ ୬ ଟଙ୍କା କମିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର