ଧନ୍ୟବାଦ ପ୍ରଧାନମନ୍ତ୍ରୀ, ଓଡ଼ିଶାରୁ ଲଢ଼ିଥିବାରୁ…

ଭୋଟ ପେଡ଼ିର ପୁରୁଣା କଥା-୯/ ସ୍ବରାଜ ମିଶ୍ର

ପାଞ୍ଚ ବର୍ଷ ଦିଲ୍ଳୀରେ ସଫଳତାର ସହ ସରକାର ଚଳାଇବା ପରେ ଦେଶର ପ୍ରଧାନମନ୍ତ୍ରୀ ପୁନର୍ନିର୍ବାଚନ ପାଇଁ ଓଡ଼ିଶାର କୌଣସି ଏକ ଲୋକସଭା ଆସନକୁ ବାଛିବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶର ସର୍ବୋଚ୍ଚ ନେତାଙ୍କୁ ନିର୍ବାଚିତ କରିବାର ଗୌରବ ଯଦି କୌଣସି ନିର୍ବାଚନ କ୍ଷେତ୍ରକୁ ମିଳେ, ସେ ଫୁଲପୁର ହେଉ, ଆମେଥି, ରାଏବରେଲି ବା ଲକ୍ଷ୍ନୌ । ସଂପୃକ୍ତ ଅଞ୍ଚଳରେ ବିକାଶର ଧାରା ଅଧିକ ତ୍ଵରାନ୍ଵିତ ହୁଏ ଏବଂ ଜନସାଧାରଣଙ୍କୁ ତା’ର ସୁଫଳ ମିଳେ। ବିଶେଷ କରି ଯେତେବେଳେ ସଂପୃକ୍ତ ନେତା ନିଜ ରାଜ୍ୟ ବାହାରେ କୌଣସି ନୂଆ ନିର୍ବାଚନ ମଣ୍ଡଳୀକୁ ବାଛନ୍ତି, ଲୋକଙ୍କ ଭିତରେ ଉତ୍ସାହର ତରଙ୍ଗ ଖେଳିଯାଏ, ଯେମିତି ଘଟିଥିଲା ତେଲେଙ୍ଗାନାର ମେଡକ୍‌, କର୍ଣ୍ଣାଟକର ଚିକ୍‌ମାଗାଲୁର, ଉତ୍ତରପ୍ରଦେଶର ବାରଣାସୀ ବା ଓଡ଼ିଶାର ବ୍ରହ୍ମପୁରରେ।

୧୯୯୬ ଲୋକସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଓଡ଼ିଶାର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ୧୯୯୧ ମସିହାରେ ନିର୍ବାଚନ ପ୍ରଚାର କାଳରେ ମେ ମାସ ୨୧ ତାରିଖ ଦିନ ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରଠାରେ ନିର୍ବାଚନ ସଭାରେ ଆତ୍ମଘାତୀ ବୋମା ଆକ୍ରମଣର ଶିକାର ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧି ଇହଧାମ ତ୍ୟାଗ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସ ଦଳ କ୍ଷମତାକୁ ଆସିଲା ଏବଂ ପ୍ରଧାନମନ୍ତ୍ରୀ ପଦବୀରେ ରହିଲେ ବର୍ଷୀୟାନ୍‌ ନେତା ପି.ଭି. ନରସିଂହ ରାଓ। ସେତେବେଳେ ଲୋକସଭାର ସଦସ୍ୟ ନଥିବାରୁ ସେ ତତ୍କାଳୀନ ଆନ୍ଧ୍ରପ୍ରଦେଶର ନାନ୍ଦ୍ୟାଲ ନିର୍ବାଚନ ମଣ୍ଡଳିରୁ ଉପନିର୍ବାଚନ ଜିଣି ଲୋକସଭାକୁ ଆସିଲେ। ଏହି ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିଦ୍ଵନ୍ଦ୍ୱୀ ବାଙ୍ଗୁରୁ ଲକ୍ଷ୍ମଣଙ୍କୁ ରେକର୍ଡ଼ ସଂଖ୍ୟକ ୫,୮୦,୨୯୭ ଭୋଟ ବ୍ୟବଧାନରେ ହରାଇଥିଲେ। ଏକ ସଂଖ୍ୟାଲଘୁ ସରକାରର ନେତୃତ୍ଵ ନେଇ ୧୯୯୧ରୁ ୧୯୯୬ ପାଞ୍ଚ ବର୍ଷ ସଫଳତାର ସହିତ ସରକାର ଚଳାଇବା ପରେ ସେ ପୁନର୍ନିର୍ବାଚନ ପାଇଁ ନାନ୍ଦ୍ୟାଲ ସହିତ ଅନ୍ୟ ଏକ ନିର୍ବାଚନ ମଣ୍ଡଳି ଖୋଜୁଥିଲେ। ସେତେବେଳକୁ ୧୯୯୫ ବିଧାନସଭା ନିର୍ବାଚନ ଜିଣି ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେ ନରସିଂହ ରାଓଙ୍କୁ ଓଡ଼ିଶାାର ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳିରୁ ଲଢ଼ିବା ପାଇଁ ପ୍ରସ୍ତାବ ଦେଲେଏବଂ ସୁଖର ବିଷୟ ଯେ ରାଓ ଏହି ପ୍ରସ୍ତାବ ଗ୍ରହଣ କଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ବ୍ରହ୍ମପୁର ଗସ୍ତ ସମୟର ବିବରଣୀ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା

ସେତେବେଳେ ବ୍ରହ୍ମପୁର ଆସନ କଂଗ୍ରେସ ଦଳର ଏକ ଗଡ଼ ରୂପେ ପରିଗଣିତ ହେଉଥିଲା। ୧୯୭୭ ମସିହାରେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବହୁଥିବାବେଳେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୧୯୯୧ ନିର୍ବାଚନରେ ଏହି ଆସନରୁ ଜିଣିଥିଲେ କଂଗ୍ରେସ ଦଳର ଗୋପୀନାଥ ଗଜପତି ନାରାୟଣ ଦେବ। ସେ ଜନତା ଦଳର ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ୭୩ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ। ଏଣୁ ୧୯୯୬ରେ ଏହି ଆସନ ଜିଣିବା ପାଇଁ ନରସିଂହ ରାଓଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା। ତାଙ୍କ ବିପକ୍ଷରେ ପ୍ରମୁଖ ପ୍ରତିଦ୍ଵନ୍ଦ୍ୱୀ ଥିଲେ ଜନତା ଦଳ ଟିକେଟରେ ଲଢ଼ୁଥିବା ଖଲ୍ଲିକୋଟର ରାଣୀ ଭି.ସୁଜ୍ଞାନକୁମାରୀ ଦେଓ। ଏହି ନିର୍ବାଚନରେ ମୋଟ ୫,୪୪,୨୩୬ ବୈଧ ଭୋଟ ମଧ୍ୟରୁ ସୁଜ୍ଞାନକୁମାରୀ ଦେଓ ୧,୭୨,୦୧୮ ଖଣ୍ଡ ଭୋଟ ପାଇଥିବାବେଳେ ନରସିଂହ ରାଓ ୩,୪୦,୫୫୫ ଖଣ୍ଡ (୬୨.୫୭ ପ୍ରତିଶତ) ଭୋଟ ପାଇ ୧.୬୮ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ନାନ୍ଦ୍ୟାଲ ଓ ବ୍ରହ୍ମପୁର ଉଭୟ ଆସନରୁ ଜିଣିଥିଲେ ମଧ୍ୟ ନରସିଂହ ରାଓ ନାନ୍ଦ୍ୟାଲରୁ ଇସ୍ତଫା ଦେଇ ବ୍ରହ୍ମପୁର ଆସନକୁ ରଖିଥିଲେ। ଯଦିଓ ୧୯୯୬ରେ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିନଥିଲା, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାକୁ ଜିତାଇ ଥିବାରୁ ବ୍ରହ୍ମପୁରର ନାମ ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା।

ଏଇ ମାଟିକୁ ପ୍ରଣାମ ଜଣାଇ ଏକ ସାଧାରଣ ସଭାରେ ନରସିଂହ ରାଓ କହିଥିଲେ-‘ବ୍ରହ୍ମପୁରକୁ ମୁଁ ମୋ ପୂର୍ବପୁରୁଷଙ୍କ ଋଣ ଶୁଝିବାକୁ ଆସିଛି। ବୋଧହୁଏ ମୋର ପୂର୍ବପୁରୁଷଗଣ କୌଣସି ନା କୌଣସି ଭାବେ ଏଇ ମାଟିର ଋଣୀ ଥିଲେ। ମୁଁ ସେହି ଋଣ ପରିଶୋଧ କରିବାକୁ ଚାହେଁ।’

ସମ୍ବନ୍ଧିତ ଖବର