ସିଲଭର ସିଟିରେ ଦେଖିବାକୁ ମିଳିବ ତିନି ହେଭିୱେଟଙ୍କ ମଧ୍ୟରେ କଡା ଟକ୍କର

କଟକ: କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବା ପରେ ସିଲଭର ସିଟି କଟକରେ ଏଥରକ ଲୋକସଭା ଆସନ ପାଇଁ ତିନି ରାଜନୈତିକ ଦଳର ଜୋରଦାର ଲଢେଇ ଦେଖିବାକୁ ମିଳିଛି । ତେବେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ମୈଦାନକୁ ଓହ୍ଲାଇଛି। ସେହିପରି ବିଜେଡି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।

କଟକରେ ତିନି ହେଭିୱେଟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଲୋକସଭା ଆସନ ଲଢେଇ ମୈଦାନରେ ୩ ହେଭିୱେଟ ଆଇପିଏସ ପ୍ରକାଶ ମିଶ୍ର ଓ ପାଞ୍ଚ ପାଞ୍ଚଥରର ସାଂସଦ ଭର୍ତୃହରି ମହତାବ ଏବଂ ପୂବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଅଛନ୍ତି। ପ୍ରକାଶ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ଭର୍ତ୍ତୃହରିଙ୍କୁ ପୁଣି ଥରେ ବିଜେଡି ରିପିଟ କରିଛି । ସେହିପରି ପଞ୍ଚାନନ କାନୁନଗୋଙ୍କୁ କଂଗ୍ରେସ ଆସ୍ଥା ପ୍ରକଟ କରିଛି। ଭର୍ତୃହରି ମହତାବ ଏହି ଆସନରୁ ବିଜେଡି ଟିକେଟରେ ଲଗାତାର ୧୯୯୮ ମସିହାରୁ ଜିତି ଆସୁଛନ୍ତି । ଏଥର ବି ତାଙ୍କୁ ବିଜୁ ଜନତା ଦଳ ଟିକେଟ ଦେଇଛି।

ସେପଟେ ଏଥର ନୂଆମୁହଁ ଦେଇଛି ବିଜେପି । ଗତ ନିର୍ବାଚନରେ ଏହି ଆସନରୁ ସମୀର ଦେ ଲଢିଥିଲେ । ଏଥର କିନ୍ତୁ ଅଳ୍ପଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ଓଡିଶା ପୁଲିସ ଡିଜି ଆଇପିଏସ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ଆଉ ଟିକେଟ ପାଇବା ପରେ ପ୍ରକାଶ ମିଶ୍ର ଘରକୁ ଘର ବୁଲି କ୍ୟାମ୍ପେନ ବି ଆରମ୍ଭ କରିଦେଇଛନ୍ତି ।

ତେବେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ମଧ୍ୟ ହେଭିୱେଟ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କ ପ୍ରାର୍ଥୀ କରିଛି । ତେବେ ଗତ ନିର୍ବାଚନରେ ଅର୍ଥାତ ୨୦୧୪ ନିର୍ବାଚନରେ କଂଗ୍ରେସ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପ୍ରାର୍ଥୀ କରିଥିଲା । ୧ ଲକ୍ଷ ୪୬ ହଜାର ଭୋଟରରେ ଅପରାଜିତା ବିଜେଡି ତଥା ଭର୍ତ୍ତୃହରି ମହତାବଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୧୯ ଲଢେଇ ପାଇଁ ଏଥରକ ପଂଚାନନଙ୍କୁ ଭରଷା କରିଛି ଦଳ । ତେବେ କଂଗ୍ରେସ ପଂଚାନନ କାନୁନଗୋଙ୍କୁ ମୈଦାନକୁ ଓହ୍ଲାଇବା ପରେ ମୁକାବିଲା ତୀବ୍ର ହୋଇଛି ।

ସମ୍ବନ୍ଧିତ ଖବର