ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌କୁ ନିର୍ବାଚନ କମିସନଙ୍କୁ ଦେଖାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଉପରେ ଲାଗିଥିବା ଅସ୍ଥାୟୀ ବ୍ୟାନ୍‌କୁ ହଟାଇ ଦେଇ ଏହି ମାମଲାର ପୁନଃସମୀକ୍ଷା କରିବାକୁ ନିର୍ବାଚନ କମିସନଙ୍କୁ ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମ୍‌କୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଏହି ଚଳଚ୍ଚିତ୍ରକୁ ପ୍ରଥମେ ନିର୍ବାଚନ କମିସନଙ୍କ ସମ୍ମୁଖନରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ଚଳଚ୍ଚିତ୍ରଟିକୁ ଆରମ୍ଭରୁ ଶେଷ ଯାଏ ଦେଖି ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ତାଙ୍କର ମତାମତ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ମୁଦା ଲଫାପାରେ ଦାଖଲ କରିବା ପରେ ଯାଇ ଏହି ଚଳଚ୍ଚିତ୍ରଟିକୁ ପରଦାରେ ପ୍ରଦର୍ଶନ କରାଯିବ।

ଉଲ୍ଲେଖଯୋଗ୍ୟ, ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରଟିର ପ୍ରଦର୍ଶନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବ ବୋଲି ବିରୋଧୀମାନେ ଅଭିଯୋଗ ଆଣିବା ପରେ ଚଳଚ୍ଚିତ୍ରଟିର ରିଲିଜ  ଉପରେ ରୋକ ଲଗାଯାଇଛି। ଚଳଚ୍ଚିତ୍ରଟିର ପ୍ରଦର୍ଶନ ଉପରେ ନିର୍ବାଚନ କମିସନ ରୋକ ଲଗାଇବା ପରେ ଚଳଚ୍ଚିତ୍ର ନିର୍ମାତା ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ଏହି ମାମଲା ନେଇ ପହଞ୍ଚିଥିଲେ। କୋର୍ଟ ଏହି ମାମଲା ବିଚାର କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ଚଳଚ୍ଚିତ୍ରଟି ପ୍ରଥମେ ନିର୍ବାଚନ କମିସନଙ୍କୁ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନ କାହାଣୀକୁ ନେଇ ଗଠିତ ଚଳଚ୍ଚିତ୍ରଟି ପ୍ରଥମେ ଏପ୍ରିଲ୍‌ ୫ ତାରିଖରେ ରିଲିଜ୍‌ ହେବାର ଥିଲା। ପରେ ଏହା ଏପ୍ରିଲ୍‌ ୧୧କୁ ଘୁଞ୍ଚିଥିଲା। ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରୋକ ଲାଗିବା ପରେ ଏହା ଏଯାବତ୍‌ ରିଲିଜ୍‌ ହୋଇପାରି ନାହିଁ। ଏଥିରେ ମୋଦୀଙ୍କ ଭୂମିକା ନିଭାଇଛନ୍ତି। ଅଭିନେତା ବିବେକ୍‌ ଓବରାଏ।

ସମ୍ବନ୍ଧିତ ଖବର