ପାଠପଢ଼ି ଆମେ ଗଢ଼ିବା ଏହି ଦେଶ ଦୁନିଆ; ସୈନିକ ହୋଇ ଲଢ଼ିବା, ଶତ୍ରୁ ହେବେ ଛାନିଆ ! ଏହି ଗୀତ ଗାଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି ପ୍ରମିଳା

ଗଞ୍ଜାମ: ଆସ୍କାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନକୁ ଓହ୍ଲାଇଛନ୍ତି। ଆସ୍କା ଲୋକସଭାରୁ ପ୍ରମିଳା ବିଶୋଇ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁପ୍ରାର୍ଥୀ ହୋଇଛନ୍ତି । ତେବେ ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋଇ ଭିନ୍ନ ଶୈଳୀ ନେଇ ପ୍ରଚାର ମୈଦାନକୁ ଓହ୍ଲାଇ ଥିଲେ । ଗୀତ ଗାଇ ଗାଇ ସେ ପ୍ରଚାର କରିଛନ୍ତି । ଆଉ ଏହି ଗୀତ ମାଧ୍ୟମରେ ଆସ୍କାବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି ପ୍ରମିଳା ।

ପ୍ରମିଳା ଗୀତ ଗାଇ କହିଛନ୍ତି, ଆମେ ଶାଶୁଘରେ ବୋହୂ ଲୋ.. ବାବା ଘରେ ଆମେ ଝିଅ। ପାଠପଢ଼ି ଆମେ ଗଢ଼ିବା ଏହି ଦେଶ ଦୁନିଆ। ସୈନିକ ହୋଇ ଲଢ଼ିବା, ଶତ୍ରୁ ହେବେ ଛାନିଆ। ଛୋଟ ପରିବାର ବାର୍ତ୍ତା କାନେ କାନେ କହିବା। ସବୁରି ମୁହଁରେ ହସରେ ଫୁଲେଫୁଲେ ଚାହିଁବା। ଶେଷରେ ନାରୀଶକ୍ତି ମହାଶକ୍ତି କହି ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ।

ତେବେ ପ୍ରମିଳା ବିଶୋଇ ନା ସେ ଜଣେ ଟାଣୁଆ ନେତା ,ନା ତାଙ୍କୁ କେହି ଜାଣିଛନ୍ତି । ପ୍ରମିଳା ବିଶୋଇ ହେଉଛନ୍ତି ଜଣେ ଏସଏଚଜି ଗ୍ରୁପର ସଦସ୍ୟା । ଦେଖିବାକୁ ସିଧାସିଧା ଆଉ ଖୁବ୍‌ ନିରୀହ। ଚାହାଣି ଓ ଚାଲିଚଳନ ସାଧାରଣ ହୋଇଥିଲେ ମଧ୍ୟ ପ୍ରମିଳାଙ୍କ କାମ ଖୁବ୍‌ ଅସାଧାରଣ । ତେବେ ପ୍ରମିଳାଙ୍କୁ ସାଂସଦ ଟିକଟ ମିଳିବା ପୂର୍ବରୁ ୭୯ ଲକ୍ଷ ମହିଳାଙ୍କ ପ୍ରତିନିଧି ସାଜି ସାରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସେ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରାଇ ପାରିଛନ୍ତି ଆଉ ପ୍ରମିଳାଙ୍କ ଏହି ଉଦ୍ୟମ ପାଇଁ ସେ ଅନେକ ଥର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ତେବେ ପ୍ରମିଳାଙ୍କ ସେବାକୁ ସମ୍ମାନ ଜଣାଇ ତଥା ମହିଳା ଶକ୍ତିକୁ ସମ୍ମାନ ଦେଇ ପ୍ରମିଳାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର