ବାବାଙ୍କ ବଡ଼ ବୟାନ: ମୁଁ ଟିକେଟ ପଛରେ ଗୋଡାଏ ନାହିଁ, ଏମିତି କିଛି କରିଥାଏ କି ସୁପ୍ରିମୋ ମୋ ଉପରେ ଆସ୍ଥା ପ୍ରକଟ କରନ୍ତି

ଭୁବନେଶ୍ୱର: ବିଜେଡି ପ୍ରଥମ ୨ଟି ପର୍ଯ୍ୟାୟ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭାରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି । ତୃତୀୟ ପର୍ଯ୍ୟାୟରେ ଉପକୂଳ ଓଡିଶାର ଅଧିକାଂଶ ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଏଠାରେ ଦଳ କାହା ଉପରେ ଭରସା କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖାସକରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଏବେ ମାନସମନ୍ଥନ ଆରମ୍ଭ ହୋଇଛି। ଦଳ ପୁରୁଣା ମୁହଁ ଉପରେ ଭରସା କରିବ ନା ନୂଆ ମୁହଁଙ୍କୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବ ତାହାକୁ ନେଇ ଏବେ ମଧ୍ୟ ସସପେନ୍‌ସ ଲାଗି ରହିଛି ।

ଭୁବନେଶ୍ୱର ଲୋକସଭା ଆସନକୁ ନେଇ ବିଜେଡି ଶିବିରରେ ମାନସମନ୍ଥନ ଚାଲିଥିବା ବେଳେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବଡ ବୟାନ ଦେଇଛନ୍ତି। ନବୀନ ନିବାସରୁ ଫେରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବା କହିଛନ୍ତି, ଟିକେଟ ନେଇ ବିଜେଡି ସୁପ୍ରିମୋ ନିଷ୍ପତି ନେବେ। ମୁଁ ଟିକେଟ ପଛରେ ଗୋଡାଏ ନାହିଁ, ମୁଁ ଏମିତି କିଛି କରିଥାଏ ଯାହାଫଳରେ ସୁପ୍ରିମୋ ଟିକେଟ ନିଷ୍ପତି ନେବା ବେଳେ ମୋ ଉପରେ ଆସ୍ଥା ପ୍ରକଟ କରିଥାନ୍ତି । ତେବେ ଯଦି ଭୁବନେଶ୍ୱର ଆସନ ପାଇଁ ନବୀନ ନୂଆଁମୁହଁଙ୍କୁ ସୁଯୋଗ ଦିଅନ୍ତି ତେବେ ସେ ୭ଟି ନିର୍ବାଚନମଣ୍ଡଳୀକୁ ବୁଲିବା ଭିତରେ ସମୟ ସରି ଯାଇଥିବ । ଆଉ ଏଭଳି କହି ବାବା ପରୋକ୍ଷରେ ବିଜେଡି ଶିବିରକୁ ତେରଛା ବାଣ ମାରିଛନ୍ତି ।

ଚଳିତଥର ଭୁବନେଶ୍ୱର ଆସନ ପାଇଁ ବାବା ପାଟ୍ଟଶାଣୀଙ୍କ ବଦଳରେ ନୂଆଁମୁହଁଙ୍କୁ ବିଜେଡି ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ବାବା ପାଟ୍ଟଶାଣୀଙ୍କୁ ଲୋକସଭା ବଦଳରେ ବିଧାନସଭାରେ ପ୍ରାର୍ଥୀ କରିବାକୁ ଦଳର ଷ୍ଟ୍ରାଟେଜିଷ୍ଟମାନେ ଯୋଜନା କରୁଥିବା ଜଣାପଡିଛି। ତେବେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପାଟ୍ଟଶାଣୀଙ୍କ ବଦଳରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଦଳ ମୈଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଅରୂପ ମଧ୍ୟ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ବୁଲିବା ସହ ନିଜର ଜନସର୍ମ୍ପକ ବଢାଉଥିବାର ଦେଖିବାକୁ ମିଳୁଛି ।

ଆଉ ଏଭଳି ସମୟରେ ବାବା ପାଟ୍ଟଶାଣୀଙ୍କ ବୟାନ ଏକ ଭିନ୍ନ ଦିଗ ଆଡକୁ ଇଙ୍ଗିତ କରୁଛି । ଯାହା ଦର୍ଶାଉଛି ନୂଆ ମୁହଁଙ୍କୁ ପସନ୍ଦ କରୁନାହାନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଏପରିକି ନୂଆ ମୁହଁଙ୍କୁ ସୁଯୋଗ ଦେଲେ ସେ ୭ଟି ନିର୍ବାନମଣ୍ଡଳୀରେ ବୁଲିବା ବେଳକୁ ସମୟ ସରିଯାଇଥିବ ବୋଲି କହି ପରୋକ୍ଷରେ ବିଜେଡି ସୁପ୍ରିମୋଙ୍କୁ ସର୍ତକ କରାଇ ଦେଇଛନ୍ତି ପାଟ୍ଟଶାଣୀ । ଏହି ବୟାନ ଏବେ ବିଜେଡି ଶିବିରରେ ଭ୍ରୃକୁଞ୍ଚନ ସୃଷ୍ଟି କରିଛି । ଗୋଟିଏ ପଟେ ବିଜେପି ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ ମାରିଥିବା ବେଳେ ବିଜେଡି ମଧ୍ୟ ସେହିଭଳି ଜଣେ ବିବାଦୀୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଯିଏ ଅପରାଜିତାଙ୍କୁ କଡା ଟକ୍କର ଦେଇପାରିବ ।

ତେଣୁ ବିଜେଡିର ଏଭଳି ମାପଦଣ୍ଡରେ ବାବା ପାଟ୍ଟଶାଣୀ ଫିଟ୍‌ ହେଉ ନଥିବା ଚର୍ଚ୍ଚା ହେଉଛି । ଲଗାତାର ଏହି ଆସନରୁ ବିଜୟୀ ହୋଇ ଆସୁଥିବା ପାଟ୍ଟଶାଣୀଙ୍କ ବିରୋଧରେ ଏବେ ଜନଅସନ୍ତୋଷ ବଢୁଥିବା ବେଳେ ଦଳ ନୂଆ ଯୋଦ୍ଧାଙ୍କୁ ନେଇ ନିର୍ବାଚନ ରଣଭୂମିରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ଭୁବନେଶ୍ୱର ପାଇଁ ବିଜେଡିର ଚିତ୍ର ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର