ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ମତଦାନ, ଇଭିଏମ ମେସିନରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ମୋଟ ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି । କିନ୍ତୁ ନିର୍ବାଚନ ଶେଷ ହେବା ପରେ ଦଳୀୟ ନେତା ଯେଉଁ ହିସାବ କିତାବ କରିଛନ୍ତି ତାହା ଭୋଟରଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । କାରଣ ବିଧାନସଭା ପାଇଁ ୨୮ଟି ଆସନ ରହିଥିବା ବେଳେ ବିଭିନ୍ନ ଦଳୀୟ ନେତାଙ୍କ ହିସାବ ଦେଖିବାକୁ ଗଲେ ୬୦ ଜଣ ପ୍ରାର୍ଥୀ ବିଜୟୀ ହେବେ । ସେହିଭଳି ୪ଟି ଲୋକସଭା ରହିଥିଲେ ମଧ୍ୟ ନେତାଙ୍କ ହିସାବରେ ୧୧ ଜଣ ବିଜୟୀ ହେଉଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏତେ ନେତାଙ୍କ ପାଇଁ ଆସନ କାହିଁ?
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ବିଜେଡି, ବିଜେପି ଓ କଂଗ୍ରେସ ନେତା ଯେଉଁ ହିସାବ ଦେଇଛନ୍ତି ତାହା ଅନୁଯାୟୀ, ବିଧାନସଭା ଆସନ ୨୮ଟି ଥିଲେ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ସେହିଭଳି ଲୋକସଭା ଆସନ ୪ଟି ଥିଲେ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧୧ ଛୁଇଁଛି ।
ଜାଣନ୍ତୁ କାହାର ହିସାବ କେମିତି :
ବିଜେଡି : ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ତଥା ଦିଗପହଣ୍ଡିରେ ଦଳୀୟ ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହିସାବ ବିଜେଡି ଶିବିରରେ ଖୁସି ଭରିଦେବ ନିଶ୍ଚୟ । କାରଣ ଏହି ଅଭିଜ୍ଞ ନେତା ଯେଉଁ ଅଙ୍କ କଷିଛନ୍ତି ସେଥିରେ ବିଜେଡି ୨୮ ବିଧାନସଭା ଆସନରୁ ୨୫ଟିରେ ବାଜି ମାରିବ ବୋଲି ଦାବି କରିଛନ୍ତି । ବାକି ଆସନ ଗୁଡିକ କଂଗ୍ରେସ ଓ ବିଜେପି ଭାଗ କରି ନେବେ ବୋଲି କହିଛନ୍ତି ସୂର୍ଯ୍ୟ । ସେହିଭଳି ୪ଟି ଲୋକସଭା ଆସନ ମଧ୍ୟରୁ ୪ଟି ଜିତି ପ୍ରଥମ ପର୍ଯ୍ୟାୟରେ କ୍ଲିନ ସୁଇପ କରିବ ବୋଲି କହିଛନ୍ତି ସୂର୍ଯ୍ୟ । ଏହାଛଡା ନିଜେ ମଧ୍ୟ ଜିତିବେ ଦମ୍ଭ ଦେଖାଇଛନ୍ତି ସୂର୍ଯ୍ୟ ।
କଂଗ୍ରେସ : ଜୟପୁରର ଦଳୀୟ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଭୋଟଗ୍ରହଣ ପରେ ଯେଉଁ ବୟାନ ଦେଇଛନ୍ତି ତାହା କଂଗ୍ରେସ ଶିବିରରେ ନୂଆ ଆଶାର କିରଣ ଉଦୟ କରିଛି । କାରଣ ତାରାଙ୍କ ଅଙ୍କ ଅନୁଯାୟୀ, ୨୮ ବିଧାନସଭା ଆସନରୁ ୨୦ଟିରେ କଂଗ୍ରେସ ବିଜୟ ହାସଲ କରିବ ବୋଲି ଦାବି କରିଛନ୍ତି ତାରା । ସେହିଭଳି ୪ ଲୋକସଭା ଆସନରୁ ୪ଟିରେ ଦଳ ବିଜୟୀ ହେବ ବୋଲି ଦୃଢ ସହକାରେ କହିଛନ୍ତି । ଏପରିକି ପୁଣିଥରେ ତାଙ୍କର ଭାଗ୍ୟ ଚମକିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ତାରା । ଏପରିକି ଅନ୍ୟ ଦଳର ନେତା ଯାହା କହୁଛନ୍ତି ସେଥିରେ ଟ୍ୟାକ୍ସ ଲାଗୁନାହିଁ ବୋଲି କହିଛନ୍ତି ତାରା ।
ବିଜେପି : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ମଧ୍ୟ ନିଜ ହିସାବ କିତାବ ଅନୁଯାୟୀ ବଡ ବୟାନ ରଖିଛି । ବିଜେପି ପକ୍ଷରୁ ସୁରଥ ବିଶ୍ୱାଳ ଯେଉଁ ଗଣିତ ସାମ୍ନାକୁ ଆଣିଛନ୍ତି ତାହା ଉଭୟ କଂଗ୍ରେସ ଓ ବିଜେଡିକୁ କଡା ଚ୍ୟାଲେଞ୍ଜ ଦେବ ବୋଲି ଦର୍ଶାଉଛି । କାରଣ ସୁରଥଙ୍କ ଗଣିତ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ମୋଟ ୪ଟି ଲୋକସଭା ଆସନରୁ ୩ଟି ଆସନରେ ଗେରୁଆ ବାନା ଉଡାଇବ ବିଜେପି । ଏହାଛଡା ୨୮ଟି ବିଧାନସଭା ଆସନରୁ ପ୍ରାୟ ୧୫ଟି ଆସନରେ ପଦ୍ମ ଫୁଟିବ ବୋଲି ଦୃଢ ଆଶାବାଦୀ ଅଛି ବିଜେପି କ୍ୟାମ୍ପ ।
ବିଜେଡି, ବିଜେପି ଓ କଂଗ୍ରେସର ଦାବିକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ଆସନ ଠାରୁ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ବୋଲି ସାମ୍ନାକୁ ଆସୁଛି । ତେବେ ଜନତା ଜନାର୍ଦ୍ଦନ କାହାକୁ ଭୋଟ ଦେଇ ନିଜର ନେତା ନିର୍ବାଚିତ କରିଛନ୍ତି ତାହା ଆସନ୍ତା ମେ ୨୩ରେ ସ୍ପଷ୍ଟ ହେବ ।