ସହିଦ ଯବାନଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଦେଲେ ଭାଇଭଉଣୀ, ବାପା ରାଜୀବ ଗାନ୍ଧୀଙ୍କୁ ମନେପକାଇ ସାନ୍ତ୍ୱନା ଦେଲେ ପ୍ରିୟଙ୍କା-ରାହୁଲ

ସାମ୍‌ଲି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୂଆ କରି ଦଳର ମହାସଚିବ ଭାବେ ନିଯୁକ୍ତ ହୋଇଥିବା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଶି ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ବୁଲି ବୁଲି ଭେଟିଛନ୍ତି।

ରାହୁଲ ଏବଂ ପ୍ରିୟଙ୍କା ବୁଧବାର ଉତ୍ତରପ୍ରଦେଶର ସାମ୍‌ଲି ଜିଲ୍ଳାରୁ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ପରିବାର ଲୋକଙ୍କୁ ଭେଟି ନିଜର ଦୁଃଖ ପ୍ରକାଶ କରିଛନ୍ତି। ସିଆର୍‌ପିଏଫ୍‌ ଯବାନ ଅମିତ କୁମାର କୋରିଙ୍କ ଉଦେଶ୍ୟରେ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ପ୍ରିୟଙ୍କା ଓ ରାହୁଲ ଯବାନଙ୍କ ସଂପର୍କୀୟମାନଙ୍କୁ ଭେଟି ସମବେଦନା ବାର୍ତ୍ତା ଦେଇଛନ୍ତି।

 

ରାହୁଲ ଯବାନ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି, ‘ମୋ ଭଉଣୀଙ୍କ କହିବା ପରି ଆମ ବାପା(ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ) ମଧ୍ୟ ଏହି ଭଳି ଅଚାନକ ଆମକୁ ଛାଡ଼ି ଚାଲି ଯାଇଥିଲେ। ତେଣୁ ଆମେ ଦୁଃଖ ବୁଝି ପାରୁଛୁ। ଆମେ ଏଠାରେ କେବଳ ୫ ମିନିଟ୍‌ ରହି ଏତିକି କହିବାକୁ ଚାହୁଁଛୁ ଯେ ଆମେ ତୁମ ଦୁଃଖ ବାଣ୍ଟିବାକୁ ଚାହୁଁଛୁ।

ସହିଦ ଅମିତ କୁମାରଙ୍କ ପରେ ରାହୁଲ ଅନ୍ୟ ଜଣେ ସହିଦ ଯବାନ ପ୍ରଦୀପ କୁମାରଙ୍କ ଘର ଲୋକଙ୍କୁ ବି ଭେଟିଥିଲେ। ରାହୁଲ ଗାନ୍ଧୀ ଫେସ୍‌ବୁକ୍‌ରେ ଏକ ଭିଡିଓ ମଧ୍ୟ ପୋଷ୍ଟ୍‍ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରିୟଙ୍କା ସହିଦ ଯବାନଙ୍କ ସଂପର୍କୀୟଙ୍କ ସହ ସୁଖ ଦୁଃଖ ବାଣ୍ଟୁଛନ୍ତି।

ସମ୍ବନ୍ଧିତ ଖବର