ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅଯୋଧ୍ୟା : ଅଯୋଧ୍ୟାଠାରେ ବହୁପ୍ରତୀକ୍ଷିତ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମଙ୍ଗଳବାରଦିନ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ଗୋପାଳ ଦାସ ଅସ୍ଥାୟୀ ମନ୍ଦିରରେ ଥିବା ରାମଲାଲା ବିରାଜମାନଙ୍କୁ ଦର୍ଶନ କରିବା ସହ ରାମ ମନ୍ଦିର ନିର୍ମାଣ ସଂପର୍କରେ ଆନୁଷ୍ଠାନିକ ଘୋଷଣା କରିଥିଲେ । ସେ ମଧ୍ୟ ଆଜି ସକାଳେ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରିଥିଲେ । ଗତ ୨୭ ବର୍ଷ ଧରି ଏକ ତମ୍ବୁରେ ଥିବା ରାମଲାଲାଙ୍କୁ ମାର୍ଚ୍ଚ ୨୫ ତାରିଖରେ ମାନସ ଭବନସ୍ଥିତ ଏକ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଗତ ସପ୍ତାହରେ ମନ୍ଦିର ଜମିର ସମତଳିକରଣ ଚାଲିଥିବାବେଳେ ଖନନରୁ ଏକ ପୁରାତନ ମନ୍ଦିରର ଅବଶେଷ ଆବିଷ୍କୃତ ହୋଇଥିଲା, ଯାହାକି ଆପାତତଃ ଦର୍ଶାଉଛି ଯେ ଅଯୋଧ୍ୟାରେ ବିବାଦୀୟ ସ୍ଥାନରେ ପୂର୍ବରୁ ଏକ ବୃହତ ମନ୍ଦିର ଥିଲା । ଆବିଷ୍କୃତ ସାମଗ୍ରୀ ମଧ୍ୟରେ ଥିଲା ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ, ଏକ ୫ ଫୁଟ ଲମ୍ବ ଶିବଲିଙ୍ଗ, ୧୩ଟି ପ୍ରସ୍ତର ସ୍ତମ୍ଭ, ବିଭିନ୍ନ ଦେବଦେବୀଙ୍କ ଭଗ୍ନ ମୂର୍ତ୍ତି , କଳସ ଆଦି ।

ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ। ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର