ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ ଗୋଟିଏ ଲୋକପ୍ରିୟ ଶ୍ଳୋକାଂଶ ହେଉଛି, “ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।” ତା’ ହେଲେ, ରଥ ସରିଗଲେ, ଶ୍ରୀଜଗନ୍ନାଥ ‘ନୀଳାଦ୍ରି ବିଜେ’ରେ ଯାଇ ରତ୍ନସିଂହାସନରେ ବିରାଜମାନ କଲେ, ଆମେ କ’ଣ ଆଉ ‘ବାମନ’ଙ୍କୁ ଦେଖିପାରିବା ନାହିଁ? ପୁନର୍ଜନ୍ମ ନ ହେବା ପରି ପୁଣ୍ୟ କ’ଣ ଆମକୁ ଅନ୍ୟ ଦିନଗୁଡ଼ିକରେ ମିଳିବ ନାହିଁ?
Sambad is now on WhatsApp
Join and get latest news updates delivered to you via WhatsApp
ଏ ପ୍ରଶ୍ନର ଉତ୍ତର ଖୋଜିବା ଆଗରୁ ପ୍ରଥମେ ଯିବା ପୂରା ଶ୍ଳୋକଟି ପାଖକୁ। ଏଥିରେ କୁହାଯାଇଛି, “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ / ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।”
ଏହାର ଅର୍ଥ, ଦୋଳଯାତ୍ରାର ବେଦି ବା ମଣ୍ଡପରେ ‘ଦୋଳଗୋବିନ୍ଦ’ଙ୍କୁ, ଚନ୍ଦନଯାତ୍ରାର ଚାପ (ଡଙ୍ଗା)ରେ ‘ମଧୁସୂଦନ’ଙ୍କୁ ଓ ନନ୍ଦିଘୋଷ ରଥରେ ‘ବାମନ’ଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ । ଅର୍ଥାତ୍, ଏ ଜନ୍ମ-ମରଣର ସଂସାର-ଚକ୍ରରୁ ମୁକ୍ତି ମିଳିଯାଏ।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ରଥରେ ଯେପରି ନିଜେ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଓ ସେଠୁ ଆସନ୍ତି, ଚନ୍ଦନଯାତ୍ରା ବା ଦୋଳଯାତ୍ରାରେ ସେ ସେପରି ଭାବରେ ଭାଗ ନିଅନ୍ତି ନାହିଁ। ପୂର୍ବେ ଦୋଳଯାତ୍ରାରେ ମଧ୍ୟ ସେ ନିଜେ ଯାଉଥିଲେ। ମାତ୍ର ଥରେ ଦୋଳମଣ୍ଡପର ଦୋଳି ଛିଣ୍ଡି ତାଙ୍କର ଶ୍ରୀଭୁଜ ଭଗ୍ନ ହେବାରୁ, ଆଉ ସେ ନିଜେ ନଯାଇ, ତାଙ୍କର ବିଜେ ପ୍ରତିମା ବା ଉତ୍ସବମୂର୍ତ୍ତି ‘ଦୋଳଗୋବିନ୍ଦ’ (ସ୍ୱତନ୍ତ୍ର ଧାତୁ ବିଗ୍ରହ) ଯାଉଛନ୍ତି। ସେହିପରି, ଚନନ୍ଦଯାତ୍ରାରେ ସେ ନିଜେ ନଯାଇ ତାଙ୍କର ବିଜେ ପ୍ରତିମା ବା ଉତ୍ସବମୂର୍ତ୍ତି ‘ମଦନମୋହନ’ ଯାଇଥାଆନ୍ତି। କିନ୍ତୁ ଏହି ଉଭୟ ବିଜେପ୍ରତିମା ଶ୍ରୀଜଗନ୍ନାଥ ଭାବରେ ହିଁ ବିବେଚିତ ହୁଅନ୍ତି।
ଏଥିରୁ ସ୍ପଷ୍ଟ ହୁଏ ଯେ ରଥରେ ଯେପରି ଶ୍ରୀଜଗନ୍ନାଥଙ୍କର ନାମ ‘ବାମନ’, ସେହିପରି ଦୋଳଯାତ୍ରା ଓ ଚନ୍ଦନଯାତ୍ରାରେ ତାଙ୍କର ନାମ ‘ଦୋଳଗୋବିନ୍ଦ’ ଓ ‘ମଧୁସୂଦନ’।
ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ଶ୍ରୀଜଗନ୍ନାଥଙ୍କର ଏପରି ଭିନ୍ନ ଭିନ୍ନ ନାମ କାହିଁକି? ଏହାର ଉତ୍ସ କ’ଣ? ଏହାର କିଛି ଶାସ୍ତ୍ରୀୟ ଭିତ୍ତି ଅଛି କି?
ଏ ବାବଦରେ ଅନୁଧ୍ୟାନରୁ ଜଣାଯାଏ, ମହର୍ଷି ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ ହିଁ ଏହାର ମୂଳ ଉତ୍ସ। ତାହାର ‘ଅନୁଶାସନ ପର୍ବ’ରେ ଯୁଧିଷ୍ଠିର ପିତାମହ ଭୀଷ୍ମଙ୍କୁ ଉପବାସ ପାଳନର ମହତ୍ତ୍ୱ ସଂପର୍କରେ ପଚାରିଛନ୍ତି। ତାହାର ଉତ୍ତରରେ ଭୀଷ୍ମ ତାଙ୍କୁ ଦ୍ୱାଦଶୀ ତିଥିର ଉପବାସ ଓ ଭଗବାନ ବିଷ୍ଣୁଙ୍କ ପୂଜାର ମାହାତ୍ମ୍ୟ ସଂପର୍କରେ କହିଛନ୍ତି । ସେହି ପ୍ରସଙ୍ଗରେ ବାର ମାସରେ ଭଗବାନ ବିଷ୍ଣୁଙ୍କର ବାରଟି ନାମ ଆସିଛି। ସେହି ବାରଟି ନାମ ହେଉଛି- ୧. ମାର୍ଗଶିର ମାସରେ ‘କେଶବ’, ୨. ପୌଷ ମାସରେ ‘ନାରାୟଣ’, ୩. ମାଘ ମାସରେ ‘ମାଧବ’, ୪. ଫାଲ୍ଗୁନ ମାସରେ ‘ଗୋବିନ୍ଦ’, ୫. ଚୈତ୍ର ମାସରେ ‘ବିଷ୍ଣୁ’, ୬. ବୈଶାଖ ମାସରେ ‘ମଧୁସୂଦନ’, ୭. ଜ୍ୟେଷ୍ଠ ମାସରେ ‘ତ୍ରିବିକ୍ରମ’, ୮. ଆଷାଢ଼ ମାସରେ ‘ବାମନ’, ୯. ଶ୍ରାବଣ ମାସରେ ‘ଶ୍ରୀଧର’, ୧୦. ଭାଦ୍ରବ ମାସରେ ‘ହୃଷିକେଶ’, ୧୧. ଆଶ୍ୱିନ ମାସରେ ‘ପଦ୍ମନାଭ’ ଓ ୧୨. କାର୍ତ୍ତିକ ମାସରେ ‘ଦାମୋଦର’।
ଏଣୁ, ଫାଲ୍ଗୁନ ମାସରେ ଦୋଳଯାତ୍ରା ହେଉଥିବାରୁ, ସେହି ଯାତ୍ରାରେ ସେ ‘ଗୋବିନ୍ଦ’ ବା ‘ଦୋଳଗୋବିନ୍ଦ’ ଏବଂ ଚନ୍ଦନଯାତ୍ରା ବୈଶାଖ ମାସରେ ହେଉଥିବାରୁ, ସେହି ଯାତ୍ରାରେ ସେ ‘ମଧୁସୂଦନ’। ସେହିପରି ରଥଯାତ୍ରା ଆଷାଢ଼ ମାସରେ ହେଉଥିବାରୁ, ସେହି ଯାତ୍ରାରେ ସେ ‘ବାମନ’। ଏଇଥିପାଇଁ ମଧ୍ୟ କାର୍ତ୍ତିକ ମାସରେ ତାଙ୍କର ‘ଦାମୋଦର’ ନାମକୁ ନେଇ ‘ରାଇ-ଦାମୋଦର’ ପୂଜା ହୋଇଥାଏ।
ଏଣୁ, ଅଲଗା ଅଲଗା ମାସରେ ସେ ଅଲଗା ଅଲଗା ନାମରେ ପୂଜିତ ହେଉଥିଲେ ମଧ୍ୟ, ସେ ମୂଳତଃ ଏକ। ଏଣୁ ଦୋଳ ମାସରେ ‘ଦୋଳଗୋବିନ୍ଦ’, ଚନ୍ଦନ ମାସରେ ‘ମଧୁସୂଦନ’ ଓ ରଥ ମାସରେ ‘ବାମନ’ଙ୍କୁ ଦର୍ଶନ କଲେ ଯେପରି ପୁଣ୍ୟ ହୁଏ ଓ ପୁନର୍ଜନ୍ମ ହୁଏ ନାହିଁ- ଅନ୍ୟ ମାସଗୁଡ଼ିକରେ ମଧ୍ୟ ତାଙ୍କୁ ଦର୍ଶନ କଲେ ସେପରି ପୁଣ୍ୟ ହୁଏ ଓ ପୁନର୍ଜନ୍ମ ହୁଏ ନାହିଁ।
ତେଣୁ ରଥଯାତ୍ରା ସରିଗଲେ ମଧ୍ୟ, ଆମେ ଅନ୍ୟ ସବୁ ମାସରେ ଜଗନ୍ନାଥ ବା ସେହି ‘ବାମନ’ଙ୍କୁ ହିଁ ଦର୍ଶନ କରିଥାଉ। କେବଳ ମାସ ଅନୁସାରେ ତାଙ୍କର ନାମ ଭିନ୍ନ ଭିନ୍ନ ହୋଇଥାଏ।