ହାତରେ ବନ୍ଧୁକ ଧରି ଖୋଲାଖୋଲି ଧମକ ଦେଲେ ଆରଜେଡି ନେତା, କହିଲେ-ଆମେ ଗୁଳି ଚଳାଇବାକୁ ପ୍ରସ୍ତୁତ ଅଛୁ

ନୂଆଦିଲ୍ଲୀ: ଆସନ୍ତାକାଲି ଇଭିଏମରୁ ସିଲ ଖୋଲିବା ସହ ଫିଟିବ ନେତାଙ୍କ ଭାଗ୍ୟ । ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିହାରରେ ରାଜନୀତି ପାଣିପାଗ ଉଷ୍ମ ହୋଇଛି ।  ଆରଏଲଏସପି ପ୍ରମୁଖ ଉପେନ୍ଦ୍ର କୁଶୱାହାଙ୍କ ବିବାଦୀୟ ବୟାନକୁ ସମର୍ଥନ କରିବା ସହ ଭଭୁଆର ପୂର୍ବତନ ବିଧାୟକ ତଥା ବକ୍ସର ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରାମଚନ୍ଦ୍ର ଯାଦବ ମଧ୍ୟ ବଡ ବୟାନ ଦେଇଛନ୍ତି । ଯାହା ଫଳାଫଳ ଆସିବା ପୂର୍ବରୁ ବିହାର ସମେତ ଜାତୀୟ ରାଜନୀତିରେ ଭ୍ରୃକୁଞ୍ଚନ ସୃଷ୍ଟି କରିଛି । ହାତରେ ବନ୍ଧୁକ ଧରି ଖୋଲାଖୋଲି ଧମକ ଦେଇଛନ୍ତି ରାମଚନ୍ଦ୍ର ।

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଗୁଳି ଚଳାଇବାକୁ ପ୍ରସ୍ତୁତ ବୋଲି ପ୍ରେସ କନଫରେନ୍‌ସରେ ରାମଚନ୍ଦ୍ର କହିଛନ୍ତି। କେବଳ ମହାଗଠବନ୍ଧନ ନେତା ଆଦେଶ ଦିଅନ୍ତୁ ମୁଁ ଗୁଳି ଚଳାଇବାକୁ ମଧ୍ୟ ପ୍ରସ୍ତୁତ । ଏହାପୂର୍ବରୁ ଉପେନ୍ଦ୍ର କୁଶୱାହା ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ । ପ୍ରଥମେ ବୁଥ୍‌ ଲୁଟ୍‌ ଏବେ ଫଳାଫଳକୁ ଲୁଟ୍‌ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଯଦି ଏଭଳି ହୁଏ ତେବେ ରାସ୍ତାରେ ରକ୍ତର ନଦୀ ବହିବ ବୋଲି କୁଶୱାହା କହିଥିଲେ।

ଏଭଳି ବିବାଦୀୟ ବୟାନ ପାଇଁ କୁଶୱାହାଙ୍କୁ ଟାର୍ଗେଟ କରିଛି ଜେଡିୟୁ । ଆମ କାର୍ଯ୍ୟକର୍ତ୍ତା ଚୁଡି ପିନ୍ଧି ନାହାନ୍ତି ବୋଲି ଜେଡିୟୁ କହିଛି । ସେହିଭଳି ଏଲଜେପି ପ୍ରମୁଖ ରାମବିଳାସ ପାଶୱାନ କହିଛନ୍ତି, ଲୋକତନ୍ତ୍ରକୁ କମଜୋର କରିବାକୁ ଚେଷ୍ଟା କରାଗଲେ ତାହା ବିରୋଧରେ ଲଢେଇ କରିବା ଆବଶ୍ୟକ । ଏଥିପାଇଁ କାର୍ଯ୍ୟକର୍ତ୍ତା ଡିଫେନ୍‌ସିଭ ହେବାର ଆବଶ୍ୟକତା ନାହିଁ ।

 

 

 

 

 

ସମ୍ବନ୍ଧିତ ଖବର