୨ ଘଣ୍ଟାରେ ୫୫ ହଜାର ଟଙ୍କା ଜରିମାନା ଆଦାୟ: ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ

ନିଶାସକ୍ତ ଅବସ୍ଥାରେ ଗିରଫ ହେଲେ ୨ ବାଇକର, ଗାଡ଼ି ଜବତ

ବାଲେଶ୍ୱର: ତିନିମାସର ବ୍ୟବଧାନ ପରେ ରବିବାର ଠାରୁ ପୁଣି ଜୋରଦାର କରାଯାଇଛି ଟ୍ରାଫିକ ନିୟମ। କେବଳ ଲାଇସେନ୍‌ସ, ଫିଟନେସ୍‌ ଓ ପ୍ରଦୂଷଣ ପ୍ରମାଣପତ୍ର ଭଳି କାଗଜପତ୍ରକୁ ବାଦଦେଲେ ଅନ୍ୟ ସବୁକ୍ଷେତ୍ରରେ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏଥିପାଇଁ ପୂର୍ବରୁ ବାରମ୍ବାର ସୂଚନା ଦିଆଯିବା ସହ ବ୍ୟାନର, ହୋଡିଂ, ପୋଷ୍ଟର ଆଦି ଜରିଆରେ ସଚେତନତା କରାଯାଇଥିଲା। ଆଜିଠାରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଧରପଗଡ଼ ଜାରି ରହିବ ବୋଲି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଜଣାଯାଇଛି।

ଏହି ପରିପ୍ରେକ୍ଷୀରେ ରବିବାର ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ବାଲେଶ୍ୱର ସହରର ପୁଲିସ ଲାଇନ୍‌ଛକରେ ଟ୍ରାଫିକ୍‌ ଥାନା ପୁଲିସ ଗାଡ଼ି ଯାଞ୍ଚ୍‌ ଆରମ୍ଭ କରିଥିଲା। ନିୟମ କୋହଳ ପାଇଁ ତିନିମାସର ଅବଧି ସରିସାରିଥିବା ବେଳେ ଡିସେମ୍ବର ୧ ତାରିଖରୁ ଗାଡ଼ି ଯାଞ୍ଚ୍‌ କରାଯିବ ବୋଲି କୁହାଯାଇଥିଲା। ଆଜି ପ୍ରଥମ ଦିନରେ ଟ୍ରାଫିକ୍‌ ଥାନା ପୁଲିସ ଯେପରି ଆକ୍ସନ ମୁଡରେ ଧରପଗଡ଼ କରି ୨ ଘଣ୍ଟାରେ ୫୫ ଜଣଙ୍କ ଠାରୁ ୫୫ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ୨ଜଣ ମଦ୍ୟପ ବାଇକଚାଳକଙ୍କୁ ଗିରଫ କରାଯାଇଛି। ସେଥିରେ ଅଧିକାଂଶ ଗାଡ଼ିଚାଳକ ଯେଉଁମାନେ ଟ୍ରାଫିକ ନିୟମର ସାମାନ୍ୟ ନିୟମ ଉଲ୍ଲଂଘନ କରି ଗାଡ଼ି ଚଳାଉଥିଲେ। ସେମାନେ ପୁଲିସକୁ ଦେଖିବା ପରେ ହଠାତ୍‌ ହଡ଼ବଡ଼େଇ ଯାଇଥିଲେ। ଯେଉଁମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ ପୁଲସକର୍ମୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି ଏହାପରେ ସେମାନଙ୍କ ଠାରୁ ଚାଲାଣ କଟାଯାଇ ଜରିମାନା ଆଦାୟ କରାଯାଇଥିଲା।

ଅନ୍ୟପକ୍ଷରେ ଯାଞ୍ଚ୍‌ ବେଳେ ଗଣମାଧ୍ୟମର ପ୍ରତିନିଧି, କଲେଜ ଅଧ୍ୟାପକ, କର୍ମଜୀବୀ ମହିଳା, କଲେଜ ଛାତ୍ର ଓ ଛାତ୍ରୀ, ନେତା କେହି ବି ବାଦ୍‌ ପଡ଼ିନଥିଲେ। ପୁଲିସ ସେମାନଙ୍କୁ ଧରିବା ପରେ ଚାଲାଣ କାଟି ଜରିମାନା ନେଇଥିବା ଦେଖାଯାଇଛି।

ଗାଡ଼ିଗୁଡ଼ିକ ଯାଞ୍ଚ୍‌ ବେଳେ ବିଶେଷ କରି କେତାଟି ନିୟମ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି, ଯେଉଁଗୁଡ଼ିକ ଉଲ୍ଲଂଘନ କଲେ ଜରିମାନା ଗଣିବାକୁ ପଡ଼ିବ ବୋଲି ଟ୍ରାଫିକ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ସେଗୁଡ଼ିକ ହେଲା ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ନିଶା ସେବନ କରି ଗାଡ଼ି ଚଳାଉଥିଲେ ୧୦ ହଜାର, ଗାଡ଼ି ଚାଳନା ସମୟରେ ମୋବାଇଲ୍‌ ବ୍ୟବହାର କଲେ ୫ ହଜାର, ସିଗ୍ନାଲ ନ ମାନି ଗାଡ଼ି ଚଳାଉଥିଲେ ୫ ହଜାର, ଦ୍ରୁତ ଗତିରେ କିମ୍ବା ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିଲେ ୫ ହଜାର, ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ଚଳାଇଲେ ୫ ହଜାର, ବାଇକ୍ରେ ତିନିଜଣିଆ ଯାତ୍ରା କରୁଥିଲେ ଏକ ହଜାର, ହେଲମେଟ୍‌ ପିନ୍ଧିନଥିଲେ କିମ୍ବା ୪ ଚକିଆ ଗାଡ଼ିର ଡ୍ରାଇଭର ସିଟେ୍ଵଲ୍‌ଟ ବାନ୍ଧି ନଥିଲେ ଏକ ହଜାର, ନାବାଳକ ଗାଡ଼ି ଚଳାଉଥିଲେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିବାକୁ ପଡ଼ିବ ବୋଲି କୁହାଯିବା ସହିତ ସହର ସାରା ବିଭିନ୍ନ ଛକରେ ହୋଡିଂ, ବ୍ୟାନର ଓ ପୋଷ୍ଟର ଆଦି ଲଗାଯାଇ ସଚେତନ କରାଯାଇଥିବା ଟ୍ରାଫିକ ଥାନା ଏସ୍‌ଆଇ ପ୍ରଶାନ୍ତ କୁମାର ରଣସିଂହ କହିଛନ୍ତି।

ସମ୍ବନ୍ଧିତ ଖବର