ସାଧାରଣ ଲୋକଙ୍କ ଭରସା ଜିତି ପାରିଥିବା ଗଣମାଧ୍ୟମ ହିଁ ତିଷ୍ଠି ରହିବ

ଭୁବନେଶ୍ୱର : ବର୍ତ୍ତମାନ ଭାରତରେ ଗଣମାଧ୍ୟମ ଏକ ସଙ୍କଟଜନକ ସ୍ଥିତି ଭିତରେ ଗତି କରୁଛି | ଗଣମାଧ୍ୟମ ସାମ୍ନାରେ ଦେଖାଦେଇଛି ଅନେକ ଆହ୍ୱାନ | ଗୋଟିଏ ପଟେ ସତ୍ତା ବିରୋଧୀ ଖବର ପ୍ରସାରଣ ଉପରେ ଲାଗୁ ହୋଇଯାଇଛି ଅଘୋଷିତ ଅଙ୍କୁଶ, ପୁଣି ଭିନ୍ନ ମତ କିମ୍ବା ସ୍ୱଳ୍ପ ମତ ପ୍ରତି ସହନଶୀଳତା କ୍ରମଶଃ ଅପସରି ଯାଉଛି | ପୁଣି ଯେଉଁ ସମୟ ଆଗକୁ ଆସୁଛି ତାହା ସହିତ ତାଳ ଦେବା ପାଇଁ ଗଣମାଧ୍ୟମକୁ ବୈଷୟିକ ପରିବର୍ତ୍ତନର ଆହ୍ୱାନକୁ ବି ସାମ୍ନା କରିବା ଆବଶ୍ୟକ ହୋଇଉଠିଛି | ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମର ସ୍ଥିତି-ଅଭିବୃଦ୍ଧି ଖବର ପ୍ରସ୍ତୁତି ଓ ପ୍ରସାରଣର ଶୈଳୀ ଉପରେ ବହୁ ଭାବରେ ନିର୍ଭର କରୁଛି | ସାମ୍ପ୍ରତିକ ଦୃଶ୍ୟପଟ୍ଟରେ ସେହି ଗଣମାଧ୍ୟମ ତିଷ୍ଠି ରହିବ ଯାହାପାଖରେ ପାରମ୍ପରିକଠାରୁ ଅତ୍ୟାଧୁନିକ ବ୍ୟବସ୍ଥା ପର୍ଯ୍ୟନ୍ତ ମାଧ୍ୟମ ଉପଲବ୍ଧ ଥିବ | ସର୍ବୋପରି ଖବର ପରିବେଷଣ ମାଧ୍ୟମରେ ଲୋକମାନଙ୍କର ଭରସା ଜିଣିପାରିଥିବା ଗଣମାଧ୍ୟମ ହିଁ ସମୟର ଆହ୍ୱାନକୁ ମୁକାବିଲା କରି ତିଷ୍ଠି ରହିପାରିବ | ଖବର ପ୍ରସ୍ତୁତିରେ ତଥ୍ୟନିଷ୍ଠତା ଏବଂ ବିଶ୍ୱସନୀୟତା ହିଁ ଏକ ଗଣମାଧ୍ୟମକୁ ଦୀର୍ଘ କାଳ ଧରି ବଞ୍ଚାଇ ରଖିବା ସହ ଆଗକୁ ବଢ଼ାଇ ନେଇପାରିବ | ସେ ମୁଦ୍ରିତ ଗଣମାଧ୍ୟମ ହେଉ ବା ଟେଲିଭିଜନ କିମ୍ବା ଡିଜିଟାଲ ଦୁଇଟି କଥା ହିଁ ଏହାର ସଫଳତା ଓ ପାଠକପ୍ରିୟତାକୁ ବଜାୟ ରଖିପାରିବ, ତାହା ହେଉଛି ଖବରର ଗୁଣବତ୍ତା ଏବଂ ବିଶ୍ୱସନୀୟତା | ଆଜି ରାଜ୍ୟର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ‘ସମ୍ବାଦ’ ର ୩୫ ତମ ଜନ୍ମବାର୍ଷିକୀରେ ଯୋଗ ଦେଇ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ମତାମତ ରଖିଛନ୍ତି ଦେଶର ଦୁଇ ଜଣାଶୁଣା ଗଣମାଧ୍ୟମ ବ୍ୟକ୍ତିତ୍ୱ  କରନ ଥାପର ଓ ରାମକୃପାଲ ସିଂହ |

ଗଣମାଧ୍ୟମ କ୍ଷମତାଶାଳୀଙ୍କୁ ପ୍ରଶ୍ନ କରିବାର କ୍ଷମତାକୁ  ପାସୋରି ଯାଇଛି : କରଣ ଥାପର

ଆଜିକାଲି କ’ଣ ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ଓ ବିଶ୍ୱସନୀୟତାର ସଂକଟ ଦେଖାଦେଇଛି ?  କ’ଣ ଏବେ ଗଣମାଧ୍ୟମ ଏବେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ନ ହୋଇ ଏକ ‘ପୋଷା କୁକୁର’ ହୋଇଯାଇଛି ? ଏ ପରି କେତେକ  ପ୍ରଶ୍ନର  ଉତ୍ତର ଖୋଜିବାକୁ ଚେଷ୍ଟା କରିଛନ୍ତି ଲୋକପ୍ରିୟ ଟେଲିଭିଜନ ସାମ୍ବାଦିକ କରନ ଥାପାର । ‘ସମ୍ବାଦ’ର ୩୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ କହିଥିଲେ ଯେ ଆଜିକାଲି ଭାରତୀୟ ଗଣମାଧ୍ୟମ କ୍ଷମତାରେ ଥିବା ଲୋକମାନଙ୍କୁ ପ୍ରଶ୍ନ କରିବାର କ୍ଷମତା ହରାଇଛି । ସତ୍ୟର ସନ୍ଧାନ ହେଉଛି ଖବରର ଆତ୍ମା । ସମୟ ବଦଳିବା ସହିତ ସମ୍ବାଦ ପରିବେଷଣର ପଦ୍ଧତି ବଦଳି ଥାଏ କିନ୍ତୁ ଏହି ଆତ୍ମାଟି କେବେ ବଦଳେ ନାହିଁ । ସାମ୍ବାଦିକମାନଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ସତ୍ୟର ସନ୍ଧାନ, ସଠିକତା ଓ ନିରପେକ୍ଷତା । ଯଦି ସାମ୍ବାଦିକ ଏହାକୁ ପୂରଣ କରି ନପାରେ ସେ ତେବେ ବିଫଳ ହେବା ଅବଶ୍ୟମ୍ଭାବୀ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଏ ଗୁଡ଼ିକ ହିଁ ଆଜିକାଲି ସାମ୍ବାଦିକତାରେ ଦିନକୁ ଦିନ ବିରଳ ହେଉଛି । ସାମ୍ବାଦିକ ନିରପେକ୍ଷ ଖବର ପରିବେଷଣ ବଦଳରେ ନିଜର ମତ ଲୋକଙ୍କ ଉପରେ ଲଦିଦେଉଛି । ସୋସିଆଲ ମିଡିଆରେ ବିଭିନ୍ନ  ହ୍ୟାସଟାଗ୍‌ ମାଧ୍ୟମରେ ଲୋକଙ୍କ ମନରେ ବଳପୂର୍ବକ ଏକ ପ୍ରସଙ୍ଗକୁ ଲଦିଦେଉଛି । ଏହା ହିଁ ଆମ ସାମ୍ବାଦିକତାର ମାନକୁ ତଳକୁ ନେଇଯାଉଛି । ତଥାପି ଆଶାର ଆଲୋକ ରହିଛି । ସାମ୍ବାଦିକମାନେ ତଥ୍ୟଭିତ୍ତିକ ଓ ନିରପେକ୍ଷ ଖବର ପରିବେଷଣ କଲେ ଗଣମାଧ୍ୟମର ମାନ ଉପରକୁ ଉଠିପାରିବ ।

ଓଡ଼ିଶାର ହୋଇଥିବା ଗ୍ରାହାମ ଷ୍ଟେନ୍ସ ହତ୍ୟା ପ୍ରସଙ୍ଗର ଅବତାରଣା କରି ସେ କହିଥିଲେ, ସମସ୍ତେ ଏହି ଘଟଣାକୁ ହିଁ ପରିବେଷଣ କରି ଦେଲେ । କିନ୍ତୁ କାହିଁକି ଏପରି ଘଟଣା ଘଟିଲା ତାହାର ମୂଳକୁ କେହି ଗଲେ ନାହିଁ । ଟିଭି କେବଳ ଘଟଣାକୁ ଦେଖାଇଲା, କିନ୍ତୁ ଏହା କହିଲା ନାହିଁ ଯେ କାହିଁକି ଏକ ଶାନ୍ତିପ୍ରିୟ ରାଜ୍ୟର ଲୋକ ଏପରି ଘଟଣା ଘଟାଇଲେ । ଏଣୁ କ୍ୟାମେରାମ୍ୟାନ ଯାହା ଦେଖାଇଲା ତାହା ନୁହେଁ, ବରଂ ସାମଗ୍ରିକ ଭାବେ ସବୁ ଦିଗରୁ ଦୃଷ୍ଟି ଦେଇ ଖବର ପରିବେଷଣ ହେବା ଉଚିତ ।

ତଥ୍ୟଭିତ୍ତିକ ଓ ବିଶ୍ୱସନୀୟ ଖବର ପରିବେଷଣ ଜରୁରୀ : ରାମକ୍ରିପାଲ ସିଂ

ଏହି ସମାରୋହରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିବା  ବରିଷ୍ଠ ସାମ୍ବାଦିକ ତଥା ନବଭାରତ ଟାଇମ୍ସର ପ୍ରାକ୍ତନ ସଂପାଦକ ରାମକ୍ରିପାଲ ସିଂ କହିଥିଲେ ଯେ ପାଠକ ହିଁ ସମ୍ବାଦପତ୍ରର ଭଗବାନ । ପାଠକଙ୍କ ଭରସା ରକ୍ଷାକରିବା ହିଁ ସମ୍ବାଦପତ୍ରର ମୁଖ୍ୟ କର୍ତ୍ତବ୍ୟ । ପାଠକଙ୍କ ଚାହିଦାକୁ ଚିହ୍ନିବା ଲାଗି ସମ୍ବାଦପତ୍ର ଉଦ୍ୟମ କରିବା ଆବଶ୍ୟକ । ସେ ଏହା ମଧ୍ୟ କହିଥିଲେ ଯେ ତଥ୍ୟଭିତ୍ତିକ ଓ  ଭରସାଯୋଗ୍ୟ ଖବର ହିଁ ସମ୍ବାଦପତ୍ରର ଆତ୍ମା । ଏବେ ଆଞ୍ଚଳିକ ଭାଷାର ଖବରକାଗଜ ଲାଗି ବିଭିନ୍ନ ଆହ୍ଵାନ ଆସିଥିଲେ ମଧ୍ୟ ଏହା  ଆଗକୁ ତିଷ୍ଠି ରହିବ । କାରଣ ସାଧାରଣ ଲୋକଙ୍କ ଜାଣିବାର ଭୋକକୁ ଆଞ୍ଚଳିକ ଖବରକାଗଜ ହିଁ ପୂରଣ କରିଥାଏ । ଆଞ୍ଚଳିକ ବା ସ୍ଥାନୀୟ ଭାଷା ହିଁ ଲୋକମାନଙ୍କ ଜୀବନ ସହିତ ଜଡ଼ିତ ହୋଇ ରହିଥାଏ ।

ଭିନ୍ନମତକୁ ବରଦାସ୍ତ କରିବାର ମାନସିକତା ହ୍ରାସ ପାଉଛି : ସୌମ୍ୟରଞ୍ଜନ ପଟ୍ଟନାୟକ

ଏହି ଅବସରରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଭିନ୍ନମତ ଗଣତନ୍ତ୍ରର ଏକ  ଶକ୍ତି । କିନ୍ତୁ ଆମ ଗଣତନ୍ତ୍ରରେ ଭିନ୍ନମତକୁ ବରଦାସ୍ତ କରିବାର ମାନସିକତା କ୍ରମଶଃ ହ୍ରାସ ପାଉଛି । ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ହୋଇଥିଲେ ମଧ୍ୟ ଅନ୍ୟ ୩ଟି ସ୍ତମ୍ଭ ତାହାକୁ ଭାଙ୍ଗିବାକୁ ବସିଲେଣି ।  କାରଣ ଆମ ଭିତରେ ଭିନ୍ନ ମତକୁ ବରଦାସ୍ତ କରିବାର କ୍ଷମତା ହ୍ରାସ ପାଉଛି । ପ୍ରଧାନମନ୍ତ୍ରୀ ଯାହା ଦେଖିପାରୁନାହାନ୍ତି, ମୁଖ୍ୟମନ୍ତ୍ରୀ ଯାହା ଶୁଣିପାରୁନାହାନ୍ତି ତାହା ସେମାନଙ୍କୁ ଦେଖେଇବାର ବା ଶୁଣେଇବାର ଦାୟିତ୍ୱ ଗଣମାଧ୍ୟମର ରହିଛି ।

ସେ ଏହି ଅବସରରେ ଦୈନିକ ଖବର କାଗଜ ‘ସମାଜ’ର ଶତବର୍ଷ ପୂର୍ତ୍ତିଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଓଡ଼ିଶାର ବରେଣ୍ୟ ଜନନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ  ସମାଜ ଅନୁଷ୍ଠାନକୁ  ନମସ୍କାର ନ କରି ରହି ହେଉନାହିଁ । ୧୦୦ ବର୍ଷର ‘ସମାଜ’କୁ ଦେଖିଲେ ୩୫ ବର୍ଷର ଯୁବକ ‘ସମ୍ବାଦ’ ଉତ୍ସାହିତ ହେଉଛି ।

ଉତ୍ସବର ପ୍ରାରମ୍ଭରେ  ‘ସମ୍ବାଦ’ର ସଂପାଦକ (ଫିଚର) ଗୌରହରି ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସମ୍ବାଦଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ  କହିଥିଲେ ଯେ ‘ସମ୍ବାଦ’ ମାତ୍ର ୩୫ ବର୍ଷ ମଧ୍ୟରେ ୬୬ ଲକ୍ଷରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚିପାରିଛି । ଏହା ଏକ ସାଧାରଣ ସଫଳତା ନୁହେଁ । ଏହି ସଫଳତା ପଛରେ ପାଠକ, ବିତରକ ଓ ସାଧାରଣ ଜନତାଙ୍କ ଆଶୀର୍ବାଦ ରହିଛି।

‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ସମ୍ବାଦର ସଫଳ ଯାତ୍ରା ଲାଗି ପାଠକ, ବିତରକ, ବିଜ୍ଞାପନଦାତା ଓ ସାଧାରଣ ଜନତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ସମ୍ବାଦର ବାର୍ଷିକ ବିଶେଷାଙ୍କର ଉନ୍ମୋଚନ ହୋଇଥିଲା ।

 

 

ସମ୍ବନ୍ଧିତ ଖବର