ଉଭୟ କଂଗ୍ରେସ-ବିଜେଡି ସରକାର ରାଜ୍ୟର ଲୋକଙ୍କୁ ଠକିଛନ୍ତି: ଶିବରାଜ ସିଂହ ଚୌହାନ

ଜଗତସିଂହପୁର: କଂଗ୍ରେସ ସରକାର ଦେଶକୁ ୫୦ ବର୍ଷରୁ ଅଧିକ ସମୟ ଧରି ଶାସନ କରିଛି। ଓଡ଼ିଶାରେ ବିଜୁ ଜନତା ଦଳ ୨୦୦୦ ମସିହାରୁ କ୍ଷମତାରେ ଅଛି। ମାତ୍ର ରାଜ୍ୟର ସାଧାରଣ ଲୋକଙ୍କର ବିକାଶ ହୋଇ ପାରି ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତନରା ନଦୀ ପଠାରେ ବିଜେପିର ବିଜୟ ସଂକଳ୍ପ ସଭାରେ ମଙ୍ଗଳବାର ଶିବରାଜ କହିଛନ୍ତି, ଉଭୟ କଂଗ୍ରେସ ଓ ବିଜେଡି ସରକାର ରାଜ୍ୟର ଲୋକଙ୍କୁ ଠକିଛନ୍ତି।

କଂଗ୍ରେସକୁ ଟାର୍ଗେଟ କରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି, ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ କେବଳ ଗରିବୀ ହଟାଓ ନାରା ଦେଇଛନ୍ତି କିନ୍ତୁ ଗରିବୀ ହଟାଇବା ପାଇଁ ସେମାନେ କ’ଣ କରିଛନ୍ତି? ଦେଶରେ ଆଜିଯାଏଁ ଗରିବୀ ହଟି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ବର୍ଷ କାଳରେ ଯାହା କରିଛନ୍ତି, କଂଗ୍ରେସ ତାହା ୫୦ ବର୍ଷରେ ମଧ୍ୟ କରିପାରି ନଥାନ୍ତା।

ସେହିପରି ବିଜେଡିକୁ ଟାର୍ଗେଟ କରି ଶିବରାଜ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସରକାରରେ ନାରୀ ନିଯ୍ୟାତନା, ହିଂସା, ଗୁଣ୍ଡାଗିରି ବଢ଼ିଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୁନ୍ଦୁଲି ପୀଡ଼ିତା। ରାଜ୍ୟ ସରକାର କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରି ନାହାନ୍ତି। ନ୍ୟାୟରୁ ବଂଚିତ ହେବା ପରେ କୁନ୍ଦୁଲି ପୀଡ଼ିତା ଶେଷରେ ଆତ୍ମହତ୍ୟା କରିଛି।

ସମ୍ବନ୍ଧିତ ଖବର