ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ହେଲେ ସୌମ୍ୟରଂଜନ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଆଜି ଚୂଡ଼ାନ୍ତପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ଏହି ତାଲିକାରେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ଶ୍ରୀ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ମାସ ୭ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଦଳ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ଦଳର ଇସ୍ତାହାର କମିଟିର ସହ-ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ପୂର୍ବରୁ ୧୯୯୬ ଲୋକସଭା ନିର୍ବାଚନରେ ଶ୍ରୀ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସିପିଏମ୍‌ ପ୍ରାର୍ଥୀ ଶିବାଜୀ ପଟ୍ଟନାୟକଙ୍କୁ ହରାଇ ଭୁବନେଶ୍ୱରରୁ ବିଜୟୀ ହୋଇଥିଲେ।

ଶ୍ରୀ ପଟ୍ଟନାୟକ ୨୦୧୪ ବିଧାନସଭା ନିର୍ବାଚନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସ୍ୱଗଠିତ ‘ଆମ ଓଡ଼ିଶା’ ଦଳର ମୁଖ୍ୟ ଶ୍ରୀ ପଟ୍ଟନାୟକ ମାତ୍ର ୬୦୧ ଖଣ୍ଡ ମୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକଟରେ ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳର ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହଙ୍କଠାରୁ ପରାଜିତ ହୋଇଥିଲେ।

୬୭ ବର୍ଷ ବୟସ୍କ ଶ୍ରୀ ପଟ୍ଟନାୟକ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ କିଛି ଦିନ ଅଧ୍ୟାପନା କରିଥିଲେ। ତା’ପରେ ସେ ୧୯୮୪ ମସିହାରେ ‘ସମ୍ବାଦ’ ର ପ୍ରତିଷ୍ଠା କରି ଗଣମାଧ୍ୟମ ପରିସରକୁ ପ୍ରବେଶ କରିଥିଲେ ।

ସମ୍ବନ୍ଧିତ ଖବର