ସୁରଙ୍କ ଦମ୍ଭୋକ୍ତି: ଏଥର କଂଗ୍ରେସ ଜିତିବ ମୋଟ ୧୪୭ଟି ବିଧାନସଭା ଆସନରୁ ୯୬ଟି ଆସନ

ଭୁବନେଶ୍ୱର: ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ଯେତିକି  ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କିଏ ଶାସନ ଗାଦିରେ ବସିବ, ତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର ଧରୁଛି। ଆଉ ଏହାରି ଭିତରେ ନେତାଙ୍କ ବୟାନବାଜି ସାମ୍ନାକୁ ଆସୁଛି। ବିଜେପି ୧୨୦ ମିଶନ କଥା କହୁଥିବା ବେଳେ ବିଜେଡି ୧୩୦ ଆସନ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଆଉ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସୁର ରାଉତରାୟ କହିଛନ୍ତି, ବିଜେପି ଏବଂ ବିଜେଡିର ଶୂନ କଟିବ। ଅର୍ଥାତ ଆଗାମୀ ନିର୍ବାଚନରେ ବିଜେପି ୧୨ଟି ବିଧାନସଭା ଆସନ ପାଇବ ଏବଂ ବିଜେଡି ୧୩ଟି ବିଧାନସଭା ଆସନ ପାଇବ । ଏହି ୨୫ଟି ଆସନକୁ ଛାଡିଦେଲେ, ସ୍ୱାଧୀନ ଏବଂ ଅନ୍ୟ କିଛି ଦଳ କିଛି ଆସନ ଅକ୍ତିଆର କରିବେ । ମୋଟ ୧୪୭ଟି ବିଧାନସଭା ଆସନରୁ କଂଗ୍ରେସ ୯୬ଟି ଆସନ ଅକ୍ତିଆର କରିବା ସହ ରାଜ୍ୟରେ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କେବଳ ବିଧାନସଭା ନୁହେଁ, ଲୋକସଭାରେ ମଧ୍ୟ କଂଗ୍ରେସକୁ ବହୁମତ ମିଳିବ। ୨୧ଟି ଲୋକସଭା ଆସନରୁ ୧୫ଟି ଆସନ, କଂଗ୍ରେସ ଅକ୍ତିଆର କରିବ ବୋଲି ସୁର କହିଛନ୍ତି ।

ଜଟଣୀ ବିଧାନସଭା ଆସନରୁ ସୁର ରାଉତରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ, ଏହି ଆସନରେ ସେ ନିଶ୍ଚିତ ବିଜୟ ହାସଲ କରିବେ ବୋଲି କହିଛନ୍ତି । ସେପଟେ ଟିକେଟ୍‌ ବଣ୍ଟନକୁ ନେଇ ନିକଟରେ କଂଗ୍ରେସ ଭବନରେ ହୋଇଥିବା ଭଙ୍ଗାରୁଜାକୁ ସେ ନିନ୍ଦା କରୁଥିବା କହିଛନ୍ତି । ଏପରିକି ଏଭଳି କାଣ୍ଡ ଭିଆଇଥିବା ଦୁବୃର୍ତ୍ତଙ୍କ ବିରୋଧରେ ସେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର