ସୁରେନ୍ଦ୍ର-ସୁରେନ୍ଦ୍ର କେନ୍ଦ୍ରାପଡ଼ାରେ…! ଜାଣନ୍ତୁ କେଉଁ ସୁରେନ୍ଦ୍ର ମାତ୍ର ୬୬ ଖଣ୍ଡ ଭୋଟରେ ଜିଣିଥିଲେ ଲୋକସଭା ନିର୍ବାଚନ

ଭୋଟ ପେଡ଼ିର ପୁରୁଣା କଥା-୧

0

ନିର୍ବାଚନ ଲଢ଼େଇ ଯେକୌଣସି ଦୌଡ଼ ପ୍ରତିଯୋଗିତା ପରି ବେଶ୍‌ ରୋମାଞ୍ଚକର। ଦୌଡ଼ ଆରମ୍ଭରୁ ପଛରେ ରହିଯାଇଥିବା ପ୍ରତିଯୋଗୀ କିଛି ସମୟ ପରେ ଦେଖିଲା ବେଳକୁ ଦୌଡ଼ୁଥାଏ ବେଶ୍‌ ଆଗରେ। କେହି ଦକ୍ଷ ପ୍ରତିଯୋଗୀ ହଠାତ୍‌ ଝୁଣ୍ଟିପଡ଼ି ପ୍ରତିଯୋଗିତାରୁ ବାହାର ହୁଏ ତ ଅନ୍ୟ କେହି ଶେଷ ପର୍ଯ୍ୟାୟରେ ଜିତିଯାଏ ଅତି ଅପ୍ରତ୍ୟାଶିତ ଭାବେ। ତେବେ ଶୀର୍ଷ ପ୍ରତିଯୋଗୀମାନେ ଯଦି ଦକ୍ଷତାରେ ସମାସ୍କନ୍ଦ ଥାଆନ୍ତି ତେବେ ପ୍ରତିଯୋଗିତା ଆହୁରି ଉତ୍କଣ୍ଠାପୂର୍ଣ୍ଣ ହୁଏ।

ଠିକ୍‌ ସେମିତି ଏକ ଉତ୍କଣ୍ଠାପୂର୍ଣ୍ଣ ପ୍ରତିଦ୍ଵନ୍ଦ୍ୱିତା ଦେଖିବାକୁ ମିଳିଥିଲା ୧୯୬୨ ମସିହା ଲୋକସଭା ନିର୍ବାଚନରେ। ଓଡ଼ିଶାର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ। ଏହି ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ଵନ୍ଦ୍ୱୀ ଥିଲେ ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ କଥାଶିଳ୍ପୀ କଂଗ୍ରେସ ନେତା ସୁରେନ୍ଦ୍ର ମହାନ୍ତିଏବଂ ପ୍ରଜା ସୋସାଲିଷ୍ଟ ପାର୍ଟିର ତୁଙ୍ଗ ନେତା ସୁରେନ୍ଦ୍ର ନାଥ ଦ୍ଵିବେଦୀ। ନିଜ ନିଜ କ୍ଷେତ୍ରରେ ବେଶ୍‌ ନାମ କମାଇଥିବା ଏ ଦୁଇ ସୁରେନ୍ଦ୍ରଙ୍କ ଭିତରେ ଏମିତି କଡ଼ା ଟକ୍କର ହୋଇଥିଲା ଯେ ଏହି ନିର୍ବାଚନର ଫଳାଫଳ ଆଜି ଏକ ସ୍ମରଣୀୟ ଇତିହାସ ପାଲଟି ଯାଇଛି। ଓଡ଼ିଶାର ଲୋକସଭା ନିର୍ବାଚନର ଇତିହାସରେ ଏହା ଥିଲା ସବୁଠାରୁ ଅଧିକ ପ୍ରତିଦ୍ଵନ୍ଦ୍ୱିତାମୂଳକ ଲଢ଼େଇ, ଯେଉଁଥିରେ ନିର୍ବାଚିତ ପ୍ରତିନିଧି ମାତ୍ର ୬୬ଟି ଭୋଟ ବ୍ୟବଧାନରେ ଲୋକସଭା ନିର୍ବାଚନ ଜିତିଥିଲେ।

୧୯୧୩ ମସିହାରେ ଜନ୍ମିତ ପ୍ରଖ୍ୟାତ ସମାଜବାଦୀ ନେତା ସୁରେନ୍ଦ୍ର ନାଥ ଦ୍ଵିବେଦୀ ଓଡ଼ିଶାର ଜଣେ ପ୍ରଚଣ୍ଡ ପ୍ରତିଭାବାନ୍‌ ରାଜନେତା। ସ୍ୱାଧୀନତା ପରେ ପରେ ୧୯୫୨ ମସିହାରେ ଗଠିତ ପ୍ରଥମ ରାଜ୍ୟସଭା ପାଇଁ ସେ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ। ୧୯୫୨ରୁ ୧୯୫୬ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ରହିବାପରେ ସେ ୧୯୫୭ ଦ୍ଵିତୀୟ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୨ ଲୋକସଭା ନିର୍ବାଚନରେ ସେ ପୁଣିଥରେ ଏହି ବିଜୟ ଦୋହରାଇବାକୁ ଚାହୁଁଥିଲା ବେଳେ ତାଙ୍କ ସମ୍ମୁଖରେ ପ୍ରତିଦ୍ଵନ୍ଦ୍ୱିତାକୁ ଓହ୍ଲାଇଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି।

ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରକ୍ରିୟା। ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ ସବୁଠି ଅନୁଭୂତ ହେଲାଣି ରାଜନୈତିକ ଉଷ୍ଣତା। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ ଡଟ୍‌ ଇନ୍‌’ର ପାଠକଙ୍କ ଲାଗି ଆଜି ଠାରୁ ଆରମ୍ଭ କରାଯାଉଛି ଭିନ୍ନସ୍ୱାଦର ସ୍ତମ୍ଭ

‘ଭୋଟ ପେଡିର ପୁରୁଣା କଥା’

ଓଡ଼ିଶାର ନିର୍ବାଚନୀ ଇତିହାସର ବହୁ ଜଣା-ଅଜଣା ପ୍ରସଙ୍ଗ ଏହି ସ୍ତମ୍ଭରେ ନିୟମିତ ପ୍ରକାଶିତ ହେବ।

ବୟସରେ ଦ୍ଵିବେଦୀଙ୍କ ଠାରୁ ୯ ବର୍ଷ ସାନ ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମ ୧୯୨୨ ଖ୍ରୀଷ୍ଟାବ୍ଦରେ। ସେ ମଧ୍ୟ ସୁରେନ୍ଦ୍ର ଦ୍ଵିବେଦୀଙ୍କ ଭଳି ୧୯୫୨ଠାରୁ ପ୍ରଥମ ରାଜ୍ୟସଭା ସଦସ୍ୟ ଥିଲେ । ୧୯୫୭ ଲୋକସଭା ନିର୍ବାଚନରେ ଦ୍ଵିବେଦୀ କେନ୍ଦ୍ରାପଡ଼ାରୁ ଲୋକସଭାକୁ ଯାଇଥିବାବେଳେ ମହାନ୍ତି ଗଣତନ୍ତ୍ର ପରିଷଦ ଟିକେଟରେ ଢେଙ୍କାନାଳ ଆସନରୁ ଲୋକସଭା ନିର୍ବାଚନ ଜିତିଥିଲେ। ତେବେ ୧୯୬୨ରେ ସେ କଂଗ୍ରେସ ଦଳରେ ଯୋଗଦେଇ କେନ୍ଦ୍ରାପଡ଼ା ଆସନରେ ଲୋକସଭାପାଇଁ ଲଢ଼ିଥିଲେ ପିଏସ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ନାଥ ଦ୍ଵିବେଦୀଙ୍କ ବିରୁଦ୍ଧରେ। ଏ ଦୁଇ ସମାସ୍କନ୍ଦ ଯୋଦ୍ଧାଙ୍କ ଭିତରେ ଲଢ଼େଇ ଏତେ ତୀବ୍ର ହୋଇଥିଲା ଯେ କେନ୍ଦ୍ରାପଡ଼ାରୁ ନିର୍ବାଚନ କିଏ ଜିତିବ ବୋଲି ସାରା ରାଜ୍ୟ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲା।

ଭୋଟ ଗଣତି ପରେ ରିଟର୍ଣ୍ଣିି ଅଫିସର କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ମହାନ୍ତି ୨୧୨ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିବା କଥା ପ୍ରୋଭିଜନାଲ ଡିକ୍ଲାରେସନ୍‌ ଦେଇଥିଲେ। ମାତ୍ର ପ୍ରତିପକ୍ଷର ଆବେଦନ କ୍ରମେ ସାନିଗଣତି ପରେ ସୁରେନ୍ଦ୍ରନାଥ ଦ୍ଵିବେଦୀ ୬୬ ଖଣ୍ଡ ଭୋଟରେ ନିର୍ବାଚିତ ହୋଇଛନ୍ତି ବୋଲି ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଥିଲା। ଏହା ଥିଲା ଓଡ଼ିଶା ଲୋକସଭା ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ପ୍ରତିଦ୍ଵନ୍ଦ୍ୱିତାମୂଳକ ଲଢ଼େଇ। ଏତେ କମ୍‌ ବ୍ୟବଧାନରେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ୟକେହି ଲୋକସଭା ନିର୍ବାଚନ ଜିତିନାହାନ୍ତି।

ଏ ସଂପର୍କରେ ସୁରେନ୍ଦ୍ର ମହାନ୍ତି ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ପଥ ଓ ପୃଥିବୀ’ରେ ଲେଖିଛନ୍ତି- ‘‘ମୁଁ ୨୧୨ ଭୋଟରେ ଜିତିଥିବା ସମ୍ବାଦ ପାଇ ଜିପ୍‌ରେ ବାହାରିଛି, ଇଲେକ୍‌ସନ୍‌ ସାର୍ଟିଫିକେଟ ସଂଗ୍ରହ କରିବା ପାଇଁ, ବିପରୀତ ଦିଗରୁ ଆସୁଛନ୍ତି, କେନ୍ଦ୍ରାପଡ଼ାରୁ ଜିପ୍‌ରେ ମୋର କେତେଜଣ କାଉଣ୍ଟିଂ ଏଜେଣ୍ଟ ଓ ବରିଷ୍ଠ ସମର୍ଥକ। ବହୁଗ୍ରାମ ବଜାରରେ ସେମାନେ ମୋତେ ଦେଖି ମୋ ଜିପ୍‌ ଅଟକାଇ ଭୋ ଭୋ କାନ୍ଦିଉଠିଲେ। ….. ମୋର ଆକସ୍ମିକ ପରାଜୟରେ ମୁଁ ଯେତେ ସକ୍‌ଡ ହୋଇନଥିଲି, ତା’ଠାରୁ ସେମାନେ ହୋଇଥିଲେ ବେଶୀ।’’

ସୁରେନ୍ଦ୍ରନାଥ ଦ୍ଵିବେଦୀ କେବଳ ୧୯୬୨ ନୁହେଁ, ପରେ ପୁଣିଥରେ ୧୯୬୭ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହେଲେ। କିନ୍ତୁ ପରବର୍ତ୍ତୀ ଲୋକସଭା ନିର୍ବାଚନ ୧୯୭୧ରେ କେନ୍ଦ୍ରାପଡ଼ାରୁ ସୁରେନ୍ଦ୍ର ମହାନ୍ତି ଉତ୍କଳ କଂଗ୍ରେସ ଟିକେଟରେ ନିର୍ବାଚନ ଜିଣିଲେ । ତା’ପରେ ସୁରେନ୍ଦ୍ର ମହାନ୍ତି ରାଜ୍ୟସଭାର ସଦସ୍ୟ ରହିଲେ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତଏବଂ ସେଠାରୁ ଫେରି ସାମ୍ବାଦିକତା ବୃତ୍ତିରେ ମନୋନିବେଶ କଲେ। ସେ ଦୈନିକ ‘ସମ୍ବାଦ’ର ସଂପାଦକ ପଦ ମଣ୍ଡନ କଲେ ଯାହାକି ପରବର୍ତ୍ତୀ ସମୟରେ ଓଡ଼ିଶାର ଏକ ନମ୍ବର ଖବରକାଗଜର ମାନ୍ୟତା ପାଇଲା। ଅନ୍ୟ ପକ୍ଷରେ ସୁରେନ୍ଦ୍ର ନାଥ ଦ୍ଵିବେଦୀ ସକ୍ରିୟ ରାଜନୀତିରୁ ଅବସର ନେଇ ୧୯୯୧ରେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ପଦ ମଣ୍ଡନ କଲେ।

ନିଜ ନିଜ କ୍ଷେତ୍ରରେ ଉଭୟ ସୁରେନ୍ଦ୍ର ଥିଲେ ପାରଙ୍ଗମ ନେତା। ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ସମାଜସେବା କ୍ଷେତ୍ରରେ ସେମାନଙ୍କର ଅବଦାନ ସବୁଦିନ ସ୍ମରଣୀୟ ହୋଇରହିବ।

-ଲେଖକ ଜଣେ ସ୍ତମ୍ଭକାର ଓ ‘ଆମ ଓଡ଼ିଶା’ର ସମ୍ପାଦକ 

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.