ତାଇଓ୍ଵାନ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

ହୁଆଲିଏନ(ତାଇଓ୍ଵାନ): ତାଇଓ୍ଵାନର ଉପକୂଳ ସହର ହୁଆଲିଏନରେ ଗତ କାଲି ରାତିରେ ହୋଇଥିବା ଭୟଙ୍କର ଭୂମିକମ୍ପ ଫଳରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ତେବେ ଅନେକ ଲୋକ ଏବେବି ନିଖୋଜ ଥିବାରୁ ଆଗାମୀ ସମୟରେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।
ଗତ କାଲି ରାତି ୧୧ଟା ୩୦ ମିନିଟରେ ହୋଇଥିବା ଏହି ଭୂମିକମ୍ପ ହୁଆଲିଏନଠାରୁ ୧୪ ମାଇଲ ଉତ୍ତରପୂର୍ବରେ କେନ୍ଦ୍ରୀଭୂତ ଥିଲା । ଏହାର ତୀବ୍ରତା ରିଚର ସ୍କେଲରେ ୬.୪ ଥିଲା । ତାଇଓ୍ଵାନର ଜାତୀୟ ଅଗ୍ନିସମ ସେବା ଏଜେନ୍ସିର ସୂଚନା ଅନୁସାରେ ଏହି ଭୂମିକମ୍ପରେ ପ୍ରାୟ ୨୫୪ ଜଣ ଆହତ ଥିବାବେଳେ ଆଉ ୮୮ ଜଣ ନିଖୋଜ ଅଛନ୍ତି । ଏହି ଭୂମିକମ୍ପଟି ସାରା ତାଇଓ୍ଵାନରେ ଅନୁଭୂତ ହୋଇଥିବାବେଳେ ସବୁଠାରୁ ଅଧିକ ପ୍ରଭାବ ହୁଆଲିଏନରେ ଅନୁଭୂତ ହୋଇଥିଲା । ତେବେ ଏହି ଭୂମିକମ୍ପ ଯୋଗୁଁ ସୁନାମୀ ଆସିବାର ଆଶଙ୍କା ଦୂରହୋଇଥିବା କୁହାଯାଇଛି ।

ଅନ୍ୟପକ୍ଷରେ ଏହି ଭୂମିକମ୍ପ ଯୋଗୁଁ ତାଇଓ୍ଵାନରେ ପ୍ରବଳ କ୍ଷୟକ୍ଷତି ହୋଇଥିବାରୁ ସହାୟତା ଲାଗି ପ୍ରସ୍ତାବ ଦେଇଛି ଚୀନ । ରିଲିଫ ଓ ସହାୟତା କାର୍ଯ୍ୟ ପାଇଁ ତାଇଓ୍ଵାନରେ କର୍ମଚାରୀ ଅଭାବ ପଡୁଥିବାରୁ ଚୀନ ଏକ ସହାୟତା ଦଳ ପଠାଇବାକୁ ରାଜି ଅଛି ବୋଲି ଚୀନ ସରକାର କହିଛନ୍ତି । ଚୀନର ତାଇଓ୍ଵାନ ବ୍ୟାପାର ଅଫିସର ନିର୍ଦ୍ଦେଶକ ଝାନ ଝିଜୁନ କହିଛନ୍ତି ଯେ ତାଇଓ୍ଵାନବାସୀ ଓ ଚୀନ ଲୋକ ଗୋଟିଏ ପରିବାରଭଳି । ବିପଦର ଏହି ସମୟରେ ଚୀନ ସହାୟତା କରିବାକୁ ପ୍ରସ୍ତୁତ । ତେବେ ଚୀନର ଏହି ପ୍ରସ୍ତାବ ସଂପର୍କରେ ତାଇଓ୍ଵାନ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇନାହିଁ । ତାଇଓ୍ଵାନକୁ ଚୀନ ନିଜର ଅଂଶ ବୋଲି ଦାବି କରୁଥିବାରୁ ଉଭୟ ଦେଶ ମଧ୍ୟରେ ଅନେକ ବର୍ଷ ଧରି ବିବାଦ ରହିଆସିଛି ।

ସମ୍ବନ୍ଧିତ ଖବର