ବେଙ୍ଗାଲୁର: ଚଳିତବର୍ଷ ଜାନୁଆରିରୁ ମାର୍ଚ ଶେଷ ସୁଦ୍ଧା ଟାଟା କନ୍ସଲ୍ଟାନ୍ସି ସର୍ଭିସ୍(ଟିସିଏସ୍) ତାର ନିର୍ବାଚନୀ ଟ୍ରଷ୍ଟ୍କୁ ଚାନ୍ଦା ଆକାରରେ ୨୨୦ କୋଟି ଟଙ୍କା ଦେଇ ସାରିଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଅନ୍ୟ ସମସ୍ତ କମ୍ପାନିମାନଙ୍କ ଅପେକ୍ଷା ଟିସିଏସ୍ ସର୍ବାଧିକ ଅର୍ଥ ଦେଇଥିବା ସୂଚନା ରହିଛି। ତେବେ ଟିସିଏସ୍ର ଏହି ଅର୍ଥରୁ କେଉଁ ଦଳକୁ ବିଶେଷ ଲାଭ ମିଳିଛି ଏହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।
ପୂର୍ବରୁ ମଧ୍ୟ ଟିସିଏସ୍ ସମେତ ଅନ୍ୟ ବଡ଼ ବଡ଼ କମ୍ପାନିଗୁଡ଼ିକ ନିର୍ବାଚନୀ ଟ୍ରଷ୍ଟରେ ଅର୍ଥ ନିବେଶ କରି ସାରିଛନ୍ତି। ୨୦୧୩ ମସିହାରେ ଟାଟା ଶିଳ୍ପ ଗୋଷ୍ଠୀ ଦ୍ୱାରା ଗଠିତ ହୋଇଥିବା ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ୍କୁ ଟିସିଏସ୍ ସମେତ ଟାଟା ଗ୍ରୁପ୍ର ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଚାନ୍ଦା ଦେଇ ଆସୁଛନ୍ତି।
ଟାଟା ଶିଳ୍ପ ଗୋଷ୍ଠୀ ଦ୍ୱାରା ଗଠିତ ଏହି ଟ୍ରଷ୍ଟ୍ ଅନେକ ରାଜନୈତିକ ଦଳକୁ ଆର୍ଥିକ ସହାୟତା କରିଛି। ୨୦୧୩ ଏପ୍ରିଲ୍ ପହିଲାରୁ ୨୦୧୬ ମାର୍ଚ ୩୧ ଭିତରେ ଟାଟା ଦ୍ୱାରା ଗଠିତ ଏହି ଟ୍ରଷ୍ଟଟି ସର୍ବାଧିକ ଚାନ୍ଦା କଂଗ୍ରେସକୁ ଦେଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିଲା ବିଜୁ ଜନତା ଦଳ।
ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ ପରି ଭାରତରେ ଅନେକ ନିର୍ବାଚନୀ ଟ୍ରଷ୍ଟ୍ ରହିଛି। ଏହି ଟ୍ରଷ୍ଟଗୁଡ଼ିକ କର୍ପୋରେଟ ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକ ବୁଝାମଣା ରକ୍ଷା କରିଥାଏ। ପ୍ରୁଡେଣ୍ଟ୍ ଇଲେକ୍ଟୋରାଲ୍ ନାମକ ଏକ ଟ୍ରଷ୍ଟ୍ ରହିଛି, ଏହି ଟ୍ରଷ୍ଟରେ ସବୁଠାରୁ ବେଶି ଭାଗୀଦାରୀ ରହିଛି ଭାରତୀ ଗ୍ରୁପ୍ ଏବଂ ଡିଏଲ୍ଏଫ୍ କମ୍ପାନିର।
୨୦୧୭-୧୮ ମସିହାରେ ପ୍ରୁଡେଣ୍ଟ୍ ପାଣ୍ଠି ସଂଗ୍ରହ କରିଥିବା ସମସ୍ତ ଅର୍ଥରୁ ଅଧାରୁ ଅଧିକ ଭାଗ ଟ୍ରଷ୍ଟ ବିଜେପିକୁ ଦେଇଥିଲା। ଜାଣିବାକୁ ମିଳିଛି ଯେ ପ୍ରୁଡେଣ୍ଟ ତା’ର ୧୬୯ କୋଟି ଟଙ୍କାରୁ ୧୪୪ କୋଟି ବିଜେପିକୁ ଦେଇଥିଲା।