ଭଦ୍ରକ: ପୁଣି ୧୦ ନାଗସାପ ଉଦ୍ଧାର, ବର୍ଷାଦିନ ଆରମ୍ଭରୁ ସାପ ଭୟରେ ଆତଙ୍କିତ ଅଞ୍ଚଳବାସୀ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅଞ୍ଚଳରେ ଏବେ ନାଗସାପ ଆତଙ୍କ। ବିଶେଷ କରି ଗତ ୩ ଦିନ ମଧ୍ୟରେ ଅଞ୍ଚଳରୁ ଦୁଇଟି ସ୍ଥାନରୁ ୧୪୬ଟି ନାଗସାପ ମିଳିବା ପରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ବର୍ଷା ଦିନ ଆଗମନର ଆରମ୍ଭରୁ ଶହଶହ ସଂଖ୍ୟରେ ନାଗସାପ ମିଳିବା ଘଟଣାକୁ ନେଇ ଧାମନଗର ଅଞ୍ଚଳର ଲୋକେ ବେଶ୍‌ ଭୟଭିତ ହୋଇ ପଡ଼ିଛନ୍ତି। ଗତ ୩ ତିନି ଦିନ ତଳେ ଧାମନଗର ବ୍ଳକ୍‌ ଅନ୍ତର୍ଗତ ଶ୍ୟାମପୁର ଗାଁରୁ ୧୩୬ଟି ନାଗସାପ ଜଣଙ୍କ ଘରୁ ଉଦ୍ଧାର ହୋଇଥିିଲା। ଆଜି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଜୟନଗର କଣ୍ଟାବଣିଆ ଗାଁରୁ ଜଣଙ୍କ ଘରୁ ୧୦ଟି ନାଗସାପ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ଧାମନଗର ଏନଏସିର କଣ୍ଟାବଣିଆ ଗାଁର ଗୌରାଙ୍ଗ ଜେନାଙ୍କ ଘରେ ୧୦ଟି ନାଗ ଉଦ୍ଧାର କରାଯାଇଛି। ତାଙ୍କ ପୁଅ ପ୍ରଥମେ ଦୁଇଟି ନାଗକୁ ଘରୁ ଠାବ କରିବା ପରେ ପରିବାର ଲୋକେ ଖୋଜାଖୋଜି କରି ଆଉ ୮ଟି ମୋଟ୍‌ ୧୦ଟି ନାଗକୁ ଉଦ୍ଧାର କରି ଏକ ମାଟି ହାଣ୍ଡିରେ ପୁରାଇ ରଖିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଧାମନଗର ଥାନା ଶ୍ୟାମପୁର ଗାଁର ଜଣଙ୍କ ବାଡ଼ିରେ ଥିବା ଉଈ ହୁଙ୍କାରୁ ୧୩୬ଟି ନରଗସାପଙ୍କୁ ଏକକାଳୀନ ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା। ତେବେ ବାରମ୍ବାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏତେ ସଂଖ୍ୟକ ନାଗ ସାପ ଉଦ୍ଧାର ହେବା ପରେ ଲୋକେ ଭୟଭିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର