ରୋଗୀ ମୃତ୍ୟୁରୁ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା : ପୁଲିସକୁ ପିଟିଲେ, ୨ ଆହତ

ଭୁବନେଶ୍ୱର : ରୋଗୀମୃତ୍ୟୁକୁ କେନ୍ଦ୍ର କରି ଆଜି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାର ଲୋକଙ୍କ ସମେତ ୨୫ରୁ ଅଧିକ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଏପରିକି ଘଟଣାକୁ ନିୟନ୍ତ୍ରଣ କରିବାକୁ ଆସିଥିବା ହସ୍ପିଟାଲ ଫାଣ୍ଡିର ଦୁଇ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଫାଣ୍ଡି ଏଏସ୍‌ଆଇ ବିଶ୍ୱମିତ୍ର ଭୋଇ ଓ ଅନ୍ୟ ଜଣେ କର୍ମଚାରୀ ରବୀନ୍ଦ୍ର ପାଟ୍ଟଶାଣୀ ଗୁରୁତର ଆହତ ହୋଇଛନ୍ତି। ରବୀନ୍ଦ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଗାଁର ଚାରୁଲତା ରାଉତ ନାମକ ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଚାରୁଲତାଙ୍କ ଶ୍ୱାସଜନିତ ରୋଗ ଥିବାରୁ ପରିବାର ଲୋକେ ଏକ ହ୍ଵିଲଚେୟାରର ବ୍ୟବସ୍ଥା କରିବାକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହସ୍ପିଟାଲ ପକ୍ଷରୁ ହ୍ଵିଲଚେୟାର ଦିଆନଯିବାରୁ ଚାରୁଲତା ହସ୍ପିଟାଲର ୨ ମହଲାରେ ଥିବା ମହିଳା ମେଡିସନ୍‌ ଓ୍ଵାର୍ଡକୁ ଚାଲି ଚାଲି ଯାଇଥିଲେ। ଏହାଦ୍ୱାରା ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇ ଚାରୁଲତାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ କେନ୍ଦ୍ର କରି ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଚାରଲୁତାଙ୍କ ପରିବାରଲୋକଙ୍କ ସମେତ ୨୫ରୁ ଅଧିକ ଲୋକ ହସ୍ପିଟାଲ ପରିସରରେ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିବା ସହ ହୋହଲ୍ଲା କରିଥିଲେ। ଏହା ଦେଖି ହସ୍ପିଟାଲ ଫାଣ୍ଡି ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପରିସ୍ଥିତି ବିସ୍ଫୋରକ ରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିବା ସହ ମାର୍‌ପିଟ୍‌ କରିଥିଲେ। ଏଥିରେ ଏଏସ୍‌ଆଇ ବିଶ୍ୱମିତ୍ର ଭୋଇ ଓ ଅନ୍ୟ ଜଣେ କର୍ମଚାରୀ ରବୀନ୍ଦ୍ର ପାଟ୍ଟଶାଣୀ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର