ନିୟନ୍ତ୍ରଣ ରେଖା ନିକଟରେ ଠାବ ହେଲା ପାକ୍‌ ବାୟୁସେନାର ୨ଟି ସୁପରସୋନିକ୍‌ ଜେଟ୍‌, ହାଇଆଲର୍ଟରେ ଭାରତୀୟ ବାୟୁସେନା

ଶ୍ରୀନଗର: ଜମ୍ମୁ-କଶ୍ମୀର ନିକଟସ୍ଥ ନିୟନ୍ତ୍ରଣ ରେଖା ପାଖାପାଖି ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନୀ ୨ଟି ସୁପରସୋନିକ୍‌ ଯୁଦ୍ଧ ବିମାନ ଉଡୁଥିବାର ଦେଖିବାକୁ ମିଳିଛି। ନିୟନ୍ତ୍ରଣ ରେଖାରୁ ପ୍ରାୟ ୧୦ କିଲୋମିଟର ଭିତରେ ଏହି ଦୁଇଟି ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା। ସୀମାରେ କଡ଼ା ନଜର ରଖିଥିବା ଭାରତୀୟ ବାୟୁସେନା ଏହି ଦୁଇ ବିମାନକୁ ଦେଖିବାକୁ ପାଇଥିଲା। ବାୟୁସେନା ପକ୍ଷରୁ ସୂଚନା ମିଳିଛି ଯେ ବିମାନ ଦୁଇଟି ଖୁବ୍‌ ଜୋର୍‌ରେ ଜମ୍ମୁ-କଶ୍ମୀର ନିକଟସ୍ଥ ଭାରତୀୟ ସୀମା ଦିଗକୁ ଉଡୁଥିଲେ। ବୁଧବାର ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ପାକ୍‌-ଅଧିକୃତ କଶ୍ମୀରର ପୁଞ୍ଚ୍‌ ନିକଟରେ ଏହି ବିମାନ ଠାବ ହେବା ପରେ ସୀମାରେ ହାଇ ଆର୍ଲଟ ଜାରି ହୋଇଛି।

ସୁପରସୋନିକ ଜେଟ୍‌ କାରଣରୁ ସଂପୃକ୍ତ ଅଞ୍ଚଳରେ ଖୁବ୍‌ ଜୋର୍‌ ଶବ୍ଦ ଶୁଣିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପାକ୍‌ର ୨ଟି ସୁପରସୋନିକ୍‌ ଜେଟ୍‌କୁ ନିୟନ୍ତ୍ରଣ ରେଖାରେ ଦେଖିବା ପରେ ଏୟାର ଡିଫେନ୍ସ ସିଷ୍ଟମ ଓ ରାଡର ଆଦିକୁ ହାଇ ଆର୍ଲଟରେ ରଖାଯାଇଛି।

ପୂର୍ବରୁ ଗତ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଏଫ୍‌-୧୬ ଭାରତୀୟ ସୀମା ଭିତରକୁ ପଶି ଭାରତୀୟ ସେନା ଉପରେ ଆକ୍ରମଣ ଉଦ୍ୟମ କରିଥିଲା। ଭାରତୀୟ ବାୟୁସେନା ପାକ୍‌ ଯୁଦ୍ଧ ବିମାନକୁ ତଳକୁ ଖସାଇ ଦେଇଥିଲେ।

ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହଥିଲେ ଯେ  ପୂର୍ବରୁ ଭାରତ-ପାକ୍‌ ମଧ୍ୟରେ ୧୯୬୫, ୧୯୭୧ ଓ କାର୍ଗିଲ ଆଦି ଅନେକ ଯୁଦ୍ଧ ହୋଇଛି। ସେବେଠାରୁ ପାକିସ୍ତାନୀ ସେନା ନିଶ୍ଚିତ ହୋଇ ଯାଇଛି ଯେ ଭାରତ ନିକଟରେ ଥିବା ବିଶାଳ ଅର୍ଥ ବ୍ୟବସ୍ଥା, ଉତ୍ତମ ସେନା ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହେତୁ ସେ ଭାରତକୁ ଟକ୍କର ଦେଇ କେବେ ବି ଜିତିପାରିବ ନାହିଁ।

ସମ୍ବନ୍ଧିତ ଖବର