ନାଗରିକତା ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲା ୟୁଏନଏଚଆରସି; ଆମ ଆଭ୍ୟନ୍ତରୀଣ ମାମଲାରେ କୌଣସି ବିଦେଶୀ ପକ୍ଷ ହସ୍ତକ୍ଷେପ କରିପାରିବ ନାହିଁ ବୋଲି କହିଲା ଭାରତ

ନୂଆଦିଲ୍ଲୀ : ସ୍ୱିଜରଲାଣ୍ଡର ଜେନିଭାଠାରେ ଥିବା ମିଳିତ ଜାତିସଂଘ ମାନବ ଅଧିକାର ଆୟୋଗ (ୟୁଏନଏଚଆରସି) ଭାରତର ନୂଆ ନାଗରିକତା ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛି । ଏହି ଆଇନକୁ ଚ୍ୟାଲେଞ୍ଜ କରି ପୂର୍ବରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଏକ ପକ୍ଷ ହେବାକୁ ଆୟୋଗ ନିଜ ଆବେଦନରେ ଦର୍ଶାଇଛି । ଏହି ପଦକ୍ଷେପ ସଂପର୍କରେ ଜେନିଭାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଜଣାଇଦିଆଯାଇଛି ।

ଅନ୍ୟପକ୍ଷରେ ନାଗରିକତା ଆଇନ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଏକ ସାର୍ବଭୌମ ଦେଶ ଓ ନିଜ ପାଇଁ ଆଇନ ପ୍ରଣୟନ କରିବାର ଅଧିକାର ଏହାର ସଂସଦର ରହିଛି । ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଭାରତର ସାର୍ବଭୌମ ଅଧିକାର ଉପରେ ବିଦେଶୀ ରାଷ୍ଟ୍ର ହସ୍ତକ୍ଷେପ କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ ଭାରତର ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ। ଏହା ଜାତିସଂଘ ମାନବ ଅଧିକାର ଚାର୍ଟରର ଉଲ୍ଲଙ୍ଘନ ବୋଲି ୟୁଏନଏଚଆରସି କହୁଛି ।

ସମ୍ବନ୍ଧିତ ଖବର