ଏସିଆ କପ୍‌: ମିତାଲିଙ୍କ ଚମତ୍କାର ପ୍ରଦର୍ଶନ: ମାଲେସିଆକୁ ୧୪୨ ରନ୍‌ରେ ହରାଇଲା ଭାରତ

କୁଆଲାଲମ୍ପୁର: ମିତାଲି ରାଜଙ୍କ ବିସ୍ଫୋରକ ବ୍ୟାଟିଂ(ଅପରାଜିତ ୯୭ ରନ୍‌) ପରେ ଆକ୍ରମଣାତ୍ମକ ବୋଲିଂ ବଳରେ ଭାରତ ମହିଳା ଟି-୨୦ ଏସିଆ କପ୍‌ର ପ୍ରଥମ ମୁକାବିଲାରେ ଆୟୋଜକ ମାଲେସିଆକୁ ୧୪୨ ରନ୍‌ରେ ପରାସ୍ତ କରିଛି। ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ୩ଟି ଓ୍ଵିକେଟ ହରାଇ ଭାରତ ୧୬୯ ରନ୍‌ ସଂଗ୍ରହ କରିଥିଲା ଓ ମାଲେସିଆକୁ ୧୩.୪ ଓଭରରେ ମାତ୍ର ୨୭ ରନ୍‌ରେ ସମସ୍ତ ଖେଳାଳିଙ୍କୁ ଆଉଟ୍‌ କରିଥିଲା।

ମାଲେସିଆର କୌଣସି ଖେଳାଳି କ୍ରିଜ ଉପରେ ବେଶୀ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ପାରି ନଥିଲେ। ୬ ଜଣ ଖେଳାଳି ନିଜର ଖାତା ମଧ୍ୟ ଖୋଲି ପାରି ନଥିଲେ। ଟିମ୍‌ ପାଇଁ ଶଶା ଆଜମୀ ସର୍ବାଧିକ ୯ ରନ୍‌ ସଂଗ୍ରହ କରିଥିଲେ।

ଭାରତ ପକ୍ଷରୁ ପୂଜା ବସ୍ତ୍ରାକର ୬ ରନ୍‌ ଦେଇ ୩ଟି ଓ୍ଵିକେଟ୍‌, ଅନୁଜା ପାଟିଲ ଓ ପୁନମ ଯାଦବ ୨-୨ ଓ୍ଵିକେଟ ନେଇଥିଲେ। ସେହିପରି ଶିଖା ପାଣ୍ଡେ ଗୋଟିଏ ଓ୍ଵିକେଟ ନେଇଥିଲେ। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ମଜବୁତ ସ୍କୋର କରିଥିଲା। ମିତାଲି ରାଜ ୬୯ଟି ବଲ ଖେଳି ୧୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ହରମନପ୍ରୀତ କୌର ୨୩ଟି ବଲ ଖେଳି ୩୨ ରନ ଓ ଦୀପ୍ତି ଶର୍ମା ୧୨ଟି ବଲ ଖେଳି ୨ଟି ଚୌକା ବଳରେ ୧୮ ରନ୍‌ ଯୋଡ଼ିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର