ରଙ୍ଗିନ କେଶ

ନିଜକୁ ନିଆରା ଢଙ୍ଗରେ ଉପସ୍ଥାପିତ କରିବାକୁ କିଏ ବା ନଚାହେଁ। ସ୍ମାର୍ଟ ଲୁକ୍ ହିଁ ତା’ର ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରେ। ଏମିତି ବି ଅତ୍ୟାଧୁନିକତାର ଡେଣା ଲାଗିବା ପରେ ସମସ୍ତେ ଯେମିତି ସ୍ମାର୍ଟ ଲୁକ୍ ପାଇଁ ବ୍ୟଗ୍ର। କିଏ ନିଜର ତ୍ବଚାକୁ ଗୁରୁତ୍ବ ଦେଉଛି ତ କିଏ ନିଜର କେଶକୁ ନେଇ ଚୁଜି ହୋଇପଡ଼ିଛି। ଫେସନ୍ ଟ୍ରେଣ୍ଡ୍‌ରେ ଯୋଡ଼ି ହୋଇଛି ହେୟାର କଲର। ଚୁଟିକୁ ରଙ୍ଗିନ କରି ନିଜକୁ ସ୍ମାର୍ଟ ଲୁକ୍ ଦେବା ପାଇଁ ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି। ବିଶେଷ କରି ନିଜର ଚେହେରା, ପ୍ରଫେସନ୍,ଗ୍ଲାମରକୁ ନେଇ କେଶକୁ ରଙ୍ଗିନ କରୁଛନ୍ତି। ପିଲା ଓ ବୟସ୍କମାନେ ମଧ୍ୟ ଧୀରେଧୀରେ ଏହି ଧାରାରେ ଯୋଡ଼ି ହେଲେଣି। କେବେ କିଏ ଗୋଟିଏ ରଙ୍ଗରେ ସଜେଇ ହେଉଛି ତ’ ଆଉ କିଏ ଏକାଧିକ ରଙ୍ଗରେ କେଶକୁ ସଜାଉଛି। ଯାହା ସମ୍ପୃକ୍ତ ବ୍ୟକ୍ତିକୁ ନୂଆ ଲୁକ୍ ଦେଉଛି।
ରିପୋର୍ଟ: ହିତେଶ ନାୟକ

ବ୍ରାଉନ୍‌ ବରଗୁଣ୍ଡି
ଯୁବପିଢ଼ି ମୁଖ୍ୟତଃ ନିଜ କେଶକୁ ନେଇ ବେଶ୍ ଯତ୍ନବାନ। ବିଶେଷ କରି ଯୁବକମାନେ ନିଜ କେଶକୁ ବ୍ରାଉନ୍ ତଥା ଧୂସର ରଙ୍ଗରେ ସଜାଇବାକୁ ବେଶି ପସନ୍ଦ କରୁଛନ୍ତି। ଏଥିସହ ଗୋଲ୍ଡ, ରେଡ୍ ଓ ବର୍‌ଗଣ୍ଡି ରଙ୍ଗରେ ମଧ୍ୟ କେଶର ସାମ୍ନା ଅଂଶକୁ ରଙ୍ଗିନ କରୁଛନ୍ତି। ଗ୍ରିନ୍ କଲରର ଟ୍ରେଣ୍ଡ୍ ମଧ୍ୟ ପ୍ରବେଶ କଲାଣି। କେହି କେହି ଏଇ ରଙ୍ଗରେ ଚୁଟିକୁ ରଙ୍ଗିନ କରିବା ପରେ ସମସ୍ତଙ୍କ ମଧ୍ୟରେ ବାରି ହୋଇ ପଡ଼ନ୍ତି। ସେହିଭଳି ଯୁବତୀ ଓ ମହିଳାମାନେ ଓମ୍ବ୍ରେ, ବାଲାୟାଜ୍,ହାଇଲାଇଟ୍ସ ଓ ଗ୍ଲୋବାଲ ଓ ବ୍ରାଉନ୍ ରଙ୍ଗରେ ଚୁଟି ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି।

ଖର୍ଚ ହଜା‌େରରୁ ୩ହଜାର
କେଶ ରଙ୍ଗ କରିବା ବେଳେ ହେୟାର ଡିଜାଇନରମାନେ ଭଲ ବ୍ରାଣ୍ଡ୍‌କୁ ଗୁରୁତ୍ବ ଦିଅନ୍ତି। ବ୍ରାଣ୍ଡେଡ୍ ରଙ୍ଗଗୁଡ଼ିକ ପାଇଁ ଅଧିକ ଖର୍ଚାନ୍ତ ହେବାକୁ ପଡ଼େ। କେଶରେ ରଙ୍ଗ କରିବା ପାଇଁ ଷ୍ଟ୍ରିପ୍‌ ଅନୁସାରେ ଏହାର ଦାମ୍‌ ଥାଏ। ଗୋଟିଏ ଷ୍ଟ୍ରିପ୍‌ ପ୍ରାୟ ୨୫୦ ଟଙ୍କାରୁ ଆରମ୍ଭ। ପୁଣି ରଙ୍ଗ ଅନୁସାରେ ଦାମ୍‌ ରୁହେ। ଥରେ କେଶ ରଙ୍ଗ କଲେ ହଜାରେରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିବାକୁ ପଡ଼େ। ତେବେ ଘରେ ନିଜେ ରଙ୍ଗ କଲେ ଅପେକ୍ଷାକୃତ କମ୍ ଖର୍ଚରେ ହୋଇଯାଏ। ମାତ୍ର ଏଥିପାଇଁ କେଶ କଲର କରିବା ବାବଦରେ ଉଚିତ୍ ଜ୍ଞାନ ଥିବା ଆବଶ୍ୟକ।

ଶ୍ବାସ ରୋଗୀଙ୍କୁ ମନା
କେଶ ଖାଲି ରଙ୍ଗ କରିଦେଲେ ହେବନାହିଁ। ଏହାର ଉଚିତ୍ ଯତ୍ନ ନେବା ଅବାଶ୍ୟକ। ନଚେତ୍ କେଶ ଉପରେ ଏହାର ଖରାପ ପ୍ରଭାବ ପଡ଼େ। କେଶରେ ଯଦି କେହି ମେହେନ୍ଦି କରୁଥାନ୍ତି ଅବା ମୁଣ୍ଡ ଚର୍ମରେ କୌଣସି ରୋଗ ଥାଏ ତେବେ ସମ୍ପୃକ୍ତ ବ୍ୟକ୍ତିମାନେ କେଶ ରଙ୍ଗିନ କରିବା ଉଚିତ୍ ନୁହେଁ। ଚର୍ମ ଆଲର୍ଜି କିମ୍ବା ଶ୍ୱାସ ରୋଗୀ ମଧ୍ୟ କେଶ ରଙ୍ଗ କରିବାଠୁ ଦୂରେଇ ରହିବା ଉଚିତ୍ ବୋଲି ହେୟାର କଲର୍ ଏକ୍ସପର୍ଟ ବିଭୁତି ଭୂଷଣ ବାରିକ କହିଛନ୍ତି। ତାଙ୍କ ମତରେ ଭାରତୀୟ ସ୍କିନ୍ ଟୋନରେ ଖାକି ବ୍ଲଣ୍ଡ, ଫଙ୍କି, ହନି, ଚେଷ୍ଟନଟ ବ୍ରାଉନ୍, ଲାଇଟ ବ୍ରାଉନ୍ କଲର ଖୁବ୍ ସ୍ମାର୍ଟ ଅନୁଭବ ଦେଇଥାଏ।

ଖରାପ ପେୟାରିଂ ଲୁକ୍ ବିଗାଡ଼ି ଦେଇପାରେ
କେଶ ରଙ୍ଗ କରିବା ପୂର୍ବରୁ ସର୍ବଦା କିଛି ପ୍ରଶ୍ନ ମନକୁ ଆସେ। କେଉଁ ରଙ୍ଗ ମାନିବ। ନିଜ ବ୍ୟକ୍ତିତ୍ବ ଓ ଲୁକ୍‌କୁ କେଉଁ ରଙ୍ଗ ଖାପ ଖାଇବ? ଯେଉଁ ରଙ୍ଗ ଅନ୍ୟ କେଶରେ ତା’ର ସ୍ମାର୍ଟପଣକୁ ବଢ଼ାଉଛି, ତା ଅର୍ଥ ନୁହେଁ ସେଇ ରଙ୍ଗ ଅନ୍ୟ ଯେକୌଣସି ବ୍ୟକ୍ତିତ୍ବକୁ ସୁହାଇବ। ତେଣୁ କେଶ ରଙ୍ଗ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍। ମୂଳତଃ ସ୍କିନ ଟୋନ ଓ ହେୟାର କଲରର ମ୍ୟାଚିଂ ହେବା ଆବଶ୍ୟକ। ଯଦି ମ୍ୟାଚ୍ ନହୁଏ ତେବେ ଖରାପ ପେୟାରିଂ ଲୁକ୍‌କୁ ବିଗାଡ଼ି ଦେଇପାରେ। ଚେହେରାର ଆକାର ଯେମିତି ବି ହେଉ, କିନ୍ତୁ ନିଜର କେଶର ଟେକ୍ସଚର ହିସାବରେ ଷ୍ଟାଇଲ୍ କରିବା ଉଚିତ୍ । କଲର ବାଛିବା ବେଳେ ସ୍କିନ୍ ଟୋନ ଉପରେ ଧ୍ୟାନ ଦେବା ଜରୁରୀ ।

ସମ୍ବନ୍ଧିତ ଖବର