ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ଯୋଗୁଁ କିଶୋରମାନଙ୍କ ମଧ୍ୟରେ ଆତ୍ମହତ୍ୟା ବଢୁଛି !

ଆମେରିକା ଗବେଷକଙ୍କ ରିପୋର୍ଟ

ଆଜିକାଲି ସମସ୍ତେ ସ୍ମାର୍ଟଫୋନ ମାୟାରେ ବାୟା ହୋଇଯାଇଥିବା କୁହାଯାଇପାରେ । ତେବେ ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ କିଶୋରପିଢିଙ୍କୁ ଅଧିକ କବଳିତ କରିଥିବା ଦେଖାଯାଉଛି । କିଶୋର ବା ଟିନ୍‌ଏଜରମାନେ ଅଧିକାଂଶ ସମୟ ସ୍ମାର୍ଟଫୋନ ଧରି ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ, ଗେମ୍ସ ଆଦିରେ ବ୍ୟସ୍ତ ରହୁଛନ୍ତି । କିନ୍ତୁ ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାରର ବିଭିନ୍ନ ନକାରାତ୍ମକ ଦିଗ ରହିଛି ବୋଲି ଗବେଷକମାନେ ସୂଚାଇଦେଇଛନ୍ତି ।

ଆମେରିକାର ଫେଡେରାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ ପକ୍ଷରୁ ଏ ନେଇ ଏକ ଗବେଷଣା କରାଯାଇଥିଲା । ଏହି ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଚଳିତ ଦଶକରେ ବିଶେଷକରି ୨୦୧୦ରୁ ୨୦୧୫ ମଧ୍ୟରେ କିଶୋରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିଯାଇଛି ଓ ଏଥିଲାଗି ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ହିଁ ଦାୟୀ ।

ସେହିପରି ଆମେରିକାର ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ମଧ୍ୟ ସମାନ କଥା କୁହାଯାଇଛି । ଏଥିରେ କୁହାଯାଇଛି ଯେ ସବୁବେଳେ ସ୍ମାର୍ଟଫୋନରେ ବ୍ୟସ୍ତ ରହିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଅବଷାଦ ବଢୁଛି ଓ ତାହା ଆତ୍ମହତ୍ୟା ଆଡକୁ ବାଟ କଢେଇନେଉଛି।
ପୂର୍ବ ଦଶନ୍ଧି ଗୁଡିକରେ କିଶୋରମାନଙ୍କ ମଧ୍ୟରେ ଆତ୍ମହତ୍ୟା ହାର କମୁଥିବାର ଦେଖାଯାଇଥିଲା । କିନ୍ତୁ ଚଳିତ ଦଶନ୍ଧିରେ ଏହା ପୁଣି ବଢିବା ସମାଜ-ବିଜ୍ଞାନିମାନଙ୍କୁ ଚିନ୍ତାରେ ପକାଇଦେଇଛି ।

ସ୍ମାର୍ଟଫୋନରେ ଗେମ୍‌ ଖେଳିବା ଯୋଗୁଁ ମଧ୍ୟ କିଶୋର ମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଆଜିକାଲି ବ୍ଲୁ ହେ୍ଵଲ୍ସ ପରି ଗେମ ଯୋଗୁଁ ଅନେକ ପିଲା ଆତ୍ମହତ୍ୟା କରୁଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ସମ୍ବନ୍ଧିତ ଖବର