ଶୀତ ବଜାର ଉଷ୍ମ, ଆଉ ମିଳୁନାହିଁ ଶୀତବସ୍ତ୍ର

ଗତ ୧୦ ବର୍ଷର ରେକର୍ଡ ଭାଙ୍ଗି ଓଡ଼ିଶାକୁ ଥରାଇଲା ହାଡ଼ଭଙ୍ଗ‌ା ଶୀତ। ଶୀତର ପ୍ରକୋପ ସେତେ ଭଲ ଭାବେ ଅନୁଭୂତ ହେଉନଥିବା ରାଜଧାନୀ ବି ଏଥିରୁ ବର୍ତ୍ତିନଥିଲା। ୮ ଡିଗ୍ରିକୁ ଖସି ଆସିଥିଲା ରାଜଧାନୀର ପାରଦସ୍ତର। ଏଥିରୁ ବର୍ତ୍ତିବା ପାଇଁ ଶୀତ ବଜାରମୁହାଁ ହୋଇଥିଲେ ସହରବାସୀ। ପୂର୍ବରୁ ପ୍ରସ୍ତୁତ ନଥିବା ବ୍ୟବସାୟୀ ବି ଗ୍ରାହକଙ୍କୁ ଟିକେ ଉଷ୍ମତା ଦେବା ଉଦ୍ଦେଶ୍ୟରେ ତତ୍ପରତା ଦେଖାଇଥିଲେ। ଗ୍ରାହକଙ୍କୁ ବିଭିନ୍ନ ବ୍ରାଣ୍ଡ୍‌ ତଥା ଶୀତ ସମ୍ଭାଳୁ ଥିବା ଶୀତବସ୍ତ୍ର ଯୋଗାଇବା ପାଇଁ ମାର୍କେଟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଗତ ୧୫ ଦିନର ହାଡ଼ଭଙ୍ଗା ଶୀତର ପ୍ରଭାବ ଏମିତି ଥିଲା ଯେ, ‌ଶୀତ ଯିବା ପୂର୍ବରୁ ମାର୍କେଟରେ ଶୀତ ବସ୍ତ୍ର ଯେମିତି ଉଭାନ ‌ହୋଇଗଲା। ଗ୍ରାହକ ବ୍ରା‌େଣ୍ଡଡ୍‌ ଶୀତବସ୍ତ୍ର ଖୋଜି ନିରାଶ ହେଉଛନ୍ତି। ଅଥଚ ବ୍ୟବସାୟୀ ଯୋଗାଇ ପାରୁନାହାନ୍ତି। ସାଧରଣତଃ ନଭେମ୍ବରରେ ଜମୁଥିବା ଶୀତ ବଜାର ଜାନୁଆରିରେ ବି ଗରମ ରହିଛି।

ସ୍ବେଟର‌୍‌, ଜାକେଟ୍‌, ବ୍ଲେଜର‌୍‌ ଓ ପଞ୍ଚୋ ସମ୍ଭାର
ରଙ୍ଗବେରଙ୍ଗ ଉଲ୍‌, ଗଞ୍ଜି, କଟନ୍‌ ଓ ଫ୍ୟାସନ୍‌ର ସ୍ବେଟର‌୍‌, ଜାକେଟ୍‌, ସ୍ରଗ୍‌ ଆଦିରେ ଭରପୂର ଶୀତ ବଜାର। ମହିଳାଙ୍କ ପାଇଁ ରଙ୍ଗିନ୍‌ ଫ୍ଲୋରାଲ୍‌ ପ୍ରିଣ୍ଟ୍‌, ପ୍ରିଣ୍ଟେଡ୍‌, ଏ‌ମ୍ବ୍ରୋଡୋରି ସ୍ବେଟର‌୍‌ ଓ ଜାକେଟ୍‌ ଥିବା ବେଳେ କାଲ୍‌ର‌୍‌ ସ୍ବେଟର‌୍‌, ହାଇନେକ୍‌ ଜାକେଟ୍‌, ଚେନ୍‌ ଜାକେଟ୍‌, ବେଲ୍‌ଟ ଜାକେଟ୍‌, ହାଫ୍‌ ଜାକେଟ୍‌ ଆଦି କଲେଜ ପଢ଼ୁଆ ଯୁବତୀ ଓ କର୍ମଜୀବୀ ମହିଳାମାନେ ବେଶି ପସନ୍ଦ କରୁଛନ୍ତି। ‘ଉଲେନ୍‌ ଲେଡିଜ୍‌ ପଞ୍ଚୋ’ ଓ ‘ଉଲେନ୍‌ ଲଙ୍ଗ୍‌ ବ୍ଲେଜର‌୍‌ କୋଟ୍‌’ର ଚାହିଦା ଅଧିକ ଥିବା ୟୁନିଟ୍‌-୧ ସ୍ଥିତ ଶୀତବସ୍ତ୍ର ବଜାରରେ ଦୋକାନ ଖୋଲିଥିବା ଅମର ମହାନ୍ତି କହିଛନ୍ତି। ପଞ୍ଚୋର ଦାମ୍‌ ୭୦୦ ଟଙ୍କା ଓ ଲଙ୍ଗ୍‌ ବ୍ଲେଜର୍‌ ଦାମ୍‌ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ପୁରୁଷ, ମହିଳା ଓ ଛୁଆ ସମସ୍ତେ ଫ୍ୟାସନ ଓ ଫେଦର‌୍‌ ଉଲ୍‌ ସ୍ବେଟର/ଜାକେଟ୍‌ ଅଧିକ ପସନ୍ଦ କରୁଛନ୍ତି ବୋଲି କୋରାପୁଟରୁ ଆସିଥିବା ଦୋକାନୀ ବିକ୍ରମ ବେହେରା କହିଛନ୍ତି।

ଶୀତବସ୍ତ୍ରରେ ବିନି କ୍ୟାପ୍‌ର ଚାହିଦା
ଶୀତରୁ ବଞ୍ଚିବା ତଥା ଶୀତଦିନରେ ଏକ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ମହିଳା ହୁଅନ୍ତୁ ବା ପୁରୁଷ ବା ଛୋଟ ଛୁଆ, ଟୋପି ଉପରେ ବେଶି ପ୍ରାଧାନ୍ୟ ଦେଇଥା’ନ୍ତି। ‘ବିନି କ୍ୟାପ୍‌’ ସମସ୍ତଙ୍କର ଏହି ଚାହିଦାକୁ ପୂରଣ କରୁଛି। ଏହାର ଉପର ଭାଗରେ ବିଭିନ୍ନ ପ୍ରକାର କାର୍ଟୁନ୍‌, ଫୁଲ ବା ଭିନ୍ନ ଭିନ୍ନ ଡିଜାଇନ୍‌ ହେବା ସହ ଭିତର ପାଖରେ ଫର‌୍‌ ଲାଗିଥାଏ। ଯାହା ମୁଣ୍ତକୁ ଆରାମ୍‌ ଦେବା ସହ ଏକ ସୁନ୍ଦର ଲୁକ୍‌ ମଧ୍ୟ ଦେଇଥାଏ। ଏହାସହ ରୁମାଲ୍‌ ଟୋପି ଓ ପିଲାଙ୍କ କାର୍ଟୁନ୍‌ ଟୋପି ବେଶ୍‌ ଚାହିଦାରେ ରହିଛି। ପୁଣି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ରହିଛି ଉଲେନ୍‌ ଓ ଫର‌୍‌ ମୋଜା ଓ ଜୋତା। ଏହା ସହରିଆଙ୍କ ପସନ୍ଦର ସର୍ବାଗ୍ରେ ରହିଛି।

ଉପଯୁକ୍ତ ଫେବ୍ରିକ୍‌ ଓ ରଙ୍ଗ ଚୟନ ଜରୁରି
ଫ୍ୟାସନ ଡିଜାଇନର୍‌ ଶ୍ବେତା ପାରେଖ କୁହନ୍ତି, ଶୀତ ଦିନେ ନିଜ ନିୟମିତ ପୋଷାକ ସବୁ ପିନ୍ଧିବା ବନ୍ଦ କରିବାର ଆବଶ୍ୟକତା ନାହିଁ। ଫ୍ୟାସନର ଟିକେ ଜ୍ଞାନ ‌ସେହି ସବୁ ପୋଷାକକୁ ଶୀତ ଫ୍ୟାସନ୍‌ରେ ପରିଣତ କରିପାରିବ। ଆଗକୁ ବିବାହ ଋତୁ ଆସିଯାଉଥିବାରୁ ବିଳମ୍ବିତ ଶୀତ ରାତିର ପାର୍ଟି ପାଇଁ କଳା ରଙ୍ଗର ପୋଷାକ ସହ ଷ୍ଟାଇଲିସ୍‌ ସକ୍ସ ଓ ହାଇ ବୁଟ୍‌ ପିନ୍ଧିପାରିବେ। ଏହା ଶୀତରୁ ରକ୍ଷା କରିବା ସହ ଏକ ଫ୍ୟାସନେବୁଲ ଲୁକ୍‌ ମଧ୍ୟ ଦେଇଥାଏ। ‌ସେହିପରି ଏହି କଳା ପୋଷାକରେ ଏକ ଷ୍ଟାଇଲିଷ୍ଟ୍‌ ସ୍କାର୍ଫ ପକାଇ ପାରିବେ, ଯାହାକି ବେକକୁ ସମ୍ପୂର୍ଣ୍ଣ ଆବଦ୍ଧ କରୁଥିବ। ପୁଣି ଶାଢ଼ି ଉପରେ ଜ୍ୟାକେଟ ପିନ୍ଧି ହେବ। ଶୀତ ଦିନେ ଶରୀର ପାଇଁ ଉପଯୁକ୍ତ ‌ଫେବ୍ରିକ୍‌ ଓ ରଙ୍ଗ ଚୟନ ନିହାତି ଆବଶ୍ୟକ। ଭେଲ୍‌ଭେଟ୍‌, ବ୍ରୋକେଡ୍‌ ଓ ଚନ୍ଦେରୀ ଆଦି ଫେବ୍ରିକ୍ ଶୀତ ଦିନ ପାଇଁ ଉପଯୁକ୍ତ ହୋଇଥିବା ବେଳେ ଲାଲ୍‌, ନୀଳ, ବ୍ରାଉନ୍‌ ଓ କଳା ରଙ୍ଗ ଆଦି ଶୀତ ଦିନ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ବେତା କହିଛନ୍ତି।

କମ୍ବଳ ଓ ସାଲ୍‌ ବଜାର
ସୁନ୍ଦର ଓ କୋମଳ କମ୍ବଳ ପାଇଁ ରାଜଧାନୀରେ ଏକ ସ୍ବତନ୍ତ୍ର ବଜାର ସୃଷ୍ଟି ହୋଇଛି। ଲୁଧିଆନା, ପାଣିପୁର‌୍‌ ଓ କଶ୍ମୀର ଆଦି ଅଞ୍ଚଳରୁ ବିଭିନ୍ନ ପ୍ରକାର କମ୍ବଳ ଆମଦାନୀ ହେଉଛି। ଏଥିରେ ରହିଛି ଡଲ୍‌ପିନ୍‌, କୋରିଆ ଗୋଲ୍ଡ, ଆଲାସ୍କା ଡାଇମଣ୍ତ ଓ ହରିୟାଣା ଭଳି କମ୍ବଳ। ପୁଣି ଛୁଆଙ୍କ ପାଇଁ ରହିଛି ବେବି ବ୍ଲାଙ୍କେଟ୍‌। ଏଗୁଡ଼ିକ ଅତ୍ୟନ୍ତ କୋମଳ ଓ ହାଲ୍‌କା। ପୁଣି ଶୀତରୁ ରକ୍ଷା ପାଇଁ ବେଶ୍‌ ଉପଯୋଗୀ ମଧ୍ୟ। ସହିଦ ନଗର ଶୀତବସ୍ତ୍ର ବଜାର ଦୋକାନୀ ଅତିରୁଲ ଇସ୍‌ଲାମି କୁହନ୍ତି, ଏଠାରେ ଗ୍ରାହକ ନିଜ ପସନ୍ଦ ମୁତାବକ ପକେଟ୍‌କୁ ସୁହାଇଲା ଭଳି କମ୍ବଳ ପାଇପାରିବେ। ତାଙ୍କ ପାଖରେ ୪୦୦ରୁ ଆରମ୍ଭ କରି ୪ ହଜାର ପର୍ଯ୍ୟନ୍ତ କମ୍ବଳ ଉପଲବ୍ଧ। ସେହିପରି ଶାଲ୍‌ରେ ରହିଛି କଶ୍ମୀର ସଲ୍‌, ରାଜସ୍ଥାନୀ, ଜୟପୁରୀ ଓ ଫେନ୍‌ସି ସଲ୍‌। ବିବାହ ଋତୁରେ ମହିଳାମାନେ ଫ୍ୟାସନ୍‌ ଭାବେ ଏହି ସାଲ୍‌କୁ ପକାଉଛନ୍ତି। ଏହାର ଦାମ୍‌ ୩୦୦ ଟଙ୍କା ରହିଛି। ସେହିପରି କଶ୍ମୀର ସାଲ୍‌ର ଚାହିଦା ସବୁ ବେଳେ ଅଧିକ ରହୁଥିବା ଅତିରୁଲ୍‌ କହିଛନ୍ତି।

ଭୁବନେଶ୍ବର ତଥା ଆଖ ପାଖ ବିଭିନ୍ନ ଅଞ୍ଚଳର ଲୋ‌କ ନିର୍ଭର କରୁଥିବା ମାର୍କେଟ ବିଲ୍‌ଡିଙ୍ଗ୍‌ର ସିଟି ଷ୍ଟାଇଲ୍‌ରୁ ଆରମ୍ଭ କରି ମେଟ୍ରୋ ବଜାର, ‌ବଜାର କୋଲ୍‌କାତା, ଫ୍ୟାସନ ସିଟି, ବିଗ୍‌ ବଜାର ଓ ଶୀତବସ୍ତ୍ର ବଜାର ଆଦିରୁ ଶୀତବସ୍ତ୍ର ସରି ଯାଇଛି। ଯାହା ପାଖେ ବି ଶୀତ ବସ୍ତ୍ର ରହିଯାଇଛି, ସେମାନେ ବର୍ତ୍ତମାନ ଏହାକୁ ଚଢ଼ା ଦରରେ ବିକ୍ରି କରୁଥିବା ଦେଖାଯାଉଛି। ଶୀତ ଯୋଗୁଁ ପ୍ରବଳ ମାତ୍ରା‌େର ଶୀତବସ୍ତ୍ର ବିକ୍ରି ହୋଇଥିବା ବେଳେ ଏଥର ବଜାରରେ ଶୀତବସ୍ତ୍ରର ଅଭାବ ପରିଲକ୍ଷିତ ହୋଇଛି। ବିଗ୍‌ ବଜାର ମାର୍କେଟିଂ ମ୍ୟାନେଜର ଅତନୁ କହିଛନ୍ତି, ଭୁବନେଶ୍ବରରେ ଶୀତ ଅତି ମାତ୍ରାରେ ଅନୁଭୂତ ହୁଏନି। ଏଥିପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସୀମିତ ଶୀତବସ୍ତ୍ର ‌େଷ୍ଟାରକୁ ଅଣାଯାଇଥିଲା। କିନ୍ତୁ ଅତ୍ୟଧିକ ଶୀତ ଯୋଗୁଁ ସବୁ ବିକ୍ରି ହୋଇଯିବା ପରେ ବି ବଜାରରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ବେଟର, ଜାକେଟ କ୍ଷେତ୍ରରେ ଏହି ନିଅଣ୍ଟର ପ୍ରଭାବ ଅଧିକ ପଡ଼ିଛି।

ସମ୍ବନ୍ଧିତ ଖବର