ଏନର୍ଜି ଡ୍ରିଙ୍କ୍‌ ନୁହେଁ ଦୈନିକ ୩ କପ୍‌ କଫି କିଂବା ଚା ହୃତ୍‌ପିଣ୍ଡ ପାଇଁ ଉତ୍ତମ

କଫି ବିଶ୍ୱରେ ସବୁଠୁ ଆଦରଣୀୟ ପାନୀୟ ହୋଇଥିଲେ ମଧ୍ୟ ଏହା ବିଷୟରେ ସବୁଠୁ ଅଧିକ ଭୁଲ୍‌ ବୁଝାମଣା ହୋଇଥାଏ। ଆମ ଶରୀର ଉପରେ କଫିର ପ୍ରଭାବ ସଂକ୍ରାନ୍ତ ଅନେକ ଲେଖା ଇଣ୍ଟର୍‌ନେଟ୍‌ରେ ପଢ଼ିବାକୁ ମିଳୁଛି। ସଂପ୍ରତି ‘ଜେଏସିସି: କ୍ଲିନିକାଲ୍‌ ଇଲେକ୍ଟ୍ରୋଗ୍ରାଫି’ ନାମକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁସାରେ, ହୃଦ୍‌ସ୍ପନ୍ଦନ ଛନ୍ଦ ବା ବ୍ୟବଧାନରେ ବିଭ୍ରାଟ ଥିବା ତଥା ହୃଦ୍‌ପିଣ୍ଡ ସଂକ୍ରାନ୍ତ ଅନ୍ୟାନ୍ୟ ବିକୃତି ଥିବା ଲୋକଙ୍କ ପାଇଁ କଫି ଏବଂ ଚା ପ୍ରକୃତରେ ହିତକର।

ପୂର୍ବେ ହୃଦ୍‌ସ୍ପନ୍ଦନ ବ୍ୟବଧାନରେ ବିଭ୍ରାଟ ଥିବା ଚିକିତ୍ସିତ ରୋଗୀମାନଙ୍କୁ ‘କ୍ୟାଫିନ୍‌’ ନ ଖାଇବାକୁ ଉପଦେଶ ଦିଆଯାଉଥିଲା। ସେ ଯାହାହେଉ, ନୂତନ ଅଧ୍ୟୟନ ମତରେ କଫି ଓ ଚା ଏ ଭଳି ରୋଗୀଙ୍କ ପକ୍ଷେ ସହଣୀୟ ହେବା ସହ ଏହା ହୃଦ୍‌ସ୍ପନ୍ଦନ ଛନ୍ଦ ପରିଚାଳନା କରାଇବାରେ ସହାୟକ ହେବ। ଗୋଟିଏ ପିଆଲା କଫିରେ ଥାଏ ୯୫ ମିଲିଗ୍ରାମ୍‌ କ୍ୟାଫିନ୍‌ ଥାଏ। ଏହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଉତ୍ତେଜିତ କରାଇବାରେ କାମ କରିବା ସହ ଧମନୀରେ ତନ୍ତୁ ଜମାଉ ଥିବା ଏଡିନୋସାଇନ୍‌ ନାମକ ରାସାୟନିକ ପଦାର୍ଥର ପ୍ରଭାବକୁ ବନ୍ଦ କରିଥାଏ। ଏହି ତନ୍ତୁଜମାଟ ହିଁ ହୃଦ୍‌ପିଣ୍ଡ ସ୍ପନ୍ଦନର ବେଗ ବଢ଼ାଇବା, କେବେ କେବ ଛାଡ଼ିଯିବା ଘଟଣାର କାରଣ ହୋଇଥାଏ। ଏହାକୁ ଚିକିତ୍ସା ନ କରି ଛାଡ଼ିଦେଲେ ହୃଦ୍‌ଘାତ ହୋଇଥାଏ।
ଏ ଭଳି ରୋଗୀମାନେ ଦୈନିକ ୩୦୦ ମିଲିଗ୍ରାମ୍‌ କ୍ୟାଫେନ୍‌ ଗ୍ରହଣ କରି ପାରିବେ। ଅର୍ଥାତ୍‌ ପ୍ରାୟ ତିନି କପ୍‌ କଫି ପିଇଲେ ଚଳିବ ବୋଲି ଅଧ୍ୟୟନ ନିର୍ଯ୍ୟାସର ମୁଖ୍ୟ ଲେଖକ ପିଟର୍‌ କିସ୍‌ଲର୍‌ କହନ୍ତି।

୨୨୮, ୪୬୫ ଜଣ ରୋଗୀଙ୍କୁ କଫି ପିଆଇ ସେମାନେ ଦେଖିଛନ୍ତି ଯେ ଏହା ଦ୍ୱାରା ଧମନୀରେ ତନ୍ତୁ ଅବରୋଧ ପ୍ରାୟ ୬% କମି ଯାଉଛି। ତା’ଛଡ଼ା ଆହୁରି ୧୩% ରୋଗୀଙ୍କର ହୃଦ୍‌ଘାତ ବିପଦ ରହୁ ନାହିଁ।

ଆଉ ୧୦୩ ଜଣ ହୃଦ୍‌ଘାତ ଭୋଗିଥିବା ରୋଗୀଙ୍କୁ ଦୈନିକ ୯ ରୁ ୧୦ କପ୍‌ କଫି ପିଆଇ ଦେଖାଯାଇଛି ଯେ ସେମାନଙ୍କର ହୃତ୍‌ପିଣ୍ଡର ନିମ୍ନ ନୀଳୟର ସ୍ପନ୍ଦନ ବେଗ ଅତି ମାତ୍ରାରେ ବୃଦ୍ଧି ପାଉଛି।

କିସ୍‌ଲର୍‌ କହନ୍ତି: ଏ ଭଳି କାଫେନ୍‌ ଏନର୍ଜି ଡ୍ରିଙ୍କ୍‌ସ୍‌ରେ ମଧ୍ୟ ଥାଏ। କିନ୍ତୁ ତାହା ମାତ୍ରାଧିକ ହୋଇଥିବାରୁ ସେ ସବୁ ହୃଦ୍‌ବିକାର ଥିବା ଲୋକେ ଗ୍ରହଣ ନ କରିବା ଉତ୍ତମ।

ସମ୍ବନ୍ଧିତ ଖବର