ବିମାନ ଦୁର୍ଘଟଣାରେ ୬୬ ମୃତ

ତେହେରାନ : କେନ୍ଦ୍ରୀୟ ଇରାନର ଜାଗ୍ରସ ପାର୍ବତ୍ୟାଞ୍ଚଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୬ ବିମାନ କର୍ମଚାରୀ ଓ ୬୦ ଜଣ ଯାକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ରାଜଧାନୀ ତେହେରାନ ଠାରୁ ୫୦୦ କିମି ତଥା ଯାସୁଜ ସହର ଠାରୁ ୨୩ କିମି ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଦୁର୍ଘଟଣାସ୍ଥଳକୁ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ସ୍ୱତନ୍ତ୍ର ହେଲିକପ୍ଟରଟି ଭୀଷଣ ଖରାପ ପାଗ ଯୋଗୁଁ ସେଠାରେ ଅବତରଣ କରିପାରିନାହିଁ। ସେଥିଲାଗି ଉଦ୍ଧାର କାର୍ଯ୍ୟ ବି ହୋଇପାରିନାହିଁ।

ସୂଚନାନୁଯାୟୀ, ଇରାନ୍‌ର ଘରୋଇ ଆସମାନ୍‌ ଏୟାରଲାଇନ୍‌ସ କମ୍ପାନିର ଏହି ଇପି-୩୭୦୪ ବିମାନଟି ତେହେରାନ ମେହେରାବାଦ ବିମାନବନ୍ଦରରୁ ସ୍ଥାନୀୟ ସମୟ ସକାଳ ପାଖାପାଖି ସାଢ଼େ ୮ଟା ବେଳେ ଇସ୍‌ଫାନ ପ୍ରଦେଶ ଅନ୍ତର୍ଗତ ଯାସୁଜ ସହର ଅଭିମୁଖେ ବାହାରିଥିଲା। ବିମାନରେ ୬୦ ଜଣ ଯାତ୍ରୀ, ଦୁଇ ଚାଳକ ଓ ୪ ଜଣ କର୍ମଚାରୀ ରହିଥିଲେ। ତେବେ ଉଡ଼ାଣର ୪୫ ମିନିଟ୍‌ ପରେ ବିମାନଟି ନିୟନ୍ତ୍ରଣ କକ୍ଷ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଭୀଷଣ କୁହୁଡ଼ି ଓ ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଓ ପାର୍ବତ୍ୟ ଇଲାକାରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ବିମାନର ସମ୍ଭାବ୍ୟ ନିଖୋଜ ସ୍ଥଳକୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ପଠାଯାଇଥିଲେ ମଧ୍ୟ ଏହି ପାର୍ବତ୍ୟ ଅଞ୍ଚଳରେ ଭୀଷଣ ବରଫପାତ ଯୋଗୁଁ ତାହା ଅବତରଣ କରିପାରିନଥିଲା। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଖଣ୍ଡବିଖଣ୍ଡିତ ହୋଇ ଖସିପଡ଼ିଥିବା ଖବର ମିଳିଥିବାରୁ ସେଥିରେ ଥିବା ସମସ୍ତ ୬୬ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ପରେ ଇରାକୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୧୨ଟି ଉଦ୍ଧାରକାରୀ ଦଳଙ୍କୁ ସ୍ଥଳପଥରେ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ଦୁର୍ଘଟଣାସ୍ଥଳର ଚିତ୍ର ମିଳିପାରିନାହିଁ।

ଇଣ୍ଡିଗୋରେ ପକ୍ଷୀ ମାଡ଼ : ଉଡ଼ିବାର ଅଧ ଘଣ୍ଟା ପରେ ଫେରିଆସିଲା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପୁଣି ଅଘଟଣ ଘଟିଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ଯୋଗୁଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଅବଶ୍ୟ ବିମାନର କିଛି କ୍ଷତି ହୋଇ ନାହିଁ। ଦୁଇ ଘଣ୍ଟା ବିଳମ୍ବରେ ବିମାନ ପୁଣି ନୂଆଦିଲ୍ଲୀ ଅଭିମୁଖେ ଯାଇଛି। ଏହି ଘଟଣା ଆଜି ଯାତ୍ରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଥିଲା।

ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ(୬ଇ୩୧୪) ୬ଟା ୨୯ରେ ରନ୍‌େଓ୍ଵ ୧୪ରୁ ଉଡ଼ିବା ଆରମ୍ଭ କରିଥିଲା। ଏହି ସମୟରେ ଏକ ପକ୍ଷୀ ମାଡ଼ ହୋଇଥିଲା। ଏହା ଜଣା ପଡ଼ିବା ପରେ ବିମାନଟିକୁ ତୁରନ୍ତ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବା ପାଇଁ କୁହାଗଲା। ଏହା ପରେ ବିମାବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ଯାଞ୍ଚ୍‌ କରାଗଲା। ରନ୍‌େଓ୍ଵରେ ଏକ ପେଚା ଥିବାର ଦେଖିବାକୁ ମିଳିଥିଲା। ୬ଟା ୫୮ରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରେ ନିରାପଦ ଭାବେ ଅବତରଣ କରିଥିଲା। ଏହା ପରେ ବିମାନଟିକୁ ଯାଞ୍ଚ୍‌ କରାଯାଇଥିଲା। କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିବା ପରେ ପୁଣି ନୂଆଦିଲ୍ଲୀ ଯିବା ପାଇଁ ଅନୁମତି ଦିଆଗଲା। ୮ଟା ୨୩ରେ ବିମାନଟି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ବିମାନରେ ମୋଟ୍‌ ୧୯୧ ଜଣ ଯାତ୍ରୀ ଥିଲା।

ସମ୍ବନ୍ଧିତ ଖବର